ଉଠା ଜଳସେଚନ ନିଗମରେ ନୂଆ ଅଧ୍ୟକ୍ଷଙ୍କ ଯୋଗଦାନ

କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ 

ଭୁବନେଶ୍ବର : ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ନିଗମର କାର୍ଯ୍ୟକାରୀ ନିର୍ଦ୍ଦେଶକ ହିମାଦ୍ରୀ ଶେଖର ରାୟ, ଅର୍ଥ ପରାମର୍ଶଦାତା ବିଜୟ ଜେନା, ଅଧୀକ୍ଷକ ଯନ୍ତ୍ରୀ ମାନସ ରଞ୍ଜନ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ପ୍ରକାଶ ସ୍ବାଇଁ ଓ ସହକାରୀ ଯନ୍ତ୍ରୀ ସୁଦର୍ଶନ ଷଡ଼ଙ୍ଗୀଙ୍କ ସମେତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ଶ୍ରୀ ପତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଚେଷ୍ଟା କରିବି। ନଦୀ ଓ ଭୂତଳ ଜଳକୁ କିପରି ଅଧିକ ବ୍ୟବହାର କରାଯାଇ ଚା‌ଷ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ, ସେଥି ପ୍ରତି ଗୁରୁତ୍ବ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ନେଇ ନିଗମ କାର୍ଯ୍ୟ କରିବ। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସରକାରୀ ଦଳ ଉପମୁଖ୍ୟ ସଚେତକ ପ୍ରଣବ କୁମାର ବଳବନ୍ତରାୟ ଓ ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଶ୍ରୀ ପତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଥିଲେ।

କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ 

ଭୁବନେଶ୍ବର : ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଚିନ୍ମୟ ସାହୁ ଯୋଗ ଦେଇଛନ୍ତି। ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଜେନା, ମୁଖ୍ୟ ମହାପ୍ରବନ୍ଧକ ରଞ୍ଜନ କୁମାର କର, ମହାପ୍ରବନ୍ଧକ(ଅର୍ଥ) ଶୁଭଶ୍ରୀ ନାୟକ, ଉପ ମହାପ୍ରବନ୍ଧକ(ପ୍ରଶାସନ) ନିରୂପମା ସ୍ବାଇଁ ଓ ଉପ ମହାପ୍ରବନ୍ଧକ(ନିର୍ମାଣ) ମଦନ ମୋହନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ନୂଆ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ, ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ବିପଣନ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଓ ତାହାର ମାନଦଣ୍ଡ ବଢ଼ାଇବା ସହ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯିବ। ନିଗମକୁ ‘ସ୍ବର୍ଣ୍ଣ ଶ୍ରେଣୀ’ ଭୁକ୍ତ କରାଯିବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ। ସାଂସଦ ଅନୁଭବ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କୁ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର