ନୀଳଗିରି: ଜଗତର ନାଥ ଶ୍ରୀଜଗନ୍ନାଥ ବିଭିନ୍ନ ସ୍ଥାନରେ; ବିଭିନ୍ନ ରୂପରେ ପୂଜା ପାଉଛନ୍ତି। ପ୍ରତିବର୍ଷ ନାନା ଢଙ୍ଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ସଂପନ୍ନ ହେଉଛି। ବାଲେଶ୍ବର ଜିଲ୍ଲା ଅଧୀନ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ଟଣା ଯାଇଥାଏ। ଏକଦା ନୀଳଗିରି ଏକ ଗଡ଼ଜାତ ରାଜ୍ୟ ଥିଲା। ଗରଡ଼ିଠାରେ କାର୍ଯ୍ୟ କରୁଥିଲା ଏହାର ରାଜଧାନୀ। ତତ୍କାଳୀନ ପୁରୀ ରାଜା ପୁରୁଷୋତ୍ତମ ଦେବ ନୀଳଗିରି ଗଡ଼ଜାତ ରାଜ୍ୟର କୁଡୁମୀ ରାଜା ନାରାୟଣ ବସନ୍ତ ବିରାଟ ଭୁଜଙ୍ଗ ମାନଧାତାଙ୍କୁ ଉତ୍ତର ଓଡ଼ିଶାର ସେନାପତି ଦାୟିତ୍ୱ ଅର୍ପଣ କରିଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଓ ଶାସନ କ୍ଷମତା ଦେଖି ସେ ନିଜ ଭଉଣୀ କଲରା ଦେବୀଙ୍କୁ ବସନ୍ତ ବିରାଟଙ୍କ ସହ ବିବାହ ଦେଇଥିଲେ। କଲରା ଦେବୀ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିବାରୁ ତାଙ୍କ ଅନୁରୋଧକ୍ରମେ ବିରାଟ ଭୁଜଙ୍ଗ ଗରଡ଼ିଠାରେ ଦଧିବାମନଜିଉଙ୍କୁ ସ୍ଥାପନ କରାଇଥିଲେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ପରବର୍ତ୍ତୀ ସମୟରେ ନୀଳଗିରିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଦଧିବାମନ ଜିଉ ଦାରୁଦେବତା ଭାବେ ଅବସ୍ଥାପିତ ହୋଇଥିଲେ। ପୁରୀ ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ଠାକୁରଙ୍କ ସମାନ ରୀତିନୀତି ହୋଇଥାଏ। ସେହିପରି ପ୍ରତିବର୍ଷ ଶ୍ରୀଜିଉମାନେ ମନ୍ଦିର ବାହାରକୁ ଆସି ରଥରେ ଯାତ୍ରା କରନ୍ତି ଏବଂ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ଅମଳରେ; ୧୭୫୦ ମସିହା ବେଳକୁ ନୀଳଗିରି ରଥଯାତ୍ରା ଆରମ୍ଭ ହୋଇଥିଲା। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ଗୋଟିଏ ଦିନ ରଥଯାତ୍ରା ପରମ୍ପରା ଚାଲିଥିଲା। ହେଲେ ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଜତ୍ବ ସମୟରୁ ରଥଯାତ୍ରା ୩ ଦିନ ହେଉଛି। ପ୍ରଥମ ଦିନ ପହଣ୍ଡି ହୋଇଥାଏ। ଦ୍ବିତୀୟ ଦିନ ଅଧା ଏବଂ ତୃତୀୟ ଦିନ ସଂପୂର୍ଣ୍ଣ ରଥ ଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚେ। ତେବେ ନୀଳଗିରି ରଥଯାତ୍ରାର ଦୁଇଟି ସ୍ବାତନ୍ତ୍ର୍ୟ ରହିଛି। ଗୋଟିଏ ହେଲା; କେବଳ ନୀଳଗିରିରେ ରାଜା ରତ୍ନସିଂହାସନ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଛେରାପହଁରା କରିଥାଆନ୍ତି। ସେହିପରି ଅନ୍ୟଟି ହେଉଛି; ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ରଥ ନିର୍ମାଣ ହୋଇଥାଏ।
ଏନେଇ ବର୍ତ୍ତମାନର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହନ୍ତି, ନୀଳଗିରି ରଥଯାତ୍ରା ଅନନ୍ୟ।
ଶ୍ରୀଜିଉମାନେ ଯାତ୍ରା କରିବା ବେଳେ ୩ ଦିନ ଧରି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସବୁଠି ରଥ ଉପରେ ଛେରାପହଁରା ହେଉଥିବା ବେଳେ ନୀଳଗିରିରେ ଠାକୁରଙ୍କ ସିଂହାସନ ନିକଟରୁ ହିଁ ରାଜା ଛେରାପହଁରା କରନ୍ତି। ଏହା ଭଗବାନଙ୍କ ପରମ ସେବାର ଏକ ବଡ଼ ଅବସର।
ସେହିପରି ସେବାୟତ ବ୍ରହ୍ମା ପୁଣ୍ୟଶ୍ଳୋକ ନନ୍ଦ କହନ୍ତି, ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ଅପୂର୍ବ ଶୋଭାମଣ୍ଡନ କରେ। ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ବନି ଓ କୀର୍ତ୍ତନ ପାହାଡ଼ ଛାତିରେ ବାଜି ପ୍ରତିଫଳିତ ହୋଇଥାଏ। ରଥଯାତ୍ରା ସମୟରେ ଗୁଣ୍ଡିଚା ମା’ଙ୍କ ମନ୍ଦିରରେ ଥିବା ୯ଟି ଚୂଡ଼ା ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।