ଲାଞ୍ଚନେଇ ଧରାପଡ଼ିଲେ ତହସିଲ କିରାଣି

ଘଟଗାଁ : ଜମି ଭାଗବାଣ୍ଟ ମାମଲାର ଫଇସଲା ପାଇଁ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲର କନିଷ୍ଠ କିରାଣି ଦେବାଶିଷ ପଣ୍ଡା ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହିତ ଶ୍ରୀ ପଣ୍ଡାଙ୍କ ଘଟଗାଁ ବାସଭବନ ଓ ବାଲେଶ୍ୱର ନିଜଘରେ ଭିଜିଲାନ୍ସ ଚଢ଼ଉ କରିଛି।

ଖବର ଅନୁଯାୟୀ ଘଟଗାଁ ତହସିଲ ଅନ୍ତର୍ଗତ ଟାଙ୍ଗରତଳି ଗ୍ରାମର ବନମାଳୀ ପଳେଇ(୬୦) ମନତା ମୌଜା ଜମିର ଭାଗବଣ୍ଟା କରିବାକୁ ଆବେଦନ କରିଥିଲେ। ଏଥିପାଇଁ ସେ ଗତ ୫ ମାସ ହେଲା ଦୌଡ଼ିଦୌଡ଼ି ନୟାନ୍ତ ହୋଇପଡ଼ିଥିଲେ। ଶେଷରେ ଏଥିପାଇଁ ୧୦ ହଜାର ଟଙ୍କା ଦେଲେ କାମ ହୋଇଯିବ ବୋଲି ସଂପୃକ୍ତ କନିଷ୍ଠ କିରାଣି କହିଥିଲେ। ଏହା ଜାଣିବାପରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ପୂର୍ବାହ୍ନ ୧୦ ଟା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଡିଏସ୍‌ପି ଦୈତାରୀ ଘଡ଼େଇ ଓ ଇନ୍ସପେକ୍ଟର ହେମାମାଳିନୀ ନାୟକ ପ୍ରମୁଖ ରାସାୟନିକ ରଙ୍ଗବୋଳା ୧୦ ହଜାର ଟଙ୍କା ଦେବାଶିଷଙ୍କଠାରୁ ଉଦ୍ଧାର କରିବାସହିତ ତାଙ୍କୁ କାବୁ କରିନେଇଥିଲେ।

ସୂଚନାଯୋଗ୍ୟ ଯେ ତହସିଲ କର୍ମଚାରୀ ସମୂହ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଅଛନ୍ତି। ମାତ୍ର, ଶ୍ରୀ ପଣ୍ଡା ଆଜି ସକାଳେ ଆସି ଅଫିସ୍‌ରେ ବସିଥିଲେ। ଏହାର କିଛିସମୟ ପରେ ସେ ବାହାରକୁ ଆସି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଥିଲେ। ତାଙ୍କୁ ଅଫିସକୁ ନେଇ ଉକ୍ତ କାଗଜ ପତ୍ର ଯାଞ୍ଚ କରିବା ସହ ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଫାଇଲ୍‌କୁ ନେଇଯାଇଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ଶ୍ରୀ ପଣ୍ଡା ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଏଠାକୁ ଡେପୁଟେସନ ଆସି କାମ କରୁଛନ୍ତି। ପୂର୍ବରୁ ଘଟଗାଁ ତହସିଲରେ ନାଜର  ଭାବେ କାର୍ଯ୍ୟ କରୁଥିବା ବେଳେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସରକାରୀ ଖାତାରେ ଜମା ନ କରି ଅର୍ଥ ଆତ୍ମସାତ୍‌ କରିବା ନେଇ ତାଙ୍କ ନାମରେ ପ୍ରୋସିଡିଂ ଚାଲିଛି।

ସମ୍ବନ୍ଧିତ ଖବର