ବୁଢ଼ୀ ମା’କୁ ପାଳି କରି ରଖିବା ଘଟଣା : ରାସ୍ତାକଡ଼ରୁ ଶାଶୂଙ୍କୁ ଘରକୁ ନେଲେ ବିଧବା ସାନବୋହୂ

ଟ୍ୱିଟ୍‌ କରି ସାଂସଦଙ୍କ ହସ୍ତକ୍ଷେପ ନିବେଦନ କଲେ ଅଭିନେତ୍ରୀ ବର୍ଷା
ବାଇଙ୍କୁ ଥଇଥାନ ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ

ପାତ୍ରପୁର : ଯୋଡ଼ା ଆଶ୍ବିନ ପଡ଼ୁଥିବାରୁ ୧୨ ମାସ ପାଳିରେ ରଖୁଥିବା ମା’କୁ କିଏ ପାଖରେ ରଖିବ, ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା ଗ୍ରାମରେ ଦୁଇ ପୁଅଙ୍କ ପରିବାର ଓ ଦୁଇ ବିଧବା ବୋହୂଙ୍କ ମଧ୍ୟରେ ବିବାଦ ଲାଗିଥିଲା। କେହି ନେବାକୁ ରାତି ନ ହେବାରୁ ବିଚରା‌ ୮୦ ବର୍ଷର ବିଧବା ବୃଦ୍ଧା ମା’ ବ୍ୟାଗ୍ ଓ ପୁଟୁଳି ଧରି ରାସ୍ତା କଡ଼ରେ ପଡ଼ି ରହିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ଆଜି ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏଥିସହିତ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ସାନ ବିଧବା ବୋହୂ ଶେଷରେ ଶାଶୂଙ୍କୁ ପାଖରେ ରଖିବାକୁ ରାଜି ହୋଇ ଘରକୁ ନେଇଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏ ଖବର ଦେଖିବା ପରେ ଉଦ୍‌ବେଗ ଓ ଦୁଃଖ ପ୍ରକାଶ କରିବା ସହ ଟ୍ବିଟ୍‌ କରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ହସ୍ତକ୍ଷେପ ନିବେଦନ କରିଥିଲେ। ଏଣେ ତୁମ୍ବା ଗ୍ରାମବାସୀ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି। ଯଦି ମା’କୁ ରଖି ପାରିବନି ତାହେଲେ ପୈତୃକ ସମ୍ପତ୍ତି ଉପରେ ତୁମମାନଙ୍କ କୌଣସି ଅଧିକାର ନାହିଁ ବୋଲି ପୁଅମାନଙ୍କୁ ତାଗିଦ୍‌ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ଅପରାହ୍‌ଣ ୫ଟାରୁ ରାତି ପର୍ଯ୍ୟନ୍ତ ବାଇ ରାଜରାସ୍ତା କଡ଼ରେ ବସି ରହିଥିଲେ। ଗ୍ରାମବାସୀଙ୍କ ବୁଝାସୁଝା ପରେ ସାନ ବିଧବା ବୋହୂ ଶେଷରେ ଶାଶୂଙ୍କୁ ନେଇ ନିଜ ପାଖରେ ରଖିଛନ୍ତି।

