ତହସିଲ୍‌ଦାରଙ୍କ ଗାଳି! ପ୍ରତିବାଦରେ ବିଜେପି କର୍ମୀଙ୍କ ବିକ୍ଷୋଭ

ଗୋଳନ୍ଥରା: ‘ତୋ ରଙ୍ଗ ଛଡ଼େଇଦେବି। ଓଡ଼ିଆ ବୁଝୁନୁ କି ?’ ତହସିଲ୍‌ଦାର୍‌ ତାଙ୍କ ପ୍ରତି ଏହିଭଳି ଗାଳି କରିଥିବା ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା। ଏଇ କଥାପଦକକୁ ନେଇ ବି ତହସିଲ କାର୍ଯ୍ୟାଳୟ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଛି। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ତହସିଲ୍‌ ଅଫିସ୍‌ ସମ୍ମୁଖରେ ୫ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଉଭୟ ପକ୍ଷର ଏତଲାକୁ ନେଇ ଗୋଳନ୍ଥରା ଥାନାରେ ୩ଟି ମାମଲା ରୁଜୁ ହୋଇଛି। ତହସିଲ୍‌ଦାର ପ୍ରଳୟନାଥ ଶତପଥୀ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି।

ବିଜେପିର ଅଭିଯୋଗ ଅନୁସାରେ, ଆଜି ସକାଳ ୯ଟାରେ ଜିଲ୍ଲା ସଭାପତି ଶ୍ରୀଜେନା କନିଷି ତହସିଲଦାରଙ୍କୁ ମୋବାଇଲ୍ ଯୋଗେ ଯୋଗାଯୋଗ କରିଥିଲେ। କନିଷି-ତୁଳୁ ରାସ୍ତାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସ୍‌ର ସମୟସୀମା ପୂରିଯାଇଥିବାରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜାଣିବାକୁ ଚାହିଁଥିଲେ। ହେଲେ, ତହସିଲଦାର ଶ୍ରୀ ଶତପଥୀ ଏଥିରେ ଉତ୍‌କ୍ଷିପ୍ତ ହୋଇ ‘ତୋ ରଙ୍ଗ ଛଡ଼େଇଦେବି। ଓଡ଼ିଆ ବୁଝୁନୁ କି ? ମୁଁ ମାଜିଷ୍ଟ୍ରେଟ୍, ତୋ କଥା ବୁଝିନେବି,’ ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ବିଭୂତି ଗୋଳନ୍ଥରା ଥାନାରେ ଏତଲା ଦେବାପରେ ତହସିଲଦାରଙ୍କ ବିରୋଧରେ କେସ୍ ନମ୍ବର ୪୩୦/୨୨ ଅନୁସାରେ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗକୁ ନେଇ ତହସିଲଦାର ଶ୍ରୀ ଶତପଥୀଙ୍କ ସହ ପ୍ରତିକ୍ରିୟା ମିଳିପାରିନି। ତେବେ, ବିଭୂତି ତାଙ୍କୁ ଧମକଚମକ ଦେଇଥିବା ନେଇ ସେ ଗୋଳନ୍ଥରା ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୪୨୮ ଅନୁସାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର