ରାଜସ୍ବ ବିଭାଗରେ ଦୁର୍ନୀତି: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର, ଏଆରଆଇ

ଭୁବନେଶ୍ବର/ରାଇରଙ୍ଗପୁର: ରାଜସ୍ବ ବିଭାଗରେ ଦୁର୍ନୀତି କାୟା ବିସ୍ତାର କରୁଛି। ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୩ ଜଣ କର୍ମଚାରୀ। ସେମାନେ ହେଲେ ତହସିଲଦାର ସତ୍ୟସୁନ୍ଦର ରାଉତ, ସହାୟକ ରାଜସ୍ବ ନିରୀକ୍ଷକ ରଂଜନ କୁମାର ମଲିକ ଓ ଅମିନ କମଳ ଲୋଚନ ପାତ୍ର।

ଭିଜିଲାନ୍ସ ପକ୍ଷରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ମୟୂରଭଂଜ ଜିଲ୍ଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଅଭିଯୋକାରୀଙ୍କ ଜମିର କିସମ ବଦଳାଇବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଅଭିଯୋଗକାରୀ ଏ ନେଇ ଭିଜିଲାନ୍ସକୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଯୋଜନା ହିସାବରେ ଆଜି ଅଭିଯୋଗକାରୀଙ୍କଠାରୁ ଶ୍ରୀ ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଥିଲେ। ଏହି ଲାଞ୍ଚ କାରବାର ସହିତ ଅମିନ କମଳ ଲୋଚନ ପାତ୍ର ମଧ୍ୟ ସଂପୃକ୍ତ ଥିଲେ। ତେବେ ଭିଜିଲାନ୍ସ ଟିମ୍‌ ଶ୍ରୀ ରାଉତଙ୍କ ୪ଟି ସ୍ଥାନରେ ଓ ଶ୍ରୀ ପାତ୍ରଙ୍କ ଗୋଟିଏ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସେହିପରି ଭିଜିଲାନ୍ସ ବିଭାଗ ହାତରେ ପୁରୀ ଜିଲ୍ଲା କଣାସ ତହସିଲ ଅନ୍ତର୍ଗତ ଚୁପୁରିଙ୍ଗ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସହାୟକ ରାଜସ୍ବ ନିରୀକ୍ଷକ ରଂଜନ କୁମାର ମଲିକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏଆରଆଇ ଶ୍ରୀ ମଲ୍ଲିକ ବାତ୍ୟା କ୍ଷୟକ୍ଷତି ସଂପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିଦେବା ପାଇଁ ଏହି ଲାଞ୍ଚ ଟଙ୍କା ନେଉଥିଲେ।

ସମ୍ବନ୍ଧିତ ଖବର