ଯାଜପୁରଟାଉନ/ସଦର/ଦଶରଥପୁର: ବିକାଶ ଆଳରେ ମାନବ ସମାଜ ଏବେ ଯେଉଁଭଳି ଗଛଲତା, ଜଙ୍ଗଲ, ପାହାଡ଼, ନଦୀ, ଝରଣା ତଥା ପ୍ରାକୃତିକ ସମ୍ପଦକୁ ନଷ୍ଟ କରିଚାଲିଛି ତାହା ଚିନ୍ତାଜନକ। ଜଳବାୟୁ ପରିବର୍ତ୍ତନ ଏବେ କେବଳ ବୈଶ୍ବିକ ସମସ୍ୟା ନୁହେଁ, ଛୋଟଛୋଟ ଗାଁରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଏ ଦିଗରେ ‘ସମ୍ବାଦ’ର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଉଲ୍ଲେଖନୀୟ। ବର୍ତ୍ତମାନ ପରିସ୍ଥିତିରେ ପରିବେଶର ଯତ୍ନ ନେବା ସବୁଠୁ ଶ୍ରେଷ୍ଠ କର୍ମ ବୋଲି ଶୁକ୍ରବାର ଯାଜପୁର ସହର ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ।
ଆଲୋଚନାରେ ଭାଗ ନେଇ ବରିଷ୍ଠ ଶିକ୍ଷାବିତ୍ ପଣ୍ଡିତ ଭୂପତିଭୂଷଣ ମିଶ୍ର ପ୍ରତ୍ୟେକ ବ୍ୟକ୍ତି ପରିବେଶ ସୁରକ୍ଷାକୁ ନିଃସ୍ବାର୍ଥପର ସେବା ତଥା ଜାତୀୟ କର୍ତ୍ତବ୍ୟ ମନେ କରିବା ଉଚିତ ବୋଲି ମତ ରଖିଥିଲେ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ଯାଜପୁର ଜିଲ୍ଲାରେ ଖଣିଜସଂପଦ ଭରି ରହିଥିବାବେଳେ ଦ୍ରୁତ ଶିଳ୍ପାୟନ ଓ ବେଆଇନ ଭାବରେ ଖଣିଜ ଲୁଟ୍ ହେଉଥିବାରୁ ପରିବେଶ ପ୍ରତି ଏହା ସବୁଠୁ ବଡ଼ ବିପଦ ସାଜିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୃକ୍ଷପ୍ରେମୀ ବୃନ୍ଦାବନ ମିଶ୍ର, ବିରଜା ମହିଳା ମହାବିଦ୍ୟାଳୟର ଯୁୂକ୍ତଦୁଇ ଅଧ୍ୟକ୍ଷ ଗୌର ସୁନ୍ଦର ଦାସ ଓ ସମାଜସେବୀ ପରମାନନ୍ଦ ନାୟକ ପରିବେଶ ପ୍ରତି ମଣିଷର କର୍ତ୍ତବ୍ୟ ସମ୍ପର୍କରେ ମତ ରଖିଥିଲେ। ‘ସମ୍ବାଦ’ର ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ଦଶରଥପୁର ବ୍ଲକ୍ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଧନ୍ୟବାଦ ଦେଇଥିଲେ। ଯାଜପୁର ଟାଉନ୍ ପ୍ରତିନିଧି ଅରୁଣ କୁମାର ରାଉତରାୟ, ‘ସମ୍ବାଦ’ ଓ ‘କନକଟିଭି’ ପ୍ରତିନିଧି ଅନିଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।