ଆଦିବାସୀ ଯୁବତୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ: ପୀଡ଼ିତା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

୫ ହଜାର ଦେଇ ମାମଲା ରଫାଦଫା ଉଦ୍ୟମ, ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ଭଣ୍ଡବାବା ଗିରଫ

ବଡ଼ସାହି/ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନ‌ା ଅଞ୍ଚଳରେ ଜନୈକା ଆଦିବାସୀ ଦିବ୍ୟାଙ୍ଗ ଯୁବତୀ(୨୦)ଙ୍କୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ପୀଡ଼ିତା ଯୁବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏ ନେଇ ଗାଁରେ ବସିଥିବା ପ୍ରଜାକୋର୍ଟରେ ମାମଲା ରଫାଦଫା କରିବା ପାଇଁ ଉଦ୍ୟମ କରିଛି ଅଭିଯୁକ୍ତ। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତକୁ ଆଜି ଗିରଫ କରିଛି ବଡ଼ସାହି ପୁଲିସ।

ଅଭିଯୋଗ ଅନୁଯାୟୀ, ଗତ ୨୦ ତାରିଖରେ ଦିବ୍ୟାଙ୍ଗ ଯୁବତୀ ଓ ତାଙ୍କ ପିଉସୀ ଘରେ ଥିବା ବେଳେ ପରିବାର ବର୍ଗ ଗାଁ ଠାକୁରାଣୀଙ୍କ ପୂଜାରେ ସାମିଲ ହେବାକୁ ଯାଇଥିଲେ। ମଧ୍ୟାହ୍ନରେ ପିଉସୀ ଗାଧୋଇବାକୁ ଯାଇଥିବା ବେଳେ ଏହି ସୁଯୋଗରେ ଆତ୍ମଘୋଷିତ ଭଣ୍ଡବାବା ଜାଠାରାମ ମୁର୍ମୁ ଯୁବତୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଘରକୁ ଫେରିବା ପରେ ଯୁବତୀ ଜଣକ କାନ୍ଦି କାନ୍ଦି ସବୁକଥା କହିଥିଲେ। ଘଟଣା ବାବଦରେ ପରିବାର ଲୋକ ଗାଁରେ ଜଣାଇବା ପରେ ୨୩ ତାରିଖରେ ଗ୍ରାମବାସୀଙ୍କ ଉପସ୍ଥିତିରେ ବସିଥିଲା ପ୍ରଜାକୋର୍ଟ। ପୀଡ଼ିତାଙ୍କ ଭାଇଙ୍କ କହିବା ଅନୁଯାୟୀ ମାମଲା ରଫାଦଫା ପାଇଁ ବୈଠକରେ ନିଷ୍ପତ୍ତି ହେବା ସହ ଅଭିଯୁକ୍ତକୁ ୯୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ତେବେ ଅଭିଯୁକ୍ତ ଜଣକ ୫ ହଜାର ଟଙ୍କା ଦେଇ ଖସି ଯାଇଥିଲା। ଏଥିସହ ମାମଲାକୁ ଆଗକୁ ନବଢ଼ାଇବା ପାଇଁ ପୀଡ଼ିତାଙ୍କ ପରିବାରକୁ ଗ୍ରାମସଭାରେ କୁହାଯାଇଥିଲା।

ଅନ୍ୟପଟେ ଆଜି ଉକ୍ତ ଯୁବତୀଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନା ଆଣିଥିଲେ। ସ୍ଥାନୀୟ ଦିବ୍ୟାଙ୍ଗ ସଂଘ ଏ ସମ୍ପର୍କରେ ଜାଣିପାରି ମୟୂରଭଞ୍ଜ ଏସ୍‌ପିଙ୍କୁ ଖବର ଦେଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଟାଉନ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବଡ଼ସାହି ପୁଲିସ ଏକ ମାମଲା ରୁଜୁ କରି ଭଣ୍ଡବାବା ଜାଠାରାମକୁ ଗିରଫ କରିଛି।

ସମ୍ବନ୍ଧିତ ଖବର