ଅମାନିଆ କର୍ମଚାରୀ, ବନ୍ଦ ହେଉନି ପିସି

୫ ମାସରେ ୨୫୮ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗରେ ଆଖିବୁଜା ପିସି କାରବାର ଚାଲିଥିଲା। ବିଶେଷ କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଶାସକ ଦଳ ନେତା ଓ ତଳିଆ ଅଧିକାରୀ, କର୍ମଚାରୀମାନେ ବିନା ପିସିରେ କାମ କରୁ ନ ଥିବା ଅଭିଯୋଗ ହେଉଥିଲା। ମୁଖ୍ୟମନ୍ତ୍ରୀ ନିଜେ ପିସି ବନ୍ଦ ପାଇଁ ଜିଲ୍ଲାପାଳ ସମ୍ମିଳନୀରେ ନିର୍ଦ୍ଦେଶ ଦେଲେ। ବିଭାଗ ବି ଲିଖିତ ଚିଠି ଦେଲା। ତଥାପି ମାନୁ ନାହାନ୍ତି କର୍ମଚାରୀମାନେ। ଏବେ ବି ପିସି ନେଉଥିବାର ଅଭିଯୋଗ ବିଭାଗ ପାଖରେ ପହଞ୍ଚୁଛି। ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏମିତି ସୂଚନା ମିଳିଛି।

ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇଛନ୍ତି, ଅସାଧୁ ପନ୍ଥା ଅବଲମ୍ବନ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୨୧.୦୬.୨୦୧୭ରେ ସମସ୍ତ ଜିଲ୍ଲାକୁ ଜଣାଇ ଦିଆଯାଇଥିଲା। ନିର୍ଦ୍ଦେଶ ପ୍ରଦାନ ପରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଗତ ପାଞ୍ଚ ମାସ ଭିତରେ ୨୫୮ଟି ଅଭିଯୋଗ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାୟ ସବୁ ଜିଲ୍ଲାରୁ ଅଭିଯୋଗ ଆସିଛି। କେଉଁଠି ପିଇଓଙ୍କୁ ନିଲମ୍ବନ କରାଯାଇଛି ତ କେଉଁଠି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପୁଣି କିଛି ଜାଗାରେ ଦରମା ବି ବନ୍ଦ କରାଯାଇଛି। କେବଳ ପିଇଓ ନୁହଁନ୍ତି, ବିଭିନ୍ନ ସ୍ଥାନରେ ଜିଆର୍‌ଏସ୍‌, ଜେଇ, ଭିଏଲ୍‌ଡବ୍ଲ୍ୟୁ, ଜିପିଟିଏ ବି ଅଭିଯୁକ୍ତ ଅଛନ୍ତି। କେବଳ ନୂଆପଡ଼ା ଜିଲ୍ଲାର ଗୋଟିଏ ଅଭିଯୋଗ ଉପରେ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅନ୍ୟ କୌଣସି ସ୍ଥାନରେ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର