ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସୂଚନା ପାଇଲା ମାତ୍ରେ ତୁରନ୍ତ ପଦକ୍ଷେପ ନେବାକୁ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଯେକୌଣସି ଖବରକୁ ଗୁରୁତ୍ୱ ଦେବା ସହିତ ସେ ଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶିତ ଖବର ଉପରେ ଅନୁଧ୍ୟାନ କରି ରୋଗର କାରଣ, ନିରାକରଣ ଲାଗି ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ତୁରନ୍ତ ଜଣାଇବା ଲାଗି କୁହାଯାଇଛି । ଏହା ଯେଭଳି ମହାମାରୀ ରୂପ ଗ୍ରହଣ ନକରେ ସେ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି ।

ଆଜି ରାଜ୍ୟ ସଚିବାଳୟ ଠାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବାତ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଆଲୋଚନା ସମୟରେ ଡାକ୍ତର ମେହେର୍ଦ୍ଦା ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତିି ଯେ ବାତ୍ୟା ପରେ ପରେ ସାଧାରଣତଃ କେତେକ ସ୍ଥାନରେ ମ୍ୟାଲେରିଆ, ଝାଡାବାନ୍ତି, ଥଣ୍ଡାଜ୍ୱର ଭଳି ରୋଗ ଦେଖିବାକୁ ମିଳିଥାଏ । ବିଭିନ୍ନ ସ୍ଥାନରୁ ଏ ସଂକ୍ରାନ୍ତୀୟ ଖବର ମାନ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ତେବେ ଏ ସବୁ ଖବର ଜାଣିବାପାଇଁ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ସମନ୍ଵିତ ରୋଗ ସର୍ବେକ୍ଷଣ ସେଲ୍‌ ସଜାଗ ରହିବା ଆବଶ୍ୟକ । କେବଳ ଗଣମାଧ୍ୟମ ଖବର ନୁହେଁ, ଅନ୍ୟ ଯେକୌଣସି ସୂତ୍ରରୁ ଖବର ପାଇବା ମାତ୍ରେ ଏହି ସେଲ୍‌ ତାହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ବି କୁହାଯାଇଛି ।

ପ୍ରକାଶିତ ଖବର ପାଇବା ମାତ୍ରେ କେଉଁ ଅଂଚଳରେ କି ପ୍ରକାର ରୋଗ କେଉଁ ପରିସ୍ଥିତିରେ ଦେଖାଦେଇଛି ଓ ତାହାର ନିରାକରଣ ଲାଗି କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତୁରନ୍ତ ତାହାର ରିପୋର୍ଟ ଦେବାକୁ ଡାକ୍ତର ମେହେର୍ଦ୍ଦା କହିଛନ୍ତି । ଏହି ରିପୋର୍ଟ ପାଇବାପରେ ବିଭାଗ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ରୋଗ ଠାରୁ ଦୂରେଇ ରହିବା ଲାଗି ବାତ୍ୟାଂଚଳ ଗୁଡିକରେ ଲୋକେ କିଭଳି ପରିଷ୍କାର ପରିଚ୍ଛନ୍ନ ବିଶେଷକରି ଖାଇବା ପୂର୍ବରୁ ଓ ଶୌଚହେବା ପରେ ଭଲଭାବେ ହାତକୁ ପରିଷ୍କାର କରିବା, ବିଶୁଦ୍ଧ ପାନୀୟଜଳ ବ୍ୟବହାର କରିବା, ବିଶୋଧିତ ଜଳରେ ସ୍ନାନ କରିବା, ମଶାଙ୍କ ଠାରୁ ଦୂରେଇ ରହିବା, ତଟକା ଖାଦ୍ୟ ଖାଇବା ଆଦି ଉପରେ ସେମାନଙ୍କୁ ଠିକଣା ଭାବେ ସଚେତନ କରିବାକୁ କୁହାଯାଇଛି ।

ପ୍ରକାଶ ଥାଉକି ବାତ୍ୟା ପରବର୍ତୀ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ପାନୀୟଜଳ ବିଶୋଧନ ପାଇଁ ଲୋକଙ୍କୁ ପ୍ରଚୁର ପରିମାଣରେ ହାଲୋଜେନ ଓ କ୍ଲୋରିନ ବଟିକା ବଂଟନ ହେଉଥିବାବେଳେ ଗାଁ କଲ୍ୟାଣ ସମିତି ସହଯୋଗରେ ସଫେଇ କାର୍ଯ୍ୟ ଜାରି ରହିଛି । ଏଥି ସହିତ ମୁକ୍ତ ଜଳାଶୟ ଗୁଡିକୁ ମଧ୍ୟ ବିଶୋଧନ କରାଯାଉଛି । ଗାଁ ଗହଳରେ ମଶାବଂଶ ନିୟନ୍ତ୍ରଣ ଲାଗି ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଆଲୋଚନାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟନାୟକ, ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ହର ପ୍ରସାଦ ପଟନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର