ଡିଜିଟାଲ୍‌ ଦୁନିଆକୁ ନିଜ ନିୟନ୍ତ୍ରଣରେ ରଖ: ନିଲେକାନି

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ

ଶାନ୍ତ ରହିବା କଳା ଶିଖିବାକୁ ହେବ
ଫୋନ୍‌ଠାରୁ କିଛି ସମୟ ଦୂରେଇ ରହିଲେ ଭଲ

ଭୁବନେଶ୍ୱର : ନୂତନ ପ୍ରଯୁକ୍ତିର ଆବିର୍ଭାବ ଲୋକମାନଙ୍କ ଜୀବନକୁ ବେଶ୍‌ ସହଜ କରିପାରିଛି। ପ୍ରଯୁକ୍ତି ଜୀବନକୁ ଉନ୍ନତ ସୋପାନରେ ପହଞ୍ଚାଇଛି। ଲୋକମାନଙ୍କୁ ଅଧିକ ଦକ୍ଷ ମଧ୍ୟ କରିଛି। କିନ୍ତୁ ଆଜିର ଡିଜିଟାଲ୍‌ ଦୁନିଆ ମଣିଷ ଜୀବନର ମୂଳତତ୍ତ୍ବ ପ୍ରତି ବିପଦ ସୃଷ୍ଟି କରିଛି। ଏହା ଲୋକମାନଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଉଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ପ୍ରାୟ ସବୁବର୍ଗର ଲୋକ ଡିଜିଟାଲ୍‌ ଦୁନିଆରେ ପ୍ରବେଶ କରିବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଉଛନ୍ତି। ସେମାନେ ଚାହୁଥିଲେ ମଧ୍ୟ ଏହି ଦୁନିଆଠାରୁ ନିଜକୁ ଦୂରରେ ରଖି ପାରୁନାହାନ୍ତି। ସ୍ମାର୍ଟଫୋନ୍ ଓ କିଛି ଆପ୍‌ ଲୋକଙ୍କୁ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସମୟ ଫୋନ୍‌ ନଦେଖିଲେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ ଡିଜିଟାଲ୍‌ ଦୁନିଆ ଆମ ଜୀବନକୁ ନିୟନ୍ତ୍ରଣ କରିବା ପୂର୍ବରୁ ଆମେ ତାହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିବା ଦରକାର ବୋଲି ଇନ୍‌ଫୋସିସ୍‌ର ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନି କହିଛନ୍ତି। ଭୁବନେଶ୍ବର କ୍ଲବ୍‌ରେ ଅନୁଷ୍ଠିତ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଦିବସର ପ୍ରଥମ ଅଧିବେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ପୁସ୍ତକ ‘ଦି ଆର୍ଟ ଅଫ୍ ବିଟ୍‌ଫୁଲ୍‌ନେସ୍‌’ ଉପରେ ସହ-ଲେଖକ ତନୁଜ ଭୋଜୱାନି ଓ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସହ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନା ବେଳେ ସେ ଏହା କହିଛନ୍ତି।

ଏହି ପୁସ୍ତକ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ବୋଲି ମୋନିକା ପଚାରିଥିବା ପ୍ରଶ୍ନର ଉତ୍ତରରେ ନିଲେକାନି କହିଛନ୍ତି ଯେ କିଛି ବର୍ଷ ଧରି ଲୋକମାନେ ଡିଜିଟାଲ୍ ଦୁନିଆରେ ବେଶ୍‌ ସକ୍ରିୟ ରହିଛନ୍ତି। କରୋନା ମହାମାରୀ ପରେ ତାହା ଆହୁରି ବଢ଼ିଯାଇଛି। ଏବେ ଡିଜିଟାଲ୍ ଦୁନିଆ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଲୋକମାନେ ଏବେ ଅଧିକ ଅନ୍ୟମନସ୍କ ରହୁଛନ୍ତି। ଗୋଟିଏ କାମ କରିବାକୁ ବାହାରିବା ବେଳେ ଫୋନ୍‌ରେ କିଛି ମେସେଜ୍ ଦେଖିବା ପରେ ସେମାନେ ସେହି କାମକୁ ଭୁଲି ଯାଉଛନ୍ତି। ସେଭଳି ସମସ୍ୟା ନିଜେ ସାମ୍ନା କରିବା ପରେ ନିଲେକାନି ଏହି ପୁସ୍ତକ ଲେଖିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଁ ୫୫ବର୍ଷ ବୟସରେ ସ୍ମାର୍ଟଫୋନ୍ ବ୍ୟବହାର ଆରମ୍ଭ କରିଥିଲି ଓ ତନୁଜ ୨୧ବର୍ଷ ବୟସରେ ସ୍ମାର୍ଟଫୋନ୍ କିଣିଥିଲେ। ବୟସ ଦୃଷ୍ଟିରୁ ଆମେ ପରସ୍ପରଠାରୁ ଅଲଗା ହୋଇଥିବା ବେଳେ ଆମ ଅନୁଭୂତି ମଧ୍ୟ ଭିନ୍ନ। ଡିଜିଟାଲ୍ ଦୁନିଆରେ ଲୋକମାନେ ନିଜକୁ କିଭଳି ଶାନ୍ତ ରଖିପାରିବେ ଓ ବାସ୍ତବ ଦୁନିଆକୁ ଭଲ ଭାବେ ଉପଭୋଗ କରିପାରିବେ, ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଏହି ପୁସ୍ତକରେ ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ତନୁଜ କହିଛନ୍ତି ଯେ ଆମେ ପ୍ରଯୁକ୍ତିକୁ ବିରୋଧ କରୁନାହୁଁ। ତାହା ଲୋକଙ୍କଠାରୁ ଦୂରେଇଯାଉ ବୋଲି ମଧ୍ୟ ଚାହୁ ନାହୁଁ। ଆଇଆଇଟି ବମ୍ବେ ଭଳି ଅନୁଷ୍ଠାନରେ ପାଠ ପଢ଼ିଥିବାରୁ ପ୍ରଯୁକ୍ତିକୁ ଆମେ ବହୁତ ଭଲପାଉ। ସାରା ଦୁନିଆକୁ ବଦଳାଇ ଦେବାର ଶକ୍ତି ତାହା ପାଖରେ ରହିଛି। ମାତ୍ର ଡିଜିଟାଲ୍ ଦୁନିଆରେ ମାତ୍ରାଧିକ ସୂଚନା, ମିଥ୍ୟା ଖବର ଓ ରାଜନୀତିକୁ ନେଇ ବିଭିନ୍ନ ଚର୍ଚ୍ଚା ଲୋକମାନଙ୍କ ସାଧାରଣ ଜୀବନକୁ ପ୍ରଭାବିତ କରୁଛି। ସେମାନେ କିଭଳି ନିଜ କାମ ପ୍ରତି ମନସ୍କ ରହିପାରିବେ ସେଥିପାଇଁ କିଛି ପରାମର୍ଶ ପୁସ୍ତକରେ ପ୍ରଦାନ କରାଯାଇଛି।

