ବାରବାଟୀ ଟି-୨୦ : ଟିକେଟ୍‌ ବିକ୍ରିରେ ଭୟଙ୍କର ହେର୍‌ଫେର୍‌

ଅଧାରୁ ଗାଏବ ହେଲା ଖେଳାଳି ରିହାତି ଟିକେଟ

୪୦୦ ଟଙ୍କିଆ ଟିକେଟ ୨୦୦ରେ ବିକ୍ରି ହେଲା

କଟକ : ବାରବାଟୀ ଟି-୨୦ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ପାଇଁ ଟିକେଟ ବିକ୍ରିରେ ଆରମ୍ଭରୁ ଭୟଙ୍କର ହେର୍‌ଫେର୍‌ ସାମ୍ନାକୁ ଆସିଛି। ଓସିଏ ଅନୁବନ୍ଧିତ ସଂସ୍ଥା ଓ ବିସିସିଆଇ ପ୍ରାୟୋଜକଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ଶୁକ୍ରବାର ଦିନ ବିକ୍ରି ଚାଲିଥିଲାବେଳେ ହଠାତ୍‌ ଖେଳାଳି ରିହାତି ୨୦୦ ଟଙ୍କିଆ ଟିକେଟ ଗାଏବ୍‌ ହୋଇଯାଇଛି। ୨୦୦ ଟଙ୍କିଆ ଟିକେଟ ଅଧିକ ବିକ୍ରି ହୋଇଛି ନା ତାହାକୁ କେହି ଲୁଚାଇ ଦେଇଛି, ତାହା ସ୍ପଷ୍ଟ ହୋଇପାରୁନାହିଁ। ଟିକେଟ କିଣିବାକୁ ଆସିଥିବା ଅନୁବନ୍ଧିତ ସଂସ୍ଥାମାନେ ସେମାନଙ୍କ ପାଇଁ ଧାର୍ଯ୍ୟ ଟିକେଟ କିଣୁଥିବାବେଳେ ଏହି ହେର୍‌ଫେର୍‌ ବିଷୟ ଜଣାପଡ଼ିଥିଲା।

ଦିନ ସାଢେ ୨ଟା ବେଳକୁ ଅନ୍ୟସବୁ ଟିକେଟ ଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ଖେଳାଳି ରହାତି ୨୦୦ ଟଙ୍କିଆ ଟିକେଟ ଶେଷ ହୋଇଯାଇଥିଲା। ତାହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଓସିଏ କନ୍‌ଫରେନ୍ସ ହଲ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେଣୁ ଦାୟିତ୍ୱରେ ଥିବା ଘରୋଇ ବ୍ୟାଙ୍କ ପକ୍ଷରୁ ଟିକେଟ ବିକ୍ରିକୁ ସେହିଠାରେ ବନ୍ଦ କରାଯାଇ ଘଟଣାର ଛାନ୍‌ଭିନ୍‌ କରାଯାଇଥିଲା। ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ବନ୍ଦ ରହିବା ପରେ ଓସିଏ କାର୍ଯ୍ୟାଳୟରୁ ଏକ ଟ୍ରଙ୍କ୍‌ରେ ୭ନମ୍ବର ଗ୍ୟାଲେରୀର ୪୦୦ ଟଙ୍କିଆ ଟିକେଟ କନ୍‌ଫରେନ୍ସ ହଲ୍‌କୁ ଅଣାଯାଇଥିଲା। ପରେ ଉକ୍ତ ୪୦୦ଟଙ୍କିଆ ଟିକେଟକୁ ୨୦୦ ଟଙ୍କାରେ ବିକ୍ରି କରାଯାଇଥିଲା।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏଭଳି ଘଟଣା ପାଇଁ ଦାୟୀ କିଏ? ବ୍ୟାଙ୍କର ଦାୟିତ୍ୱବାନ୍‌ କର୍ମଚାରୀମାନେ ଟିକେଟ ବିକ୍ରି କ୍ଷେତ୍ରରେ ଖାମ୍‌ଖିଆଲ୍‌ ହେଲେ ନା ଉଦ୍ଦେଶ୍ୟମୂଳକ ଭାବେ ଟିକେଟ ଗାଏବ୍‌ କରାଯାଇଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଭୁଲ୍‌ ଲୁଚାଇବାକୁ ଯାଇ ୪୦୦ ଟଙ୍କା ଟିକେଟକୁ ୨୦୦ ଟଙ୍କାରେ ବିକ୍ରି କରି ଖୋଲାଖୋଲି ଭାବେ ଟିକେଟ କଳାବଜାରିକୁ ପ୍ରୋତ୍ସାହନ ଦିଆଯାଇଛି। ଅନ୍ୟପକ୍ଷରେ କାଉଣ୍ଟର ପାଇଁ ଉଦ୍ଦିଷ୍ଟ ୪୦୦ ଟଙ୍କିଆ ଟିକେଟରୁ ଏଠାରେ ଅଧା ଦାମ୍‌ରେ ବିକ୍ରି କରାଗଲା ନା, ଟିକେଟ ଛପାରେ ଜାଲିଆତି ହୋଇଛି ତାହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି ହେଉଛି। ଯଦି ଧାର୍ଯ୍ୟ ସିଟ୍‌ ମୁତାବକ ଟିକେଟ ଛପାହୋଇଥାଏ, ତାହେଲେ କାଉଣ୍ଟର ବିକ୍ରି ବେଳେ ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେବା ନିଶ୍ଚିତ।

ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ୧୦୩୬୨ ଟିକେଟ ବିକ୍ରି କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା, କିନ୍ତୁ ଶୁକ୍ରବାର ସୁଦ୍ଧା ଅନୁବନ୍ଧିତ ସଂସ୍ଥାମାନେ ମୋଟ ୧୦୫୬୪ ଟିକେଟ କିଣିଥିବା ଓସିଏ ପକ୍ଷରୁ ପ୍ରେସ୍‌ ବିବୃତ୍ତିରେ ଜଣାଯାଇଛି। ସେଥିମଧ୍ୟରୁ ଖେଳାଳି ରିହାତି ଟିକେଟ ୨୭୯୫ଟିକେଟ ଓ ୭ନମ୍ବର ଗ୍ୟାଲେରୀର ୭୪୫ ଟିକେଟ ବିକ୍ରି ହୋଇଥିବା ଦର୍ଶାଯାଇଛି। ତେଣୁ ଟିକେଟ ବିକ୍ରିରେ ଏତେ ଫରକ୍‌ କେମିତି ଆସିଲା, ତାହା ସନ୍ଦେହକୁ ଦୃଢୀଭୂତ କରୁଛି। କିନ୍ତୁ ସଂପୂର୍ଣ୍ଣ ଘଟଣା ବିଷୟରେ ଓସିଏ ପରିଚାଳନା ସମିତିର କୌଣସି ଅଧିକାରୀ କିମ୍ବା ବରିଷ୍ଠ କର୍ମଚାରୀମାନେ ପାଟି ଖୋଲିବାକୁ ନାରାଜ।

ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି

ସାଧାରଣ ଦର୍ଶକଙ୍କ ପାଇଁ ଶନିବାରଠୁ ତିନୋଟି କାଉଣ୍ଟରେ ଟିକେଟ ବିକ୍ରି କରାଯିବ। ହର୍ସ ଗେଟ୍‌ ପାଖ ୧ନମ୍ବର ଟିକେଟ କାଉଣ୍ଟରରେ ସ୍ପେଶାଲ ଏନ୍‌କ୍ଲୋଜୋର, ନିଉ ପାଭିଲିଅନ୍‌, ଏସି ଗ୍ୟାଲେରୀ, କର୍ପୋରେଟ୍‌ ବକ୍ସ ପାଇଁ ଏବଂ ଇଣ୍ଡୋର ହଲ୍‌ ପଟ କାଉଣ୍ଟର ନମ୍ବର ୨ ଓ ୩ରେ ସମସ୍ତ ଗ୍ୟାଲେରୀ ପାଇଁ ଟିକେଟ ବିକ୍ରି କରାଯିବ। ପ୍ରତ୍ୟେକ ଦର୍ଶକ ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ ବୋଲି ସୂଚନା ଦିଆଯାଇଛି। ଶୁକ୍ରବାର ଓସିଏ ଅନୁବନ୍ଧିତ ସଂସ୍ଥା ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଟିକେଟ ଗୁଡ଼ିକ ବିକ୍ରି ହୋଇଯାଇଥିଲାବେଳେ କାଉଣ୍ଟରରେ ବଳକା ପ୍ରାୟ ୧୨ହଜାର ୫୩୮ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି କରାଯିବ।

ସମ୍ବନ୍ଧିତ ଖବର