ବାଲିଘାଟରେ ତହସିଲଦାରଙ୍କ ଚଢ଼ଉ: ଛତ୍ରଭଙ୍ଗ ଦେଲେ ମାଫିଆ, ୧ ଟ୍ରାକ୍ଟର ଜବତ

କୋରେଇ : ବ୍ୟାସନଗର ତହସିଲ ଅଧୀନ କୋରେଇ ବ୍ଲକ୍‌ର ବିଭିନ୍ନ ବାଲିଘାଟରେ ଶନିବାର ବ୍ୟାସନଗର ତହସିଲଦାର ଅଚାନକ ଚଢ଼ଉ କରି ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ଜରିମାନା ଆଦାୟ କରିଛନ୍ତି। ଚଳିତ ବର୍ଷ ନିଲାମ ହୋଇଥିଲେ ମଧ୍ୟ ଆବଶ୍ୟକ କାଗଜପତ୍ର ପଇଠ କରିନଥିବାରୁ କେତେକ ବାଲିଘାଟରୁ ବାଲି ଉତ୍ତୋଳନ ଆରମ୍ଭ ହୋଇନାହିଁ। ହେଲେ ବ୍ଲକ୍‌ର ରଣପୁର ବାଲିଘାଟ ନିକଟରେ ଥିବା ଦୋସିଆମୁହଁ ଠାରେ କିଛି ବାଲି ମାଫିଆ ଏକ ଘାଟ ନିର୍ମାଣ କରି ସେଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଛନ୍ତି। ନିଲାମ ହୋଇଥିବା ମୁକୁନ୍ଦପୁର ଓ ରଣପୁର ଘାଟରୁ ବାଲି ଉଠାଣ ହୋଇନଥିବା ବେଳେ ରଣପୁର ଦୋସିଆମୁହଁ ଘାଟରୁ ଟ୍ରାକ୍ଟରରେ ପ୍ରତିଦିନ ବାଲି ଉତ୍ତୋଳନ ଚାଲିଛି। ସୂଚନା ପାଇ ଆଜି ବ୍ୟାସନଗର ତହସିଲଦାର ଶରତ କୁମାର ମହାପାତ୍ର ଓ କନ୍ତୋର ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ଦେହୁରୀଙ୍କ ସମେତ ଏକ ଟିମ୍‌ ରଣପୁରର ଆଖପାଖରେ ବିଭିନ୍ନ ସ୍ଥାନରେ ଶନିବାର ସକାଳେ ଚଢ଼ଉ କରିଥିଲେ।

ଚଢ଼ଉ ଖବର ପାଇ ବାଲି ମାଫିଆମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ତୋରନ୍ଦା ଠାରେ ଏକ ସରକାରୀ ଜମିରେ ଗଚ୍ଛିତ ଥିବା କିଛି ବାଲି ଓ ଏକ ଟ୍ରାକ୍ଟରକୁ ତହସିଲଦାର ଜବତ କରିଥିଲେ। ସମ୍ପୃକ୍ତ ଟ୍ରାକ୍ଟରକୁ ୧୫ ହଜାର ଟଙ୍କାର ଜରିମାନା କରାଯାଇଛି। ଟ୍ରାକ୍ଟର ମାଲିକ ଜରିମାନା ଅର୍ଥ ପ୍ରଦାନ କରିନଥିବାରୁ ଏହାକୁ କୋରେଇ ପୁଲିସ୍‌ ଜିମା ଦିଆଯାଇଛି। ଅନ୍ୟପକ୍ଷରେ ଶହଶହ ବେଆଇନ୍ ବାଲିଗାଡ଼ି ଚାଲିବା ଫଳରେ ନିକଟସ୍ଥ ଗ୍ରାମ ଗୁଡ଼ିକର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗାଁକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ମଧ୍ୟ ଯିବା କଷ୍ଟକର ହୋଇପଡ଼ୁଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ କନ୍ତୋର ଆରଆଇ ଶ୍ରୀ ଦେହୁରୀଙ୍କୁ ପଚାରିବାରୁ, ଦୋସିଆମୁହଁ ଓ ରଣପୁରରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଖବର ମିଳିବା ପରେ ଚଢ଼ଉ କରାଯାଇଥିଲା। ହେଲେ ଖବର ପାଇ ପୂର୍ବରୁ ବାଲି ମାଫିଆମାନେ ଘାଟ ଛାଡ଼ି ଚାଲିଯାଇଥିବା ବେଳେ ମହଜୁଦ ବାଲି ଓ ଏକ ଟ୍ରାକ୍ଟରକୁ ଜବତ କରାଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର