ଆନନ୍ଦପୁର : ଆନନ୍ଦପୁର ପୌରପାଳିକାକୁ ଅବହେଳା ପ୍ରତିବାଦରେ ଚାଲିଥିବା କାଉନସିଲରଙ୍କ ତାଲାବନ୍ଦ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି। ଆଜି ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା ଧାରଣାସ୍ଥଳକୁ ଯାଇ କାଉନସିଲରମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ କୌଣସି ସମାଧାନ ବ‌ାହାରି ପାରିନାହିଁ। ଅନ୍ୟପକ୍ଷରେ ଆସନ୍ତା ୨ତାରିଖରେ ଆନନ୍ଦପୁର ବନ୍ଦ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଦାବି ପୂରଣ ନହେଲେ କାଉନସିଲରମାନେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏପଟେ କାଉନସିଲରମାନଙ୍କ ଆନ୍ଦୋଳନ ସମ୍ପର୍କରେ ତାଙ୍କୁ ଅନ୍ଧାରରେ ରଖାଯାଇଥିବା ନେଇ ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି।

Advertisment

ଆନନ୍ଦପୁର ପୌରପାଳିକାର ବିଭିନ୍ନ ବିଭାଗରେ ୧୪ଟି ପଦବି ଖାଲି ପଡ଼ିଛି। ଏଠାରେ ଗତ ଜୁନ୍ ୧ରେ ଯୋଗଦେଇଥିବା ସିଓ (କମ୍ୟୁନିଟି ଅର୍ଗାନାଇଜର)ଙ୍କୁ ହଠାତ୍ କେନ୍ଦୁଝର ପୌରପାଳିକାକୁ ବଦଳି କରାଯାଇଛି। ଏଭଳି ପରିସ୍ଥିତିରେ ଆନନ୍ଦପୁର ପ‌ୌରାଞ୍ଚଳରେ ଉନ୍ନୟନ କାମ ଠପ୍ ହୋଇଯାଇଛି। ଏନେଇ କେନ୍ଦୁଝର ଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେବାରୁ କାଉନସିଲରମାନେ ବାଧ୍ୟ ହୋଇ ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇଙ୍କ ନେତୃତ୍ବରେ ଗତ ବୁଧବାର ଅପରାହ୍ନରୁ ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି। କାଉନସିଲରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ୧୬ଟି ୱାର୍ଡର ଏସ୍ଏଚ‌୍‌ଜି ମହିଳାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଚାରିଦିନ ଧରି ପୌରପାଳିକା କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁଁ ଲୋକମାନେ ବିଭିନ୍ନ କାମ ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ କାଉନସିଲରମାନେ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨ ତାରିଖରେ ଆନନ୍ଦପୁର ବନ୍ଦ ଡାକରା ଦେଇଛନ୍ତି। ଏନେଇ କେନ୍ଦୁଝର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଇଛି। ଆଜି ପୂର୍ବାହ୍ନରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଏସ୍‌ଡିପିଓ ଧାରଣାସ୍ଥଳକୁ ଆସି କାଉନସିଲରମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ ନ ପାରିବାରୁ ଆନ୍ଦୋଳନ ଜାରି ରହିଛି।

ଅନ୍ୟପକ୍ଷରେ ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ କାଉନସିଲରଙ୍କ ଆନ୍ଦୋଳନ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି। ସ୍ବଚ୍ଛସାଥୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏହାକୁ ନାପସନ୍ଦ କରିଛନ୍ତି। ସେ ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଅବଗତ କରିଛନ୍ତି। ତେବେ ୨୬ ତାରିଖରୁ ଆନ୍ଦୋଳନ ଆରମ୍ଭ ‌ହୋଇଥିବା ବେଳେ ଅଧ୍ୟକ୍ଷା ପୌରପାଳିକା କାର୍ଯ୍ୟାଳୟକୁ ନ ଆସି ଘରେବସି ଚିଠି ‌ଲେଖିବା ଘଟଣାକୁ କାଉନସିଲରମାନେ ନାପସନ୍ଦ କରିଛନ୍ତି।