ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ବଞ୍ଚୋ ପଞ୍ଚାୟତରେ ରାଜସ୍ବ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଉ ନଥିବାରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ। ଏହାକୁ ନେଇ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଅସନ୍ତୋଷ ପ୍ରକାଶ କରିବା ସହ ଉନ୍ନୟନ କାମରେ ସହଯୋଗ କରିବାକୁ ତହସିଲଦାରଙ୍କ ଗୋଡ଼ଧରି ନେହୁରା ହୋଇଛନ୍ତି। ସରପଞ୍ଚ ଶ୍ରୀ ରାଉତ କହିଛନ୍ତି, ବଞ୍ଚୋ ପଞ୍ଚାୟତରେ ଏକ ମିନିଷ୍ଟାଡିୟମ ନିର୍ମାଣ ପାଇଁ ସରକାର ୪୫ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ଏଠାରେ ଏକ ବିରାଟ ଖେଳପଡ଼ିଆ ରହିଛି। ଏହାର କିସମ ହାଲ ବୋଲି ବୋଲି ଉଲ୍ଲେଖ ରହିଛି। କିନ୍ତୁ, ଏହାର ଗୋଚର କିସମ ହୋଇଥିବା କହି ରାଜସ୍ବ ନିରୀକ୍ଷକ ସ୍ଥାନ ଚିହ୍ନଟ କରିବାକୁ ଆସୁନଥିବାରୁ ଷ୍ଟାଡିୟମ ନିର୍ମାଣ କାମ ଆରମ୍ଭ ହୋଇପାରୁ ନାହିଁ। ବଞ୍ଚୋଠାରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆମ୍ବଗଡ଼ିଆରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜମି ଚିହ୍ନଟ କରି ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ ଚିଠି ହୋଇଥିଲେ ମଧ୍ୟ ରାଜସ୍ୱ ବିଭାଗ ଜାଣିଶୁଣି ବିଳମ୍ବ କରୁଛି। ଏନେଇ ସେ ଅନେକଥର ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ ବି କେହି ଗୁରୁତ୍ୱ ଦେଉନାହାନ୍ତି। ତେଣୁ ସେ ଆଜି ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାରଙ୍କ ଗୋଡ଼ ଧରି ପଞ୍ଚାୟତ କାମରେ ସହଯୋଗ କରିବାକୁ ନେହୁରା ହୋଇଥିବା ଶ୍ରୀ ରାଉତକହିଛନ୍ତି।