ଭୁବନେଶ୍ବର: କ୍ୟାମ୍ପସର ଭିତ୍ତିଭୂମି ବିକାଶ କରିବାକୁ କଲେଜଗୁଡ଼ିକୁ ଟଙ୍କା ଦିଆଯାଇଛି। କାହାକୁ ନୂଆ ବିଲଡିଂ ନିର୍ମାଣ ପାଇଁ ତ ଆଉ କାହାକୁ ଖେଳ ପଡ଼ିଆ ବିକାଶ କରିବାକୁ। ବିଭିନ୍ନ ପାଣ୍ଠିରୁ ରାଜ୍ୟ ସରକାର ହାତ ଖୋଲି ଅର୍ଥ ଦେଉଛନ୍ତି। ଗୋଟିଏ ଗୋଟିଏ କଲେଜକୁ ୯ ବର୍ଷ ମଧ୍ୟରେ କୋଟିଏରୁ ଅଧିକ ଟଙ୍କାର ଅନୁଦାନ ମିଳିଛି। ମାତ୍ର ମିଳିଥିବା ଅର୍ଥକୁ ସେମାନେ କେଉଁଭଳି ଭାବେ ଖର୍ଚ୍ଚ କରିଛନ୍ତି ତାହାର ହିସାବ ଏପର୍ଯ୍ୟନ୍ତ ଯାଏ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିନାହାନ୍ତି। କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଲା ତାହାର ବିନିଯୋଗ ପ୍ରମାଣପତ୍ର(ୟୁଟିଲାଇଜେସନ ସାର୍ଟିଫିକେଟ୍) ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ଗୋଟିଏ କି ଦୁଇଟି କଲେଜ ନୁହେଁ, ବରଂ ରାଜ୍ୟର ୫୦୦ରୁ ଅଧିକ କଲେଜ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ପାଖାପାଖି ଏକ ହଜାର କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି।
ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ ୯୭୧.୧୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି) ବକେୟା ପଡ଼ିଛି। ସେଥିମଧ୍ୟରୁ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହିଁ କେବଳ ୫୯୧ କୋଟି ଟଙ୍କାର ୟୁସି ଦାଖଲ ହୋଇ ନାହିଁ। ୨୦୧୪-୧୫ରେ ବାକି ଥିବା ୯ କୋଟିର ୟୁସି ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଏଯାଏ ଏଜିଙ୍କ ନିକଟରେ ଦାଖଲ ହୋଇ ନ ଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ୟୁସି ଦାଖଲ ଉପରେ ସମୀକ୍ଷା କରିବା ସହ ଅର୍ଥ ବିଭାଗକୁ ଅବଗତ କରିଥିଲେ। ଏବେ ବିଭାଗ ପକ୍ଷରୁ ୟୁସି ଦାଖଲକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକର ୟୁସି ବକେୟା ରହିଛି ସେମାନଙ୍କ ସହ ଯୋଗାଯୋଗ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବକେୟା ୟୁସି ଯେପରି ଧାର୍ଯ୍ୟ ସମୟରେ ଦାଖଲ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ ଗତ ୩ ତାରିଖରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗ ପରିଚାଳନା କମିଟି(ଡିଏମ୍ସି) ବୈଠକରେ ନିଷ୍ପତ୍ତି ହୋଇଛି।
ଭିତ୍ତିଭୂମି ବିକାଶ ପାଇଁ ବେସରକାରୀ କଲେଜଗୁଡ଼ିକ ପାଇଥିବା ଅର୍ଥର ୟୁସି ସେମାନେ ଦାଖଲ କରି ନାହାନ୍ତି। ଜୁଲାଇ ୬ ଓ ୭ ତାରିଖରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ୟୁସି ସମ୍ପର୍କରେ ଭର୍ଚୁଆଲ୍ରେ ସମୀକ୍ଷା କରାଯାଇଥିଲା। ତା’ସତ୍ତ୍ବେ ବି ଅଧିକାଂଶ କଲେଜ ହେୟଜ୍ଞାନ କରିଛନ୍ତି। ତେଣୁ ଭିତ୍ତିଭୂମି ବିକାଶ ପାଇଁ ପାଣ୍ଠି ପାଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁଣିଥରେ ଚିଠି ପଠାଇବାକୁ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲ୍ ନିର୍ଦ୍ଦେଶ ଦେଇଛନ୍ତି। ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ମଞ୍ଜୁର ହୋଇଥିବା ପ୍ରକଳ୍ପର ସ୍ଥିତି କ’ଣ ରହିଛି? କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି? କେବେ ଶେଷ ହେବ ସେସମ୍ପର୍କରେ ଜଣାଇବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯିବ। ସେହିପରି ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ରଖିବା ପାଇଁ ଏନ୍ଆଇସି ପକ୍ଷରୁ ସିଏପିଏ ମୋଡୁଲ୍ର ବିକାଶ କରାଯାଇଛି। ଏବେ ସୁଦ୍ଧା ମାତ୍ର ୧୦୯ଟି କଲେଜ ସେଥିରେ ସାମିଲ ହୋଇଛନ୍ତି। ସମସ୍ତ ଅନୁଦାନପ୍ରାପ୍ତ କଲେଜ ଯେପରି ଏଥିରେ ସାମିଲ ହୋଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯିବା ସହ ସେପ୍ଟେମ୍ବର ୩୦ ସୁଦ୍ଧା ସିଏପିଏ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।