ଭୂତକୋଠି ପାଲଟିଛି ତହସିଲଦାରଙ୍କ ବାସଭବନ, କବାଟ, ଝରକା ତାଡ଼ି ନେଲେଣି ଦୁର୍ବୃତ୍ତ

ଖଣ୍ଡପଡ଼ା : ରାଜାରାଜୁଡ଼ା ଶାସନ କାଳରୁ ଐତିହ୍ୟ ବହନ କରି ଆସୁଥିବା ତହସିଲ୍‌ଦାରଙ୍କ ବାସଭବନରେ ଆଜିକୁ ୫ବର୍ଷ ହେବ କୌଣସି ଅଧିକାରୀ ରହୁନଥିବାରୁ ଏବେ ତାହା ଭୂତକୋଠି ପାଲଟିଥିବା ଦେଖିବାକୁ ମିଳିଛି। ବରଂ ଅଧିକାରୀମାନେ ଯେତେ ବଦଳି ହୋଇ ଆସିଲେ ମଧ୍ୟ ନିଜସ୍ବ ବାସଭବନରେ ନ ରହି ବର୍ଷ ବର୍ଷ ଧରି ଏନ୍ଏସି କାର୍ଯ୍ୟାଳୟ ନିକଟରେ ଥିବା କିରାଣୀ କ୍ବାର୍ଟର୍ସରେ ରହିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଗତ ୨୦୧୩-୧୪ ଆର୍ଥିକ ବର୍ଷଠାରୁ ଗତ ୫ ବର୍ଷ ଭିତରେ ତହସିଲଦାରଙ୍କ ବାସଭବନ ମରାମତିରେ ପୂର୍ତ୍ତ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲେ ମଧ୍ୟ କେହି ଅଧିକାରୀ ରହୁ ନ ଥିବାରୁ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ତାହା ଏବେ ଅସାମାଜିକଙ୍କ ଆଡ଼ାସ୍ଥଳ ପାଲଟିଛି। ଦୁର୍ବୃତ୍ତମାନେ ଝରକା, କବାଟ, ଗ୍ରୀଲ୍, ବିଦ୍ୟୁତ୍ ଉପକରଣ ଓ ଆସବାବପତ୍ର ଆଦି ତାଡ଼ି ନେଇଯିବା ସହ ବାସଭବନଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏପରିକି ବାସଭବନର ଚତୁର୍ପାର୍ଶ୍ବ ଅନାବନା ଘାସରେ ପରିପୂର୍ଣ୍ଣ ହେବା ସହ ସମ୍ମୁଖ ଭାଗ ବାସଭବନକୁ ଯିବା ରାସ୍ତାରେ ବସ୍, ଟ୍ରକ୍ ଓ କାର୍ ଆଦି ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର