ଭୁବନେଶ୍ୱର: ପ୍ରତିବର୍ଷ ପୃଥିବୀର ତାପମାତ୍ରା ବୃଦ୍ଧି, ଜଙ୍ଗଲ କ୍ଷୟ, ପ୍ରଦୂଷଣ ଯୋଗୁ ମନୁଷ୍ୟଠାରୁ ଆରମ୍ଭ କରି ଜୀବଜନ୍ତୁ ଓ ବୃକ୍ଷଲତା ମଧ୍ୟ ପ୍ରଭାବିତ ହେଉଛନ୍ତି। ଯଦିଓ ବିକାଶ ହେଲେ ବିନାଶ ହେବା ସୁନିଶ୍ଚିତ। ହେଲେ ଅଳ୍ପ ବିନାଶରେ ଅଧିକ ବିକାଶ କିଭଳି ହୋଇପାରିବ ସେଥିପାଇଁ ଆମକୁ ସଂକଳ୍ପ ନେବା ଆବଶ୍ୟକ। ଅଳ୍ପ ବିନାଶ କରିବାକୁ ହେଲେ ପ୍ରକୃତିକୁ ସୁରକ୍ଷିତ କରି ରଖିବାକୁ ପଡ଼ିବ। ‘ସମ୍ୱାଦ ସାହିତ୍ୟଘର’ ପକ୍ଷରୁ ‘ସମ୍ୱାଦ’ ସ୍କୁଲ୍‌ ଅଫ୍ ମିଡିଆ ଆଣ୍ଡ କଲଚର (ସୋମାକ୍) ପରିସରରେ ଆୟୋଜିତ ରାଜ୍ୟବ୍ୟାପୀ ବୃକ୍ଷରୋପଣ ଅଭିଯାନ ‘ଆସ ଚାରାଟିଏ ଲଗାଇବା’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ଗତବର୍ଷ ଯେଉଁଭଳି ‘ସମ୍ୱାଦ’ର ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ ୧୪୭ ନିର୍ବାଚନମଣ୍ଡଳୀର ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ମିଶି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା, ଚଳିତ ବର୍ଷ ମଧ୍ୟ ଏହା ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। 

Advertisment

ସମ୍ମାନିତ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ‘ସମ୍ୱାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଥିଲେ, ‘ସମ୍ୱାଦ ସାହିତ୍ୟଘର’ ପକ୍ଷରୁ ୨୦୧୯ ମସିହା ପରଠୁ ୩୧୪ ବ୍ଲକ୍‌ ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଗଛ ଲଗାଇବା କାର୍ଯ୍ୟକ୍ରମ ଜାରି ରହିଛି। ଇତିମଧ୍ୟରେ ୫ ଲକ୍ଷ ୭୦ ହଜାରରୁ ଅଧିକ ବୃକ୍ଷ ଲାଗିସାରିଲାଣି। ଏଥିରେ ଆମକୁ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ବ୍ୟତୀତ ସାଧାରଣ ଲୋକ ମଧ୍ୟ ସାହାଯ୍ୟ କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇ ଚାରାରୋପଣ କରିବାକୁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ‘ସୋମାକ୍‌’ର ଅଧ୍ୟକ୍ଷ ତଥା ‘ସମ୍ୱାଦ -ଆମ ଓଡ଼ିଶା’ର ସାଧାରଣ ସମ୍ପାଦକ ଅରବିନ୍ଦ ଦାସ, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ସମ୍ୱାଦ ଫିଚର’ ସମ୍ପାଦକ ଧ୍ରୁତିକାମ ମହାନ୍ତି, ବିନୋଦ ପଣ୍ଡା, ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍‌’ର କର୍ମଚାରୀ, ସୋମାକ୍‌ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।