ହଜିଗଲା ତାଳଚୁଆ ଫାଣ୍ଡି

ରାଜନଗର : ରେକର୍ଡ କହୁଛି ଫାଣ୍ଡି ଅଛି। ସେଠି ଜଣେ ହାବିଲଦାର ଓ ଦୁଇ ଜଣ କନଷ୍ଟେବଳ ବି କାମ କରୁଛନ୍ତି। କିନ୍ତୁ ବାସ୍ତବରେ ଫାଣ୍ଡି କେଉଁଠି ଅଛି, ତାହା ଲୋକ ଜାଣି ପାରୁ ନାହାନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଧୀନରେ ଥିବା ତାଳଚୁଆ ଫାଣ୍ତିର ସ୍ଥିତିକୁ ନେଇ ଏବେ ଏଭଳି ରୋଚକ ସ୍ଥିତି ସୃଷ୍ଟି ହୋଇଛି। ‌ଫାଣ୍ଡି ମୂଳରୁ ଯେଉଁଠି ଥିଲା ସେଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବା ପରେ ଫାଣ୍ତିକୁ ଭିତରକନିକାର ପ୍ରବେଶପଥ ଗୁପ୍ତିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗୁପ୍ତିଠାରେ ଏଯାଏ ଫାଣ୍ତି ଖୋଲି ନଥିବା ବେଳେ ଫାଣ୍ତିରେ କିନ୍ତୁ ଜଣେ ହାବିଲଦାର, ଦୁଇ ଜଣ କନେଷ୍ଟବଳ କାର୍ଯ୍ୟ କରୁଥିବା ସରକାରୀ ରେକର୍ଡରେ ଦର୍ଶା ଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ତାଳଚୁଆଠାରେ ଥିବା ପୁଲିସ୍‌ ଫାଣ୍ତି ସ୍ଥାନରେ ୨୦୧୪ ଜୁନ୍‌ ୨୨ରେ ତାଳଚୁଆ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ଫଳରେ କିଛିଦିନ ସୁପ୍ତ ଅବସ୍ଥାରେ ଫାଣ୍ତି କାର୍ଯ୍ୟ କରିଥିଲା। ପର୍ଯ୍ୟଟନ ଋତୁରେ ଭିତରକନିକା ଆସୁଥିବା ପର୍ଯ୍ୟଟକଙ୍କ ଭିଡ ଗୁପ୍ତି ନିକଟରେ ହେଉଥିବାରୁ ସୁରକ୍ଷା ଦୃଷ୍ଟିରେ ୨୦୧୫ରେ ତାଳଚୁଆ ଫାଣ୍ତିକୁ ଗୁପ୍ତି ସ୍ଥାନାନ୍ତର କରାଯାଇଥିଲା। ନାଁ ‘ତାଳଚୁଆ ଫାଣ୍ତି’ ରହିଥିବା ବେଳେ ତାହା ଗୁପ୍ତିରେ କାର୍ଯ୍ୟ କରିବ ବୋଲି ପୁଲିସ ମୁଖ୍ୟାଳୟ ନିଷ୍ପତ୍ତି ନେଇଥିଲା। ୨/୩ମାସ ବନବିଭାଗର ଏକ ଘରେ ଫାଣ୍ତି କାର୍ଯ୍ୟ କରିଥିଲା। ସେଠାରେ ୩/୪ଜଣ ପୁଲିସ କର୍ମଚାରୀ ଫାଣ୍ତିରେ ନିୟୋଜିତ ଥିଲେ। ସାତଭାୟା, ଗୁପ୍ତି ଓ ଈଶ୍ବରପୁର ପ˚ଚାୟତର ଲୋକେ ରାଜନଗର ଥାନା ବଦଳରେ ଗୁପ୍ତିସ୍ଥିତ ତାଳଚୁଆ ଫାଣ୍ତିକୁ ଯିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ମାତ୍ର ୨୦୧୫ ଶେଷରୁ ଏହି ଫାଣ୍ତି ହଜି ଯାଇଛି। ଗୁପ୍ତିଠାରେ ଥିବା ବନବିଭାଗ ବନପାଳଙ୍କ କାର୍ଯ୍ୟାଳୟର ପଛପଟ ଏକ ଘରେ ଜଣେ ହାବିଲଦାର ରହୁଛନ୍ତି। ମାତ୍ର ସେଠାରେ କୌଣସି କାଗଜପତ୍ର କାମ ହେଉନି କି’ ଅଭିଯୋଗ ରଖାଯାଉନି। ସେଠାରେ ଫାଣ୍ତିର ନାଁ ଗନ୍ଧ ବି ନାହିଁ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୁପ୍ତିସ୍ଥିତ ତାଳଚୁଆ ଫାଣ୍ତି ପାଇଁ ଜଣେ ଅଫିସର, ଜଣେ ହାବିଲଦାର ଓ ୩ଜଣ କନେଷ୍ଟବଳ ପଦବି ମ˚ଜୁର ହୋଇଛି। ବର୍ତମାନ ତାଳଚୁଆ ଫାଣ୍ତିରେ ହାବିଲଦାର ବାସୁଦେବ ବେହେରା, କନେଷ୍ଟବଳ ତପନ କୁମାର ବେହେରା, ଗଗନ କୁମାର ମଲ୍ଲିକ, ସରକାରୀ କାଜଗପତ୍ରରେ କାମ କରୁଛନ୍ତି। ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ରସଦ୍‌ କଟାଯାଉଥିବା ସ୍ଥାନରେ ହାବିଲଦାର ଶ୍ରୀ ବେହେରା ବସି ରହୁଛନ୍ତି। ମାତ୍ର ଅନ୍ୟ ୨ଜଣ କନେଷ୍ଟବଳ ସେଠାରେ ଫାଣ୍ତି ନ ଥିବାରୁ ରାଜନଗର ଥାନାରେ କାମ କରୁଛନ୍ତି ବୋଲି ସୂଚନା ମିଳିଛି।

କାଗଜପତ୍ରରେ ଦୀର୍ଘ ୪ବର୍ଷ ହେଲା, ଗୁପ୍ତିଠାରେ ତାଳଚୁଆ ସାମୁଦ୍ରିକ ଫାଣ୍ତି ରହିବା, କର୍ମଚାରୀ ଦରମା ନେଉଥିବା ବେଳେ ଫାଣ୍ତିର ଠିକଣା ନ ମିଳିବା ଘଟଣା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଏ ସ˚ପର୍କରେ ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେଠାରେ ଭିତ୍ତିଭୂମି ନ ଥିବାରୁ ଫାଣ୍ତି କାର୍ଯ୍ୟକରୁନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର