ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାରେ ନିର୍ମାଣ ହୋଇଛି ବିଶ୍ୱସ୍ତରୀୟ ଆକ୍ରିଲିକ୍ ସିନ୍ଥେଟିକ୍ ଖେଳପଡିଆ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ପ୍ରଶଂସା କରାଯାଇଛି । ଗ୍ରାମଂଚଳରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି । ମନେରଗା ଯୋଜନାରେ ଖେଳ ପଡ଼ିଆ ଗୁଡିକର ଉନ୍ନତି କରଣ କାର୍ଯ୍ୟ କରାଯାଉଛି । ଆଉ ଏସବୁ ଗୋଟିଏ ଲକ୍ଷ୍ୟ ରାଜ୍ୟରେ ବିଶ୍ୱସ୍ତରୀୟ ଖେଳ ପଡ଼ିଆ ଯୋଗାଇ ଭଲ ଖେଳାଳି ତିଆରି କରିବା ।
ମହାକାଳପଡା ବ୍ଲକର ଲୁଣିମାଠିଆ ଗ୍ରାମୀଣ ଖେଳ ପଡ଼ିଆର ଚିତ୍ର ବଦଳୁଛି । ଖେଳାଳି ତିଆରି କରିବା ପାଇଁ ଆକ୍ରିଲିକ୍ ସିନ୍ଥେଟିକ୍ କୋର୍ଟ ନିର୍ମାଣ ହୋଇଛି । ମନେରଗା ଯୋଜନାରେ ନିର୍ମିତ ଏହି କୋର୍ଟରେ ଖରା-ବର୍ଷା, ସବୁ ଋତୁରେ ଅଭ୍ୟାସ କରିପାରିବେ ଖେଳାଳି । ଭଲି, ବ୍ୟାଟମିଂଟନ୍, ଟେନିସ ଖେଳ ପାଇଁ କୋର୍ଟ ତିଆରି ହୋଇଛି । ସ୍ଥାନିୟ ଅଂଚଳର ଖେଳାଳିଙ୍କୁ ଉତମ ଭିତ୍ତିଭୂମି ଯୋଗାଇ ଦେବା ଉଦେଶ୍ୟରେ ଖେଳ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛି ବ୍ଲକ ପ୍ରଶାସନ ।
ମହାକାଳପଡା ଲୁଣିମାଠିଆ ପଡିଆରେ କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ଆକ୍ରିିଲିକ ସିନ୍ଥେଟିକ କୋର୍ଟର ନିର୍ମାଣ ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କଂକ୍ରିଟ୍ ଏବଂ ସିମେଂଟରେ ନିର୍ମିତ ଭଲି ବଲ କୋର୍ଟର ଲମ୍ବ ୨୦ ମିଟର, ଚଉଡା ୧୧ ମିଟର । ସେହିଭଳି ବ୍ୟାଡମିଂଟନ୍ କୋର୍ଟ ୧୬ ମିଟର ଲମ୍ବ ଓ ୮ ମିଟର ଚଉଡା ବିଶିଷ୍ଟ । ବର୍ଷା ହେଲେ ବି ଏହି ସିନ୍ଥେଟିକ୍ କୋର୍ଟରେ ଆରାମରେ ଖେଳ ହୋଇପାରିବ । ଏଠାରେ ଅଭ୍ୟାସ କରି ଗ୍ରାମଂଚଳ ଲୁକାୟିତ ଖେଳାଳି କ୍ରୀଡା କ୍ଷେତ୍ରରେ ଆଗକୁ ବଢିପାରିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଲୁଣିମାଠିଆ ପଡ଼ିଆରେ ଆକ୍ରିଲିକ ସିନ୍ଥେଟିକ କୋର୍ଟ ନିର୍ମାଣ ହେବା ପରେ ସ୍ଥାନୀୟ ଲୋକଙ୍କ ସହ ଖେଳପ୍ରେମୀ ଉତ୍ସାହିତ ହୋଇପଡିଛନ୍ତି ।