କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତରମାକାନ୍ତରେ ହେବ ରାଜ୍ୟର ପ୍ରଥମ ଟି’ ଟୁରିଜିମ୍‌ ସେଣ୍ଟର। ଏଠାରେ ଥିବା ଚା’ ବଗିଚାର ପୁନରୁଦ୍ଧାର କରାଯାଇ ଏହାକୁ ଟି’‌ ଟୁରିଜିମ୍‌ ସେଣ୍ଟରରେ ପରିଣତ କରାଯିବ। ଏହି କେନ୍ଦ୍ରରେ ଅତ୍ୟାଧୁନିକ ଗଲ୍‌ଫ କୋର୍ସ ସାଙ୍ଗକୁ, ପାରମ୍ପରିକ ଖାଦ୍ୟ ପରଷିବା ପାଇଁ ରେସ୍ତୋରାଁ ଓ ୱେଲ୍‌ନେସ୍‌ ସେଣ୍ଟର ରହିବ। ରାଜ୍ୟ ସରକାର ଏଥିପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି। ଏହା କାର୍ଯ୍ୟକାରୀ ହେଲେ ତରମାକାନ୍ତର ଚା’ ବଗିଚା କେବଳ କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ପାଲଟିବା ସହ ହଜାରେ ପରିବାରକୁ ରୋଜଗାର ସୁଯୋଗ ମିଳିବ।

Advertisment

ରୋଜଗାର ପାଇବେ ହଜାରେ ପରିବାର
ନିର୍ମାଣ ହେବ ରେସ୍ତୋରାଁ, ଗଲ୍‌ଫ କୋର୍ସ
କୋଲକତା ଟି’ ବୋର୍ଡର ସହାୟତା ନେବେ ରାଜ୍ୟ ସରକାର

ତରମାକାନ୍ତ ଓ ଏହାର ଆଖପାଖ ଅଞ୍ଚଳ ଚା’ ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ। ୧୯୮୨ରେ ରାଜ୍ୟ ସରକାରଙ୍କ ଇପିକଲ୍‌ ସଂସ୍ଥା ଓ କୋଲକାତାର ଶିଳ୍ପପତି ବସନ୍ତ କୁମାର ଦୁବେଙ୍କ ମିଳିତ ସହଯୋଗରେ ଗଠିତ ଓଟିପିଏଲ୍ ଏଠାରେ ୮୯୬.୫୪ ହେକ୍ଟର ଜମିରେ ଚା’ ବଗିଚା ଆରମ୍ଭ କରିଥିଲା। ଏଠାରୁ ଉତ୍ପାଦିତ ଉକୃଷ୍ଟମାନର ଚା’ ଚାହିଦା କେବଳ ଓଡ଼ିଶା କି ଭାରତ ନୁହେଁ; ଜାପାନ, ଫ୍ରାନ୍‌ସ, ଜର୍ମାନୀ, ଇଂଲଣ୍ଡ, ଆମେରିକା, ରୁଷ, କାନାଡ଼ାରେ ମଧ୍ୟ ରହିଥିଲା। ‘ଓଡ଼ିଶା ଟି’ ପ୍ଲାଣ୍ଟେସନ୍‌ ଲି’ ଦେଶ ବିଦେଶର ବିଭିନ୍ନ ସ୍ଥାନକୁ ଚା’ ରପ୍ତାନି କରି ବେଶ ଲାଭବାନ ହୋଇଥିଲା। ୧୯୮୩ରୁ ଏଠାରେ ଚା’ ଚାଷ ଆରମ୍ଭ ହୋଇଥିବା ବେଳେ ୨୦୦୨ ମସିହା ବେଳକୁ ବ୍ୟବସାୟ ସଫଳତା ଶୀର୍ଷକୁ ଛୁଇଁଥିଲା। ହଠାତ୍‌ ଏହି ପ୍ରକଳ୍ପଟି ୨୦୦୩ ବେଳକୁ ଧିମେଇ ଯାଇଥିଲା। ସରକାରଙ୍କ ଆନ୍ତରିକତା ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୦୪ ମସିହାରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କୋଲକାତା ଟି’ ବୋର୍ଡ ସହ ମିଳିତ ଭାବେ ସରକାର ଏହି ଚା’ ବଗିଚାର ପୁନରୁଦ୍ଧାର କରିବାକୁ ‌ଡିପିଆର୍‌ ପ୍ରସ୍ତୁତ କରୁଛନ୍ତି। ଏଠାରେ ଚା’ ସାଙ୍ଗକୁ ସଂଯୁକ୍ତ ଚାଷ ଭାବେ କଫି, ଗୋଲମରିଚ, ଡାଳଚିନି ଚାଷ କରାଯିବ। ୩ ମେଗାୱାଟ୍‌ର ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏଠାରେ ଥିବା ପୁରୁଣା ଯନ୍ତ୍ରାଂଶଗୁଡ଼ିକୁ ହଟାଯାଇ ଅତ୍ୟାଧୁନିକ ଯନ୍ତ୍ରାଂଶ ଲଗାଯିବ। ଜଳ ଅମଳ ପ୍ରକଳ୍ପ ସହିତ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଛୋଟଛୋଟ ଚେକ୍ ଡ୍ୟାମ୍‌, ପୋଖରୀ ଆଦି ଖୋଳାଯିବ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।