ଚନ୍ଦ୍ର, ସୂର୍ଯ୍ୟ ନେବା ଘଟଣାର ଖୋଳତାଡ଼ : ଦାତା, କାରିଗର, କର୍ମଚାରୀଙ୍କ ବୟାନ ରେକର୍ଡ

ଲାଗି ହୋଇନଥିଲା ଚନ୍ଦ୍ର, ସୂର୍ଯ୍ୟ: ଦାତା ବଳରାମ ଖୁଣ୍ଟିଆ

ପୁରୀ : ନାଗାର୍ଜୁନ ବେଶରୁ ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ନାଗାର୍ଜୁନ ବେଶର ଦାତା ବଳରାମ ଖୁଣ୍ଟିଆଙ୍କ ସମେତ କାରିଗର ଓ କର୍ମଚାରୀଙ୍କ ବୟାନ ରେକର୍ଡ଼ କରାଯାଇଛି। ଚନ୍ଦ୍ର, ସୂର୍ଯ୍ୟ ତିଆରି ହୋଇଥିଲା କି ନାହିଁ, ଏହା ମହାପ୍ରଭୁଙ୍କୁ ଲାଗି ହୋଇଥିଲା କି ନାହିଁ, କେଉଁ ପରିସ୍ଥିତିରେ ଏହା ବାହାରକୁ ଗଲା, ସବୁଦିଗରୁ ଖୋଳତାଡ଼ ଆରମ୍ଭ କରିଛି। ମନ୍ଦିର ପ୍ରଶାସନ ପ୍ରମାଣ ଭାବେ ସବୁର ଉତ୍ତର ଲିଖିତ ଭାବେ ରଖିବା ସହ ଏହାର ଭିଡିଓ ରେକର୍ଡିଂ ବି କରିଛି। ଏହି ଖୋଳତାଡ଼ ଭିତରେ ଚନ୍ଦ୍ର, ସୂର୍ଯ୍ୟ ଘଟଣା ନୂଆ ମୋଡ଼ ନେବାକୁ ବସିଲାଣି।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅତି ବିରଳ। ଦୀର୍ଘ ୨୬ ବର୍ଷ ପରେ ଚଳିତବର୍ଷ ଏହି ବେଶ ପଡ଼ିଥିଲା। କିନ୍ତୁ କରୋନା କଟକଣା ପାଇଁ ଚଳିତବର୍ଷ ଏହି ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ। ଏହି ବେଶକୁ ଜଗନ୍ନାଥ ବଲ୍ଲଭ ପରିସର ସଂଗ୍ରହାଳୟରେ ସଂରକ୍ଷିତ ରଖାଯାଇ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲା ମନ୍ଦିର ପ୍ରଶାସନ। ମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗର ସହମତିକ୍ରମେ ଏହି ବେଶକୁ ସଂଗ୍ରହାଳୟରେ ସଂରକ୍ଷିତ କରି ରଖିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ମହାପ୍ରଭୁଙ୍କୁ ବେଶ ଲାଗି ଠାରୁ ଆରମ୍ଭ କରି ଓଲାଗି ପର୍ଯ୍ୟନ୍ତ ଅନେକ ବିଭ୍ରାଟ ଦେଖାଦେଲା। ବେଶ ଲାଗି ବିଳମ୍ବ ପରେ ଏଥିରୁ ଚନ୍ଦ୍ର, ସୂର୍ଯ୍ୟ କାଢ଼ି ନିଆଗଲା। ଚନ୍ଦ୍ର, ସୂର୍ଯ୍ୟ ମନ୍ଦିର ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର କମାଣ୍ଡରଙ୍କୁ ଏହାର ସବିଶେଷ ରିପୋର୍ଟ ମାଗିଥିଲେ।

