ଭୁବନେଶ୍ବର : ଶୁକ୍ରବାର ଦିନ ଶୂନ୍ୟକାଳରେ ଟାଟା ପାୱାରର ମନମାନି ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଟାଟା ପାୱାର ଉପରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବିଜେପି ବିଧାୟକମାନେ ଦାବି କରିଛନ୍ତି।
ବିରୋଧୀ ଦଳ ନେତା କହିଥିଲେ ଟାଟା କମ୍ପାନି ଯେଉଁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରୁଛି ତାହା ତ ଚୁକ୍ତିରେ ନଥିଲା। ସଂସ୍ଥା କିପରି ସ୍ଥାନୀୟ ଗୁଣ୍ଡାଙ୍କୁ ନିୟୋଜିତ କରି ସାଧାରଣ ଲୋକଙ୍କୁ ଧମକାଇ ବକେୟା ବିଲ୍ ଆଦାୟ କରୁଛି? ବିନା ନୋଟିସ୍ରେ ହଠାତ୍ ଲାଇନ୍ କାଟିଦେଉଛି। ଗୋଟେ ବଲ୍ ଜାଳିଲେ ବି ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଆସୁଛି। ସବୁ ମିଟର ଖରାପ। ଏବେ ପିଲାଙ୍କର ପଢ଼ିବା ସମୟ। ଖରାଦିନ ଆସିଲାଣି। କିଭଳି ମନଇଚ୍ଛା ସଂସ୍ଥା ଲାଇନ୍ କାଟିଦେବ। ଟାଟା କମ୍ପାନି ଚୁକ୍ତି ଖିଲାପ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଏହାପରେ ବାଚସ୍ପତି କହିଥିଲେ, ମୁଁ ଏନେଇ ଅନୁଧ୍ୟାନ କରିବି। ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା କରିବି। ଭବିଷ୍ୟତରେ ଯେଭଳି ସମସ୍ୟାର ସମାଧାନ ହୋଇପାରିବ ସେନେଇ ପଦକ୍ଷେପ ନେବି।
ଶୂନ୍ୟ କାଳରେ ବିଧାୟିକା କୁସୁମ ଟେଟେ କହିଥିଲେ ଯେ, ଆମ ଅଞ୍ଚଳରେ ଟ୍ରାନ୍ସଫର୍ମର ବାରମ୍ବାର ଚୋରି ହୋଇଯାଉଛି। ହେଲେ ଠିକ୍ ସମୟରେ ଟ୍ରାନ୍ସଫର୍ମର ଲାଗୁନି। ୨୪ଘଣ୍ଟା ଭିତରେ ଟ୍ରାନ୍ସଫର୍ମର ଲାଗିବ ବୋଲି ଟାଟା ପାୱାର କହୁଥିଲା, ହେଲେ କାହିଁକି ଲାଗୁନି। ଲୋକ ବହୁତ ହଇରାଣ ହେଉଛନ୍ତି।
ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ, ଟାଟା କମ୍ପାନି ଅଜବ ପ୍ରକାରର ଜରିମାନା ଆଦାୟ କରୁଛି। ଜଣେ ବାଇପାସ୍ କରି ବିଦ୍ୟୁତ ବ୍ୟବହାର କଲେ ୧ଲକ୍ଷ ୨୦ହଜାର ଜରିମାନା କରୁଛି, ଆଉ ଜଣଙ୍କୁ ସମାନ ଭୁଲ୍ ପାଇଁ ୬୦ହଜାର ଜରିମାନା କରୁଛି। ଗୋଟିଏ ଭୁଲ୍ ପାଇଁ କିପରି ଅଲଗା ଅଲଗା ଜରିମାନା ଆଦାୟ ହେଉଛି। ତାହା ପୁଣି ୧୦ରୁ ୨୦ହଜାର ଲାଞ୍ଚ ଦେଇଦେଲେ ସବୁ ଛାଡ଼ ହୋଇଯାଉଛି। ଏହାସା ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ୫ଟି ସ୍କୁଲରୁ ଟାଟା କମ୍ପାନି ଲାଇନ୍ କାଟି ଦେଉଛି। ଫଳରେ ୨ରୁ ୩ମାସ ସ୍କୁଲ ଅନ୍ଧାରେର ରହୁଛି। ଟାଟା ପାୱାର ଆସିବା ଦ୍ବାରା କ’ଣ ସୁବିଧା ହେଲା ଜଣାପଡ଼ୁନି। ବାଚସ୍ପତି କମ୍ପାନି କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରନ୍ତୁ।
ନାଉରୀ ନାୟକ କହିଥିଲେ, ଟାଟା ପାୱାର କହିଥିଲା ଯେଉଁଠି ଟ୍ରାନ୍ସଫର୍ମର ଖରାପ ହେବ ସେଠାରେ ୨୪ଘଣ୍ଟାରେ ନୂଆ ଟ୍ରାନ୍ସଫର୍ମର ଲାଗିବ। ହେଲେ ଟ୍ରାନ୍ସଫର୍ମର ଖରାପ ହେଲେ ସେ ଗାଁରେ କେତେ ବିଦ୍ୟୁତ ବିଲ୍ ବାକି ଅଛି ହିସାବ ହେଉଛି। ଏହାପରେ ୪ରୁ ୫ଲକ୍ଷ ଆଦାୟ କରିକି ନଦେଲେ ଟ୍ରାନ୍ସଫର୍ମର ଲାଗୁନି। ଏହା କି ପ୍ରକାରର ସେବା। ବହୁ ସ୍ଥାନରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବାବେଳେ ଏବେବି ବିନା ମିଟରରେ ଲୋକଙ୍କ ଘରକୁ ବିଲ୍ ଆସୁଛି।