ପିପିଲି: ଅସନ୍ତୁଳିତ,ଅସ୍ବାସ୍ଥ୍ୟକର ପରିବେଶ ଏବଂ ଅନିୟନ୍ତ୍ରିତ ଉତ୍ତାପ ପାଇଁ ବିଶ୍ବ ଆଜି ଚିନ୍ତିତ। ପରିବେଶର ଯତ୍ନ ସହ ବୃକ୍ଷରୋପଣର ନିତାନ୍ତ ଆବଶ୍ୟକତା ରହିଛି। ଜଳ ସଂରକ୍ଷଣ ସହ ନଦୀ, ନାଳ, ସମୁଦ୍ରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଏକ ନିଆରା ପଦକ୍ଷେପ। ସୁତରାଂ ପରିବେଶର ଯତ୍ନ, ସଚେତନତା, ସ୍ବଚ୍ଛତା, ବୃକ୍ଷରୋପଣ ସହ ଗଛ ଓ ମାଟିର ଯତ୍ନ ନେଲେ ‘ପୁନଶ୍ଚ ପୃଥିବୀ’ ପରିକଳ୍ପନା ସାକାର ହେବ ବୋଲି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ଣରେ ବରାଗଡ଼ ମା’ ଉତ୍ତରେଶ୍ବରୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତି ପଞ୍ଚାୟତର ସ୍ବେଚ୍ଛାସେବୀ ଯୁବକଯୁବତୀ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ନିୟମିତ ଭାବେ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ପୁନଶ୍ଚ ପୃଥିବୀ’ ଏକ ଅଭିନବ ପରିକଳ୍ପନା ଓ ସେ ଜଣେ ନିଆରା ସମାଜ ସୁଧାରକ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ। 

Advertisment

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ଅର୍ଜୁନ ଘଡ଼େଇ, ରଘୁନାଥ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ କହିଲେ, ‘ପିପ୍ପଳ’ ଗଛ ସମାରୋହରୁ ‘ପିପିଲି’ ନାମ ସୃଷ୍ଟି ହୋଇଛି। ଆଜି ତାହା ଦୁଷ୍ପ୍ରାପ୍ୟ ହୋଇଛି। ଅଞ୍ଚଳରେ ପୁନର୍ବାର ବହୁ ପରିମାଣରେ ପିପ୍ପଳ ଗଛ ଲଗାଇବାକୁ ପିପିଲିବାସୀଙ୍କୁ ଆହ୍ବାନ ଦେବା ସହ ଗଙ୍ଗୁଆନାଳ ଦୟାକୁ ପ୍ରଦୂଷିତ କରୁଥିବା ଓ ତାର ପ୍ରତିକାର କ୍ଷେତ୍ରରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ରାସ୍ତା ନିର୍ମାଣ ଆଳରେ ଗଛ କଟାଯାଉଛି କିନ୍ତୁ ଗଛ ଲଗାଯାଉନି ବୋଲି ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା ଅଭିଯୋଗ କରିବା ସହିତ ଉଦ୍‌ବେଗ ପ୍ରକାଶ କରିଥିଲେ। ଭୂତଳ ଜଳର ସଂରକ୍ଷଣ ପାଇଁ ଗଛ ଲଗାଇ ତାହାର ଯତ୍ନ ନେବା ଜରୁରୀ ବୋଲି ସରପଞ୍ଚ ବିଭୂତି ଭୂଷଣ ନାଥ ପ୍ରକାଶ କରିଥିଲେ।

ଏହି ଅବସରରେ ମନ୍ଦିର ପରିସରରେ ପିପିଲି ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବିଧାୟକ ଶ୍ରୀ ପଟ୍ଟନାୟକ ବୃକ୍ଷରୋପଣ କରିଥିଲେ। ଏହାପରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କୁ ଏକ ବାରମାସୀ ଆମ୍ବ ଚାରା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ ସାହିତ୍ୟଘର’ ସଭାପତି ପ୍ରକାଶ କୁମାର ମାର୍ଥା, ସମ୍ପାଦକ ନରେନ୍ଦ୍ର ମୁଦୁଲି, ବରିଷ୍ଠ ସଭ୍ୟ ଚିନ୍ତାମଣି ଓଝା, ଅନ୍ନପୂର୍ଣ୍ଣା ଜେମା, ବିପିନ ବେହେରା, ନାରାୟଣ ନାୟକ, ସମାଜସେବୀ ନଗେନ ପ୍ରଧାନ, ବିଜୟରତ୍ନ ଜେନା, ବିଜ୍ଞାନ ଶିକ୍ଷକ ହେମନ୍ତ ପ୍ରଧାନ, ଡା. ପ୍ରଭାସ ପ୍ରଧାନ, ଦ୍ବିତୀକୃଷ୍ଣ ମହାନ୍ତି, ବିଭୂତି ବେହେରା, ଜଗତ ବଲ୍ଲଭ ଖଟେଇ, ଦିଲୀପ କୁମାର ମହାରଣା, ଆଲୋକ ପରିଡ଼ା, ଶରତ ବେହେରା, ନାରାୟଣ ନାୟକ, ସନ୍ତୋଷ କୁମାର ଦାସ, ନୀଳକଣ୍ଠ ପରିଡ଼ା, ଗଙ୍ଗାଧର ନାୟକ, ଜଗନ୍ନାଥ ଜେନା, ସାମ୍ବାଦିକ ଚନ୍ଦ୍ରମାଧବ ମିଶ୍ର, ଦୁର୍ଗାମାଧବ ପରିଡ଼ା, ଅରୁଣ ରାଉତ, ପ୍ରଶାନ୍ତ ଦୀକ୍ଷିତ, ପ୍ରତାପ ବାରିକ ଓ ସୁବିର ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ରାଜକିଶୋର ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।