କେନ୍ଦ୍ରାପଡ଼ା: ବିକାଶ କ୍ଷେତ୍ରରେ କେନ୍ଦ୍ରାପଡ଼ାକୁ ଆଗକୁ ନେବାକୁ ପଡ଼ିବ। ଶିଳ୍ପଠୁ ନେଇ ମେଡିକାଲ କଲେଜ, ଜଳସେଚନ ବ୍ୟବସ୍ଥା, ପାନୀୟଜଳ ସମସ୍ୟା, ବଳଦେବଜଜିଉ ମନ୍ଦିରର ବିକାଶ ଯାଏଁ ଯେଉଁସବୁ ଦାବି ରହିଛି, ତାହାକୁ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। ଆଉ ଥରେ କେନ୍ଦ୍ରାପଡ଼ା ଆସିବି। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବି। କେନ୍ଦ୍ରାପଡ଼ାକୁ ଓଡ଼ିଶାରେ ଏକ ନମ୍ବର ଜିଲ୍ଲାରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମଥର କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ଇଚ୍ଛାପୁରସ୍ଥିତ ରଥଦାଣ୍ଡରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମାଉସୀ ମା’ ମନ୍ଦିରରୁ ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରାରେ ଚାଲିଚାଲି ବଳଦେବଜିଉ ମନ୍ଦିରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ଭାରତୀୟ ସେନା ଦ୍ବାରା କରାଯାଇଥିବା ଅପରେସନ୍ ସିନ୍ଦୂରର ସଫଳତା ବର୍ଣ୍ଣନା କରିଥିଲେ। ପରେ ସେ ସର୍କିଟ୍ ହାଉସ୍ରେ ଜିଲ୍ଲାର ପାଞ୍ଚ ବିଧାୟକଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କରିଥିଲେ। ଏହି ବୈଠକରେ ଜଳସମ୍ପଦ ଓ ଶିଳ୍ପର ବିକାଶ, ମେଡିକାଲ କଲେଜ ସ୍ଥାପନ, ବଳଦେବଜିଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରାଯିବା ସହିତ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଇକୋ ଟୁରିଜିମ୍କୁ ତ୍ବରାନ୍ବିତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶିଳ୍ପ ସ୍ଥାପନ, ପର୍ଯ୍ୟଟନର ବିକାଶ ଓ ନବୀକରଣ ଉପରେ ଧୢାନ ଦେବା ଲାଗି ଅଧିକାରୀଙ୍କୁ ପରାମର୍ଶ ଦେବା ସହିତ ମାସକ ଭିତରେ ଏ ସମ୍ପର୍କିତ ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ। ବା˚ଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
୧ ନମ୍ବର ଜିଲ୍ଲା ହେବ କେନ୍ଦ୍ରାପଡ଼ା, ମେଡିକାଲ କଲେଜ ବିଚାରାଧୀନ
ବଳଦେବଜିଉ ମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ବି ଆଲୋଚନା
ବୈଠକ ପରେ ଗଣମାଧୢମକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ରାପଡ଼ାର ଗୁରୁତ୍ବ ଅଧିକ ରହିଛି। ବିଗତ ଦିନରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଆର୍ସେଲର୍ ମିତ୍ତଲ ସମେତ ବିଭିନ୍ନ ଶିଳ୍ପସ˚ସ୍ଥା କେନ୍ଦ୍ରାପଡ଼ାକୁ ଆସିଛନ୍ତି। ମେଡିକାଲ କଲେଜ ଦାବି ସରକାରଙ୍କ ବିଚାରରେ ଅଛି। ଜମ୍ବୁ-ମାର୍ଶାଘାଇ କେନାଲର ବିକାଶ ସହିତ ଜଳସେଚନ ସୁବିଧା ଓ ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଳି ବିଧାୟକ ପ୍ରତାପକେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ଲିଲିତା ବେହେରା, କେନ୍ଦ୍ରାପଡ଼ା ପୌରପାଳିକା ଅଧୢକ୍ଷା ସରିତା ସାହୁଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା କୃଷି ରଥ ଓ ରାଜସ୍ବ ରଥର ଶୁଭାରମ୍ଭ କରିଥିଲେ।