ତଦନ୍ତର ପ୍ରଥମ ପଦକ୍ଷେପ ସ୍ବରୂପ ଦାତାଙ୍କ ସମେତ ବେଶ ତିଆରିରେ ସଂପୃକ୍ତ ସେବକଙ୍କ ବୟାନ ରେକର୍ଡ଼ କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦାତା ଶ୍ରୀ ଖୁଣ୍ଟିଆ ଓ ବେଶର ମୁଖ୍ୟ କାରିଗର ବସନ୍ତ କୁମାର ରଣାଙ୍କୁ ବ୍ୟକ୍ତିଗତ ବେଶ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ପଚରାଉଚରା କରାଯାଇଛି। ଚନ୍ଦ୍ର, ସୂର୍ଯ୍ୟ ସଂପର୍କରେ ମୁହଁ ଖୋଲିଥିବା ସଂପୃକ୍ତ ତଳିଆ କର୍ମଚାରୀଙ୍କୁ ବି ଘଟଣା ସଂପର୍କରେ ପଚରାଉଚରା କରାଯାଇଛି। ପଚରାଉଚରା‌ ବେଳେ ସମସ୍ତଙ୍କ ଠାରୁ ଦସ୍ତଖତ ସମ୍ବଳିତ ସ୍ବୀକାରପତ୍ର ବି ମନ୍ଦିର ପ୍ରଶାସନ ନେଇଛି। ସଂପୂର୍ଣ୍ଣ ବିବରଣୀର ଭିଡିଓ ରେକର୍ଡିଂ କରାଯାଇଛି।

ପ୍ରଥମେ ଦାଦା ଶ୍ରୀ ଖୁଣ୍ଟିଆଙ୍କୁ ମନ୍ଦିର ପ୍ରଶାସନ ବେଶ ଲାଗି ସଂପର୍କରେ ପଚାରିଥିଲା। ଚନ୍ଦ୍ର, ସୂର୍ଯ୍ୟ ସହ ସମସ୍ତ ବେଶ ଲାଗି ପାଇଁ ରତ୍ନ ସିଂହାସନକୁ ଯାଇଥିଲା। କିନ୍ତୁ ରତ୍ନ ସିଂହାସନରେ ସୁନାର ଚନ୍ଦ୍ର, ସୂର୍ଯ୍ୟ ଲାଗିବ କହି ସୋଲ ଓ ଜରିରେ ତିଆରି ଚନ୍ଦ୍ର, ସୂର୍ଯ୍ୟକୁ କାଢ଼ି ଦେଇଥିଲେ। ଏହା ମହାପ୍ରଭୁଙ୍କ ଠାରେ ଲାଗି ହୋଇନଥିଲା ବୋଲି ସେ ଉତ୍ତର ରଖିଛନ୍ତି। ତଥାପି ମହାପ୍ରଭୁଙ୍କ ବେଶ ପାଇଁ ଯାଇଥିବା ଚନ୍ଦ୍ର, ସୂର୍ଯ୍ୟକୁ ଏଭଳି କାହାକୁ ଦେଇଦେବା ଠିକ୍‌ ନୁହେଁ। ମହାପ୍ରଭୁଙ୍କ ଠାରେ ଚନ୍ଦ୍ର, ସୂର୍ଯ୍ୟ ଲାଗି ହୋଇନଥିଲେ ବି ଏହା ବେଶର ଅଂଶ ବୋଲି ସେ କହିଛନ୍ତି। ବେଶ ଉପରେ ଆମର ଅଧିକାର ଥିବା ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତଥାପି ସଂଗ୍ରହାଳୟରେ ଏହି ବେଶ ସଂରକ୍ଷଣ ରଖାଯିବା ପ୍ରସ୍ତାବରେ ମୁଁ ସହମତି ଦେଇଥିଲି। କାରଣ ଏଥିରେ ଭକ୍ତଙ୍କ ସ୍ବାର୍ଥ ରହିଛି ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କୁ ଚନ୍ଦ୍ର, ସୂର୍ଯ୍ୟ ଲାଗିନଥିବା ଦାଦା ଶ୍ରୀ ଖୁଣ୍ଟିଆ ଉତ୍ତର ରଖିବା ପରେ ମନ୍ଦିର ପ୍ରଶାସନ ଏହାକୁ ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର