ଭୁବନେଶ୍ୱର: କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ଜନ୍ମ ଦେଇଥିବା ବାପା-ମା’ଙ୍କ ମୁହଁକୁ ଅନାଇ ବିବେକର ସହ କାମ କରିବାକୁ ହେବ। ହୋମ କ୍ୱାରେଣ୍ଟାଇନକୁ ସଂପୂର୍ଣ୍ଣ ଭାବେ ଗୁରୁତ୍ୱର ସହିତ ଆମକୁ ମାନିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗ୍‌ଚୀ ଏହା କହିଛନ୍ତି। ହୋମ୍‌ କ୍ୱାରେଣ୍ଟାଇନରେ ଥିବା ବେଳ ପରିବାରର ଗୁରୁତ୍ୱକୁ ସମସ୍ତେ ବୁଝିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisment

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ଘରେ ବସିଲେ ବିରକ୍ତ ଲାଗିବ। ଟିକେ ଟାଇମ ପାସ କରିବା ପାଇଁ ଘର ଭିତରୁ ଗାଡ଼ି ନେଇ ଯଦି ବାହାରୁ ଟିକେ ବୁଲି ଆସିବା ତା’ ହେଲେ ଟାଇମ ପାସ୍‌ ହୋଇଯିବ। କିନ୍ତୁ ଟାଇମ୍‌ ପାସ କରୁ କରୁ ଯଦି ଲାଇଫ ଫେଲ୍‌ ଅର୍ଥାତ ଜୀବନ ବିଫଳ ହୋଇଗଲା, ସେଥିପାଇଁ କିଏ ଦାୟୀ ହେବ।

ଶ୍ରୀ ବାଗ୍‌ଚୀ କହିଛନ୍ତି, ବର୍ଷା ଦିନ ଆସିଯାଇଥିବାରୁ ଥଣ୍ଡା, କାଶ, ଜ୍ୱର ହେବ। ଏହାରି ଭିତରେ ଯଦି କରୋନା ମିଶିଯିବ, ସ୍ଥିତି ଭୟଙ୍କର ହେବ। ତେଣୁ ମାସ୍କ ପିନ୍ଧନ୍ତୁ ଓ ମାସ୍କ ପିନ୍ଧାନ୍ତୁ। ନିଜେ ହାତ ଧୋଇବେ ଓ ଅନ୍ୟମାନଙ୍କୁ ହାତ ଧୋଇବାକୁ ପରାମର୍ଶ ଦେବେ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

କୋଭିଡ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗ୍‌ଚୀ କହିଛନ୍ତି, ଏପ୍ରିଲ ୨୫ରେ ପୂର୍ବ ଭାରତରେ ସଂକ୍ରମଣର ଦାଗ କମ ଥିଲା। କିନ୍ତୁ ଆଜି ସ୍ଥିତି ଖରାପ ହୋଇଯାଇଛି। ଏପ୍ରିଲ ୨୫ରେ ବିଶ୍ୱରେ ୯୫ ଲକ୍ଷ ୧୦ ହଜାର ୭୧୦ ଜଣ ସଂକ୍ରମିତ ଥିଲେ। କିନ୍ତୁ ଆଜି ୧ କୋଟି ୧୦ ଲକ୍ଷ ୨ ହଜାର ୫୧୯କୁ ଛୁଇଁଲାଣି। ବିଶ୍ୱରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୦୧ ହୋଇଥିବା ବେଳେ ୫ ଲକ୍ଷ ୨୪ ହଜାର ୪୩୬ରେ ପହଞ୍ଚିଲାଣି। ଭାରତରେ ୪ ଲକ୍ଷ ୭୨ ହଜାର ୯୮୫ ଜଣ ସଂକ୍ରମି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୬ ଲକ୍ଷ ୨୮ ହଜାର ୨୦୫ ଜଣ ସଂକ୍ରମିତ ହୋଇଛନ୍ତି।

ଅମେରିକାରେ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥା ହୋଇ ନାହିଁ। କିନ୍ତୁ ଭୟ ସହିତ ସାବଧାନକୁ କମାଇ ଦେବା ଓଡ଼ିଶାର ଚିତ୍ର ମଧ୍ୟ ବଦଳି ଯାଇପାରେ।