୨୦୦୪ରେ ବାଇଙ୍କ ସ୍ବାମୀ ପଦ୍ମଚରଣ ପାଢ଼ୀଙ୍କ ମୃତ୍ୟୁ ହୋଇଥିଲା। ଚାରି ପୁଅ ହରିଶ୍ଚନ୍ଦ୍ର, ପୂର୍ଣ୍ଣଚନ୍ଦ୍ର, କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ର ଓ ଦୁଇ ଝିଅ ବିବାହ କରି ସାରିଛନ୍ତି। ୨୦୦୧ରେ ସାନପୁଅ ରାମଚନ୍ଦ୍ର ଓ ୨୦୦୩ ମସିହାରେ ଦ୍ବିତୀୟ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସମୟ ଚକ୍ରରେ ସମସ୍ତେ ସପରିବାର ଭିନେ ହୋଇ ଯାଇଥିଲେ। ବାଇ ବିଧବା ସାନବୋହୂ ଇନ୍ଦୁମତିଙ୍କ ପାଖରେ ୧୨ ବର୍ଷ ହେଲା ଥି‌ଲେ। ଏହାମଧ୍ୟରେ ଇନ୍ଦୁମତି ତାଙ୍କ ଦୁଇ ଝିଅଙ୍କ ବିବାହ କରିଥିଲେ। ଗତ କିଛି ବର୍ଷ ହେଲା ଆର୍ଥିକ ଓ ପରିବାରିକ ସ୍ଥିତିକୁ ନଜରରେ ରଖି ବାଇଙ୍କୁ ଦୁଇ ପୁଅଙ୍କ ପରିବାର ଓ ଦୁଇ ବୋହୂ ସମେସ୍ତ ମିଳିମିଶି ଓଡ଼ିଆ ମାସରେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳି କରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ପୈତୃକ ସମ୍ପତ୍ତି ଭାଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଗତ ଆଷାଢ଼ ପୂର୍ଣ୍ଣିମାରୁ ଆଶ୍ବିନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଇନ୍ଦୁମତି ଶାଶୂଙ୍କୁ ପାଖରେ ରଖିଥିଲେ। ଏହା ପରେ ପାଳି ଅନୁସାରେ ପୂର୍ଣିମା ଯିବାରୁ ବାଇଙ୍କୁ ନେଇ ଇନ୍ଦୁମତି ବଡ଼ପୁଅ ହରିଶ୍ଚନ୍ଦ୍ରଙ୍କ ପାଖରେ ଛାଡ଼ିଥିଲେ। କିନ୍ତୁ ଯୋଡ଼ା ଆଶ୍ବିନ ପଡ଼ୁଥିବାରୁ ଆଶ୍ବିନ ଆଉ ମାସେ ବାକି ଅଛି, ମୁଁ ମା’କୁ ରଖିବିନି। ନିୟମ ଅନୁସାର‌େ ମୋ ପାଳି ଆହୁରି ଆସିନି ବୋଲି କହି ହରିଶ୍ଚନ୍ଦ୍ର ବାଇଙ୍କୁ ରଖିବାକୁ ରୋକ୍‌ଠୋକ୍ ମନା କରିବା ସହ ଘରେ ନ ପୂରାଇ ରାସ୍ତାରେ ହିଁ ବସାଇ ଦେଇଥିଲେ। ଅପରାହ୍‌ଣ ୫ଟାରୁ ରାତି ପର୍ଯ୍ୟନ୍ତ ବିଚାରୀ ବାଇ ସେମିତି ବ୍ୟାଗ୍ ଓ ପୁଟୁଳି ରଖି ରାସ୍ତାରେ ବସି ରହିଥିଲେ। ଗ୍ରାମବାସୀ ଦୁଇ ପୁଅ ଓ ଦୁଇ ବିଧବା ବୋହୂଙ୍କୁ ଡାକି ବାଇଙ୍କୁ ନେଇଯିବା ଲାଗି ଯୋଡ଼ହସ୍ତ ନିବେଦନ କରିଥିଲେ। ତଥାପି ‌ଅନ୍ୟ ଦୁଇ ପୁଅ ଓ ଆଉ ଜଣେ ବିଧବା ବୋହୂ ତାଙ୍କୁ ନେବାକୁ ଅରାଜି ହୋଇଥିଲେ। ‌ଶେଷରେ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ଇନ୍ଦୁମତି ପୁଣି ବାଇଙ୍କୁ ଘରକୁ ନେଇଥିଲେ।

ଅନ୍ୟପକ୍ଷରେ ଗ୍ରାମବାସୀ ଦୁଇ ପୁଅଙ୍କୁ କହିଛନ୍ତି, ତୁମେ ମାନେ ଯଦି ମା’କୁ ଏଭଳି ଅବସ୍ଥାରେ ଛାଡ଼ିବ ତା’ହେଲେ ସମ୍ପତ୍ତି ଉପରେ ତୁମମାନଙ୍କ ଅଧିକାର ନାହିଁ। ସବୁ ସମ୍ପତ୍ତି ସାନବୋହୂ ନାମରେ କରିଦେବା ଭଲ। ଏନେଇ ଥାନାରେ ଅଭିଯୋଗ କରିବା ଲାଗି ଗ୍ରାମବାସୀ ସାନ ବୋହୂ ଇନ୍ଦୁମତୀ ଓ ତାଙ୍କ ପୁଅଙ୍କୁ ପରାମର୍ଶ ଦେଇଛନ୍ତି। ଏଣେ ଆଜି ଏହି ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ବିଭିନ୍ନ ‌ସ୍ବେଚ୍ଛାସେବୀ ଓ ଅନୁଷ୍ଠାନ ବାଇଙ୍କୁ ନେଇ ରଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅଭିନେତ୍ରୀ ବର୍ଷାଙ୍କ ଟୁଇଟ୍ ପରେ ଲାଇଫ୍‌ ପବ୍ଲିକ୍ ଚାରିଟେବୁଲ୍ କର୍ମକର୍ତ୍ତାମାନେ ପହଞ୍ଚି ବାଇଙ୍କ ସହ ଆଲୋଚନା କରିଥିଲେ। ସେହିପରି ସମ୍ବଲପୁରରୁ ବିପିନ ବିହାରୀ ପଣ୍ଡା ନାମକ ଜଣେ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ତଥା ଆଲବମ୍ ତାରକା ରାଣୀ ପ୍ରିୟଦର୍ଶିନୀ ‘ସମ୍ବାଦ’ ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ବାଇଙ୍କୁ କିଭଳି ସହାୟତା ଯୋଗାଇ ଦିଆଯାଇପାରିବ ଏନେଇ ଆଲୋଚନା କରିଛନ୍ତି। ତେବେ ଘଟଣା ଲୋକଲୋଚନକୁ ଆସିବା ପରେ ବାଇଙ୍କୁ ରଖିବା ଲାଗି ଅନ୍ୟ ଦୁଇ ପୁଅ ଓ ଆଉ ଜଣେ ବିଧବା ବୋହୂ ମଧ୍ୟ ରାଜି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର