ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମୋଦୀଜୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ୱଦେଶୀ ଉତ୍ପାଦ ବ୍ୟବହାର ଏବଂ ସ୍ୱଦେଶୀ ଜୀବନ ମୂଲ୍ୟବୋଧକୁ ଗ୍ରହଣ କରିବା ଉପରେ ସେ ଗୁରତ୍ୱ ଦେଇ ଆସିଛନ୍ତି। ତେଣୁ ମୋଦୀଙ୍କ ଜୟନ୍ତୀ ଅବସରରେ ଘରେ ଘରେ ସ୍ବଦେଶୀ ଅଭିଯାନର ବାର୍ତ୍ତା ପହଞ୍ଚାଇବା ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ’ ପାଇଁ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳାରେ ଶ୍ରୀ ସିଂହ କହିଛନ୍ତି ଯେ ସ୍ୱଦେଶୀ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସେପ୍ଟେମ୍ବର ୨୫ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କରାଯିବ। ଏଥିରେ ବିଭିନ୍ନ ସ୍ଥାନୀୟ ଶିଳ୍ପ ସଂସ୍ଥା, ବାଣିଜ୍ୟ ସଂଗଠନ, ବ୍ୟବସାୟ ଓ ସାମାଜିକ ସଂଗଠନ, ଧାର୍ମିକ, ଯୁବ ଓ ମହିଳା ସଂଗଠନ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସାମିଲ କରାଯିବ। ସବୁ ଜିଲ୍ଲାରେ ୧୫ରୁ ୨୦ ଦିନିଆ ସଂକଳ୍ପ ରଥଯାତ୍ରା ମଧ୍ୟ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆତ୍ମନିର୍ଭର ଭାରତ ସଂକଳ୍ପ ଉପରେ ଆଲୋଚନାଚକ୍ର  ହେବ, ସ୍ୱଦେଶୀ  ଉତ୍ପାଦ କିଣିବାକୁ ଏବଂ ବିକିବାକୁ ଦୋକାନୀମାନଙ୍କୁ ପ୍ରୋତ୍ସାହିତ କରାଯିବ।

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା 

ଏହି କର୍ମଶାଳାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଓଡ଼ିଶାରେ ଖଣି, ନଦୀ ପର୍ଯ୍ୟନ୍ତ ସବୁ ଭରପୁର ରହିଛି। ଶିଳ୍ପ ଠାରୁ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପାଇଁ ବହୁଳ ସମ୍ଭାବନା ରହିଛି। ଓଡ଼ିଶାର ଲୋକେ ଦାଦନ ଖଟିବାକୁ ବାହାରକୁ ନ ଯାଇ ରାଜ୍ୟରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଏନେଇ ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟକର୍ତାକୁ କଠିନ ପରିଶ୍ରମ କରି ଓଡ଼ିଶାର ସବୁ ଘରେ ଏହି ବାର୍ତା ପହଞ୍ଚାଇବାକୁ ହେବ। ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାଏକ, ଗୋକୁଳାନନ୍ଦ ମଲ୍ଲିକ, ସାଂସଦ  ଅନନ୍ତ ନାୟକ,  ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି.ମୁରଲୀ କିଷ୍ଣା ପ୍ରମୁଖ ଯୋଗଦେଇଥିଲେ। ଆତ୍ମନିିର୍ଭର ଭାରତ ରାଜ୍ୟ ସଂଯୋଜିକା ସୁଜାତା ପାଢ଼ୀ ଧନ୍ୟବାଦ ଦେଇଥିଲେ।