କଟକ : କଟକ ଜିଲ୍ଲାର ବିଭିନ୍ନ ତହସିଲ ସମେତ ରାଜ୍ୟର ୩୧୭ ତହସିଲ କାର୍ଯ୍ୟାଳୟରେ ନିଯୁକ୍ତ ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ୧୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ଏପରି ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ୨ ମାସ ଭିତରେ ନିୟମିତ କରାଯିବା ସହିତ ଆଇନ ଅନୁସାରେ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ ପାଇଁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧, ସେପ୍ଟେମ୍ବର ୯ରେ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଂଗରେ ଶୁଣାଣି କରି ଜଣିକିଆ ବିଚାରପତିଙ୍କ ରାୟକୁ କାଏମ ରଖିଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ତରଫରୁ ଦାୟର ୨୯ଟି ରିଟ୍ ଅପିଲକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଣିକିଆ ବିଚାରପତିଙ୍କ ରାୟ ୧୨ ସପ୍ତାହ (୩ ମାସ) ଭିତରେ କାର୍ଯ୍ୟକାରୀ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ପ୍ରାୟ ୬ଶହ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ପାଇଁ ପଥ ପରିଷ୍କାର ହୋଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଜମି ପାସ୍ ବୁକ୍ ପ୍ରସ୍ତୁତି ଓ ବଣ୍ଟନ କାର୍ଯ୍ୟରେ ସହଯୋଗ ପାଇଁ ୬ ମାସ ଲାଗି ୬ଶହ ଡାଟା ଏଣ୍ଟ୍ରି ଅପରେଟର ତଥା ଆସିଷ୍ଟାଣ୍ଟଙ୍କୁ ମାସିକ ୪ ହଜାର ଟଙ୍କା ଦରମାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ୨୦୦୬, ନଭେମ୍ବର ୨୪ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଥିଲା। ୨୦୦୮, ଜାନୁଆରି ୩୧ରେ କଟକ ଜିଲ୍ଲା ପାଇଁ ପ୍ରାର୍ଥୀଙ୍କ କମ୍ପ୍ୟୁଟର ଟେଷ୍ଟ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଆରମ୍ଭରୁ ୬ ମାସ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ କାଳରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ୨୦୧୪, ଅଗଷ୍ଟ ୧୨ରେ ଏହି ଚୁକ୍ତିଭିତ୍ତିକ କର୍ମଚାରଙ୍କୁ ୧୯ଶହ ଟଙ୍କା ଗ୍ରେଡ୍ ପେ ପ୍ରଦାନ ପାଇଁ ଅନୁମତି ଦିଆଯାଇଥିଲା। ୨୦୧୭, ସେପ୍ଟେମ୍ବର ୧ରୁ ଏହି କର୍ମଚାରୀଙ୍କ ପ୍ରାପ୍ୟ ମଧ୍ୟ ୮,୮୮୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ଡାଟା ଏଣ୍ଟ୍ରି ଅପରେଟରମାନେ ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ୨୦୧୩, ସେପ୍ଟେମ୍ବର ୧୭ରେ ବିଜ୍ଞପ୍ତି ପ୍ରକାଶ କରି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା କର୍ମଚାରୀଙ୍କ ଚାକରି ନିୟମିତ କରାଯିବ ବୋଲି ସ୍ପଷ୍ଟ କରିଥିଲା।

ମଞ୍ଜୁରୀପ୍ରାପ୍ତ ପଦବିରେ ନିଯୁକ୍ତି ପ୍ରକ୍ରିୟା ଦ୍ବାରା ନିଯୁକ୍ତି ପାଇ ଏହି ଡାଟା ଏଣ୍ଟ୍ରି ଅପରେଟରମାନେ ଲଗାତାର ଭାବେ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କ ଚାକରି କିନ୍ତୁ ନିୟମିତ କରାଯାଇ ନଥିଲା। ଏହି ପ୍ରସଂଗ ନେଇ ଡାଟା ଏଣ୍ଟ୍ରି ଅପରେଟରମାନେ ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏହି ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ସପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲର ଦୁଇ ଜଣିଆ ବିଚାରପତି ଶୁଣାଣି ଶେଷ କରି ରାୟ ପ୍ରକାଶ କରିଛନ୍ତି। ପ୍ରତିପକ୍ଷ ପତିତପାବନ ଦତ୍ତ ଦାଶ ଓ ଅନ୍ୟମାନଙ୍କ ତରଫରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ମାମଲା ପରିଚାଳନା କରୁଥିବା ବେଳେ ଅତୁଲ ତ୍ରିପାଠୀ ଓ ଅମିତ ସାହୁ ସହାୟତା କରୁଥିଲେ।