ନବରଙ୍ଗପୁର : ଚଳିତ ବର୍ଷ ନବମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦଶମ ଶ୍ରେଣୀକୁ ଯିବେ। ହେଲେ, ବର୍ଷକ ପୂର୍ବରୁ ମାଟ୍ରିକ୍ ପରୀକ୍ଷା ଖାତାରେ ଲେଖୁଛନ୍ତି ଉତ୍ତର। ଶୁଣିବାକୁ ହୁଏତ ଅଜବ ଲାଗିପାରେ। ଜଣେ ଦିବ୍ୟାଙ୍ଗ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ କଲମ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପଡାଲଗୁଡା ଗାଁର ନବମ ଛାତ୍ରୀ ମନୋରମା ଗୌଡ଼। ଗଣ୍ଡାଗୁଡା ଗ୍ରାମର ପ୍ରହଲ୍ଲାଦ ଜାନିଙ୍କ ଦିବ୍ୟାଙ୍ଗ ବଡ଼ଝିଅ ବତି ଜାନିଙ୍କଠାରୁ ଉତ୍ତର ଶୁଣି ପରୀକ୍ଷା କେନ୍ଦ୍ରରେ ଲେଖୁଛନ୍ତି।
ବିଭିନ୍ନ କାରଣରୁ ନବରଙ୍ଗପୁର ଜିଲ୍ଲାରେ ଡ୍ରପ୍ଆଉଟ୍ ବଢ଼ି ଚାଲିଛି। କିନ୍ତୁ ପ୍ରତିକୂଳ ପରିସ୍ଥିତିକୁ ବାରମ୍ବାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଆଦୌ ଧୈର୍ଯ୍ୟ ହରାଇନାହାନ୍ତି ଜନ୍ମରୁ ଦିବ୍ୟାଙ୍ଗ ବତି ଜାନି। ପୋଲିଓ ଯୋଗୁ ଠିକ୍ ରୂପେ ଚଲାବୁଲା କରିପାରୁ ନଥିବା ବେଳେ କଲମ କିମ୍ବା ପେନ୍ସିଲ୍ ଆଦୌ ଧରିପାରନ୍ତି ନାହିଁ। ସ୍ପଷ୍ଟ ରୂପେ କଥା କହିବାରେ ବି ଅସୁବିଧା ହେଉଛି। ତଥାପି ପାଠପଢ଼ା ପ୍ରତି ରହିଥିବା ଆଗ୍ରହ ଯୋଗୁ ପଡାଲଗୁଡ଼ା ସରକାରୀ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ସେ। ଚଳିତବର୍ଷ ନବରଙ୍ଗପୁର ଆରସିଡି ହାଇସ୍କୁଲ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି।
ତେବେ, ପରୀକ୍ଷାର କିଛିଦିନ ପୂର୍ବରୁ ନିଜେ ବତି ଚିନ୍ତାରେ ପଡ଼ିଯାଇଥିଲେ। ଶିକ୍ଷକ ଏବଂ ଅଭିଭାବକ ମଧ୍ୟ ଶଙ୍କାଗ୍ରସ୍ତ ହୋଇଥିଲେ। ତେବେ, ସରକାରୀ ପ୍ରବଧାନ ଅନୁଯାୟୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବା ସମୟରେ ଜଣେ ସ୍କ୍ରାଏବର ଉତ୍ତର ଲେଖିପାରିବେ ବୋଲି ଜାଣିବାକୁ ପାଇଲେ। କିଏ ବତିଙ୍କ ପାଇଁ ଉତ୍ତର ଲେଖିବେ, ତାହା ପରବର୍ତ୍ତୀ ସମସ୍ୟା ଭାବେ ଉଭା ହୋଇଥିଲା। ଶେଷରେ ନବମ ଶ୍ରେଣୀ ଛାତ୍ରୀ ମନୋରମା ଗୌଡ଼ ଉତ୍ତର ଲେଖିବାକୁ ନିଜ ଆଡ଼ୁ ପ୍ରସ୍ତାବ ଦେଲେ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବାରୁ ଅନୁମତି ମିଳିଥିଲା।