ଘୋଷଯାତ୍ରା: ଶରଧାବାଲି ନିକଟରେ ତାଳଧ୍ବଜ ଓ ଦର୍ପଦଳନ, ଗହଳି ଲଗାଇ ପଛରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲି ନିକଟରେ ତାଳଧ୍ବଜ ଓ ଦର୍ପଦଳନ ପହଞ୍ଚିଛି। ବିଶ୍ବନିୟତା କାଳିଆ ଠାକୁର ଶେଷରେ ଶରଧାବାଲିରେ ପହଞ୍ଚିବେ। ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ରୁଣ୍ଡ ହୋଇଥିବା ଭକ୍ତମାନେ ମହାପ୍ରଭୁଙ୍କ ରଥଗୁଡ଼ିକ ଅତି ଶ୍ରଦ୍ଧାର ସହିତ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ଅପରାହ୍ନରୁ ଟାଣି ଟାଣି ନେଇଛନ୍ତି। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ପୁରୀ ବଡ଼ଦାଣ୍ଡକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରଣିତ ହୋଇଛି। ସେହିପରି ତୁରୀ-ଭେରୀ, ଘଣ୍ଟ-ଘଣ୍ଟାର ଶବ୍ଦ ପରିବେଶ ପ୍ରକମ୍ପିତ ହୋଇଛି। ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ କୀର୍ତ୍ତନରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଛି।

ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥଟଣା ହୋଇଥିଲା। ତା’ ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ଘଣ୍ଟଘଣ୍ଟା, ହୁଳୁହୁଳି ଓ ହରିବୋଲ ଧ୍ବନିରେ କମ୍ପିଉଠୁଛି ବଡ଼ଦାଣ୍ଡ।


ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି କରିଥିଲେ। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ। ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ ହେବା ପରେ ରଥଟଣା ଆରମ୍ଭ ହୋଇଛି

Image
ସୂଚନାଯୋଗ୍ୟ, ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆଜି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ ହୋଇଥିଲେ। ଏହାପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ। ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳୁ ସକାଳୁ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଶେଷ, ଖେଚୁଡ଼ି ଭୋଗ ନୀତି ଶେଷ ହୋଇଥିଲା । ପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ, ପହଣ୍ଡି ସଂପନ୍ନ ହୋଇଥିଲା। ରଥକୁ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଥିଲେ। ଏଥିସହ ଚିତା ଲାଗି ନୀତି ଓ ବେଶ ଶେଷପରେ ଛେରା ପହଁରା ସରିଥିଲା।

ସମ୍ବନ୍ଧିତ ଖବର