ବାଲିପାଟଣା : ବାଲିପାଟଣା ଅଞ୍ଚଳରେ ବାଲିମାଫିଆଙ୍କ ଦୌରାତ୍ମ୍ୟ ଆଜି ସୀମା ଟପିଛି। ମାଫିଆମାନେ ତହସିଲଦାରଙ୍କୁ ମାଡ଼ ମାରି ହାଇୱା ଚାଳକକୁ ଛଡ଼ାଇନେଇଛନ୍ତି। ବାଲିବୋଝେଇ ହାଇୱା ଜବତ ହୋଇଥିଲେ ହେଁ ପୁଲିସ ମାଫିଆମାନଙ୍କୁ ଗିରଫ କରିପାରିନାହିଁ। ଏନେଇ ଆହତ ତହସିଲଦାର ବାଲିପାଟଣା ଥାନା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ସକାଳୁ ଏହି ଅଭାବନୀୟ ଘଟଣା ଘଟିଥିଲେ ବି ପୁଲିସ ମାଫିଆମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ପୁଲିସ ହାଇୱା ଚାଳକ ଓ ଦୁଇ ମାଫିଆଙ୍କ ନାଁରେ କେବଳ ମାମଲା ରୁଜୁ କରି ବସିଛି।
ସୂଚନାନୁସାରେ କଣ୍ଟାପଡ଼ା ତହସିଲ ଅଧୀନ ତିଥାପଡ଼ା ଦେବୀ ନଦୀ ଘାଟରୁ ପ୍ରତିଦିନ ବାଲିପାଟଣା ଅଞ୍ଚଳକୁ ଶହଶହ ଟ୍ରିପ୍ ବାଲି ଚୋରାରେ ଚାଲାଣ ହେଉଛି। ସୋମବାର ଭୋର୍ ପ୍ରାୟ ୫ଟା ବେଳେ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଓ ତାଙ୍କ ଟିମ୍ ଭିଙ୍ଗାରପୁର ବାଲିପାଟଣା ରାସ୍ତା ଖମଙ୍ଗ ଛକରେ ଏକ ବାଲି ବୋଝେଇ ହାଇୱା( ଓଡି ୦୨ ଜେଡ୍ ୮୪୯୮)କୁ ଅଟକାଇ ଚାଲାଣ ଫର୍ମ(ୱାଇ ଫର୍ମ) ଯାଞ୍ଚ କରିଥିଲେ। ହାଇୱା ଡ୍ରାଇଭର ଏକ ଭୁଲ ଚାଲାଣ ଦେଖାଇଥିଲା। ଚାଲାଣ ଫର୍ମରେ ତାରିଖ ନଥିଲା। ତେଣୁ ତହସିଲଦାର ଶ୍ରୀ ତ୍ରିପାଠୀ ହାଇୱାକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ି ଜବତ କଥା ଶୁଣିବା ମାତ୍ରେ ହାଇୱା ଚାଳକ ତହସିଲଦାରଙ୍କ ଟିମ୍ ଓ ତାଙ୍କ ଗାଡ଼ିକୁ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା। ଭୟରେ ସେମାନେ ରାସ୍ତାରୁ ହଟିଯିବାରୁ ଚାଳକ ହାଇୱା ନେଇ ସେଠାରୁ ଦ୍ରୁତବେଗରେ ଚମ୍ପଟ ମାରିଥିଲା।
କିନ୍ତୁ ତହସିଲଦାର ଶ୍ରୀ ତ୍ରିପାଠୀ ବାଲିପାଟଣା ଥାନା ପୁଲିସକୁ ଫୋନ୍ କରିବା ସହ ଟିମ୍କୁ ଧରି ହାଇୱାକୁ ପିଛା କରିଥିଲେ। ହାଇୱା ଚାଳକ ମଝିହରା ବେଙ୍ଗବତୀ ଛକରୁ ଆଗକୁ ଯାଇପାରିନଥିଲା। ତେବେ ତା’ଠାରୁ ଫୋନ୍ ପାଇ ଦୁଇ ଜଣ ମାଫିଆ ସୟଦ ସାହିର୍ ଓ ସୟଦ ରାହିଲ୍ ଏକ ସ୍କୁଟି (ଓଡି ୩୩ ସି ୪୫୦୮) ଯୋଗେ ସେଠାରେ ପହଞ୍ଚିସାରିଥିଲେ। ସେମାନେ ତହସିଲଦାର ଶ୍ରୀ ତ୍ରିପାଠୀଙ୍କୁ ଗାଳିମନ୍ଦ କରିବା ସହ ଧମକଚମକ ଦେଇଥିଲେ। ଏମିତି କଥା କଟାକଟି ଚାଲିଥିବା ବେଳେ ହଠାତ୍ ଦୁଇ ମାଫିଆ ତହସିଲଦାର ଶ୍ରୀ ତ୍ରିପାଠୀଙ୍କ ହାତକୁ ମୋଡ଼ି ହାଇୱାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ତହସିଲଦାରଙ୍କ ଆଙ୍ଗୁଠି ଭାଙ୍ଗିଥିବା ବେଳେ ମୁଣ୍ଡ ଫାଟିଯାଇଥିଲା। ଏହି ମଉକାରେ ହାଇୱା ଚାଳକ ଗାଡ଼ି ଛାଡ଼ି ସେଠାରୁ ଖସି ପଳାଇଥିଲା। ସେହିଭଳି ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚିବା ବେଳକୁ ଦୁଇ ମାଫିଆ ମଧ୍ୟ ଫେରାର୍ ହୋଇଯାଇଥିଲେ। ବାଲିପାଟଣା ଥାନା ପୁଲିସ ପହଞ୍ଚିବା ପରେ ବାଲି ବୋଝେଇ ହାଇୱାକୁ ଜବତ କରି ତହସିଲ କାର୍ଯ୍ୟାଳୟକୁ ନିଆଯାଇଥିଲା।