ଡିଜିଟାଲ ଭୋଜନ ବା ଡିଜିଟାଲ ପରିମଳ ସମ୍ପର୍କିତ ମୋନିକାଙ୍କ ପ୍ରଶ୍ନର ଉତ୍ତରରେ ନିଲେକାନି କହିଛନ୍ତି ଯେ ଡିଜିଟାଲ୍ ଦୁନିଆରେ କିଭଳି ନିଜକୁ ଶାନ୍ତ ରଖି ହେବ, ସେହି କଳା ଲୋକମାନଙ୍କୁ ଶିଖିବାକୁ ହେବ। ପ୍ରତିଦିନ ଆମେ ଯେଭଳି ଦାନ୍ତ ସଫା କରୁ‌ଛେ, ସେଭଳି ଶୋଇବା ପୂର୍ବରୁ ଡିଜିଟାଲ୍ ଦୁନିଆର ସବୁ କାମ ଶେଷ କରିବାକୁ ହେବ। ଏହି ସମସ୍ୟା ଏଡ଼ାଇବା ଲାଗି ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। କିଛି ସମୟ ବାହାର କରି ଧ୍ୟାନ କରିବା କିମ୍ବା କିଛି ନକରି କେବଳ ବସିବାକୁ ହେବ। ଯଦିଓ ଏହା କଷ୍ଟକର, କିନ୍ତୁ ସ୍ମାର୍ଟଫୋନ୍‌ଠାରୁ ନିଜକୁ କିଛି ସମୟ ଦୂରେଇ ରଖିବା ଲାଗି ଉଦ୍ୟମ କରିବାକୁ ପଡ଼ିବ। କୌଣସି ପାଠାଗାର, ପାର୍କ କିମ୍ବା ସାର୍ବଜନୀନ ସ୍ଥାନକୁ ଯିବା ବେଳେ ଆମେ ଯେଭଳି ସ୍ବାଭାବିକ ଭାବେ ବ୍ୟବହାର ପ୍ରଦର୍ଶନ କରିଥାଉ, ଡିଜିଟାଲ୍‌ ଦୁନିଆ ସେହି ମୂଳ ସ୍ବଭାବ ପ୍ରତି ବିପଦ ସୃଷ୍ଟି କରିଛି। କୋଡିଂ ଜରିଆରେ ପ୍ରସ୍ତୁତ ହୋଇଥିବା କିଛି ଆପ୍ ଆମ ଜୀବନକୁ ନିୟନ୍ତ୍ରଣ କରିବା ଠିକ୍ ନୁହେଁ ବୋଲି ନିଲେକାନି କହିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଲୋକମାନେ ବିଭିନ୍ନ କାମ ଲାଗି ଅଲଗା ଅଲଗା ପ୍ରୋଫାଇଲ୍‌ ତିଆରି କରି ତାହାକୁ ବ୍ୟବହାର କଲେ ତାଙ୍କ ତଥ୍ୟ ଅନ୍ୟ ପାଖରେ ସହଜରେ ପହଞ୍ଚି ପାରିବନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର