ଜାଗା ନେଲେ, ହୋଟେଲ୍ କଲେନି

ରାଜ୍ୟରେ ଅଛି ୧୮୬୪ ହୋଟେଲ୍, ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଦାବି ଉଠିଲା

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଟେଲ୍ କରିବା ପାଇଁ ଇଡ୍‌କୋ ପକ୍ଷରୁ ୭୭ଟି ସଂସ୍ଥାକୁ ଜାଗା ପ୍ରଦାନ କରାଯାଇଛି। ତାହା ମଧ୍ୟରୁ ୧୪ଟି ସଂସ୍ଥା ଜାଗା ନେଇ ବର୍ଷ ବର୍ଷ ଧରି ହୋଟେଲ୍ କରି ନାହାନ୍ତି। ସେମାନଙ୍କ ମଧ୍ୟରୁ କିଛି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା ବେଳେ ଆଉ କିଛି ସଂସ୍ଥାର ଜାଗା ବାତିଲ୍ କରାଯାଇଛି। ଦୁଇଟି ସଂସ୍ଥା ହୋଟେଲ୍ ବଦଳରେ ଅନ୍ୟ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଆଜି ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଉତ୍ତର ଦେଇଛନ୍ତି।

ଆଜି ବିଧାନସଭାର ଶୀତ ଅଧିବେଶନର ପଞ୍ଚମ ତଥା ଶେଷ ଦିବସରେ ପ୍ରଶ୍ନକାଳ ସ୍ବାଭାବିକ ଭାବେ ଚାଲିଥିଲା। ବିଧାୟକ ନବ କିଶୋର ଦାସ ଓଡ଼ିଶାରେ ହୋଟେଲ୍ ଶିଳ୍ପର ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ମନ୍ତ୍ରୀଙ୍କ ଉତ୍ତର ଥିଲା, ରାଜ୍ୟରେ ବର୍ତ୍ତମାନ ୧୮୬୪ ଛୋଟ, ବଡ଼ ହୋଟେଲ୍ ରହିଛି। ପର୍ଯ୍ୟଟନ ବିଭାଗ ତରଫରୁ ହୋଟେଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ସଂସ୍ଥାକୁ ଜମି ପ୍ରଦାନ କରାଯାଇ ନାହିଁ। ସାଧାରଣ ପ୍ରଶାସନ ବିଭାଗ, ଇଡ୍‌କୋ, ବିଡିଏ ଓ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଦ୍ବାରା ଜମି ଆବଣ୍ଟନ କରାଯାଉଛି। ଇଡ୍‌କୋ ବିଭିନ୍ନ ଶିଳ୍ପାଞ୍ଚଳରେ ୭୭ଟି ହୋଟେଲ୍ ଶିଳ୍ପକୁ ଜମି ପ୍ରଦାନ କରିଛି। ଏହା ମଧ୍ୟରୁ ୧୪ ଜଣ ଶ‌ି‌ଳ୍ପୋଦ୍ୟୋଗୀ ହୋଟେଲ୍ ପ୍ରତିଷ୍ଠା କରି ନାହାନ୍ତି। ଏହା ବାଦ୍ ଭୁବନେଶ୍ବରରେ ହୋଟେଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ ବିଡିଏ ତରଫରୁ ଇ-ଅକ୍ସନ୍ ମାଧ୍ୟମରେ ୫ଟି ସଂସ୍ଥାକୁ ଜମି ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭୁବନେଶ୍ବରରେ ହୋଟେଲ୍ ପ୍ରତିଷ୍ଠା ପାଇଁ ୩ଟି ସଂସ୍ଥାକୁ ଜାଗା ଦିଆଯାଇଛି। ପର୍ଯ୍ୟଟନ ନୀତି ୨୦୧୩ ଓ ୨୦୧୬ ଅନୁଯାୟୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ସିଙ୍ଗଲ୍‌ ୱିଣ୍ଡୋ କ୍ଳିୟରାନ୍ସ ମ‌ାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩୬ଟି ହୋଟେଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ କରାଯାଇଛି। ଏହି ଅନୁମୋଦିତ ଶିଳ୍ପ ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଟେଲ୍ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ‌େଶଷ କରିବା ପାଇଁ ବିଭାଗ ପକ୍ଷରୁ ନିୟମିତ ଯୋଗାଯୋଗ କରାଯାଉଛି।

ପଶ୍ଚିମ ଓଡ଼ିଶାର ବିଧାୟକ ଅତିରିକ୍ତ ପ୍ରଶ୍ନ କରି ସେଠାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ନେଇ ଦାବି ଉଠାଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବଲାଙ୍ଗୀରରେ ଥିବା ଭୀମପାହାଡ଼ରେ ୬୩ଟି ପ୍ରାକୃତିକ ଗୁମ୍ଫା ରହିଛି। ତାହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି ଓ ତାହାର ବିକାଶ ପାଇଁ ୭ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ କାମ କଚ୍ଛପ ଗତିରେ ଚାଲିଛି। ବିଭାଗରେ କେଉଁଠି ନା କେଉଁଠି ଅବହେଳା ରହୁଛି। ସେଠାକୁ ପର୍ଯ୍ୟଟକ ସଂଖ୍ୟା ବଢ଼ୁଥିଲେ ବି ସର୍ବନିମ୍ନ ସୁବିଧା ନ ଥିବାରୁ ସେମାନେ ଅସୁବିଧା ଭୋଗୁଛନ୍ତି। ରାଣିପୁର ଝରିଆଲରେ ପାନ୍ଥଶାଳା ଅଛି, କିନ୍ତୁ କାମ କରୁନି। ହରିଶଙ୍କର ପାନ୍ଥଶାଳାରେ କେନ୍ଦ୍ରୀୟ ସୁରକ୍ଷା ବଳ ରହୁଛନ୍ତି। ଏ ଦିଗରେ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର କହିଥିଲେ। ମନ୍ତ୍ରୀ କହିଥିଲେ, ଭୀମପାହାଡ଼ରେ କିଛି ଜଙ୍ଗଲ ଜମି ଥିବାରୁ କାମ ବିଳମ୍ବ ହୋଇଥିଲା। ଖୁବ୍ ଶୀଘ୍ର ଏକ ସମୀକ୍ଷା ବୈଠକ କରି କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯିବ। ରାଣିପୁର ଝରିଆଲ, ହରିଶଙ୍କର ଆଦି ଅଞ୍ଚଳର ବିକାଶକୁ ନେଇ କେନ୍ଦ୍ରରୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ରକୁ ଡିପିଆର୍ ପଠାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ତାହାକୁ ମଞ୍ଜୁର କଲେ ନାହିଁ। ହରିଶଙ୍କର ପାନ୍ଥଶାଳାରୁ ପୁଲିସ୍‌ ବାହିନୀଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କ ସହ ପତ୍ରାଳାପ ଚାଲିଛି।

କନକ ବର୍ଦ୍ଧନ ସିଂହଦେଓ ରାଣିପୁର ଝରିଆଲ ଓ ହରିଶଙ୍କରର ବିକାଶ କଥା ଉଠାଇଥିଲେ। ରାଜ୍ୟ ସରକାର ଡିପିଆର୍ ଦେବାରେ ବିଳମ୍ବ ହେବାରୁ କେନ୍ଦ୍ର ସରକାର ମଞ୍ଜୁର କଲେ ନାହିଁ। ତେଣୁ ସରକାର ଆଉ ଥରେ ଡିପିଆର୍ ପଠାଇବାକୁ ସେ କହିଥିଲେ। ନୃସିଂହନାଥର ବିକାଶ ପାଇଁ ପ୍ରଦୀପ ପୁରୋହିତ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ନୃସିଂହନାଥରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କଟେଜ୍ ନିର୍ମାଣ ହେଉଛି। କାମ ସରିଲେ ତାହା ମନ୍ଦିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଉଛନ୍ତି ‌େବାଲି ମନ୍ତ୍ରୀ କହିଥିଲେ।

ଅମର ଶତପଥୀ ପଥରରାଜପୁରରେ ପାନ୍ଥଶାଳା କାର୍ଯ୍ୟକ୍ଷମ ହେଉ ନ ଥିବା କହିଥିଲେ। ଅତନୁ ସବ୍ୟସାଚ୍ଚୀ ନାୟକ ହୁକିଟୋଲା-ବତୀଘରରେ ଇକୋ-ପର୍ଯ୍ୟଟନର ବିକାଶ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ସଞ୍ଜୟ ଦାସବର୍ମା ସାତପଡ଼ା ପାନ୍ଥନିବାସ ନିକଟରେ ଥିବା ପୁଲ୍ ନଷ୍ଟ ହୋଇଯାଇଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦେବାଶିଷ ନାୟକ ପର୍ଯ୍ୟଟନର ବିକାଶ ପାଇଁ ଟାସ୍କଫୋର୍ସ ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ। ଅଂଶୁମାନ ପଟ୍ଟନାୟକ ଭିତରକନିକାରେ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ଯୋଗାଇବା ପ୍ରସଙ୍ଗ ଉଠାଇଥିଲେ। ପ୍ରିୟଦର୍ଶୀ ମିଶ୍ର ଓ ପ୍ରଭାତ ବିଶ୍ବାଳ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର