ପୁରୀ: ଚଳିତ ବର୍ଷ ବାହୁଡ଼ାଯାତ୍ରାର ସମସ୍ତ ନୀତିକାନ୍ତି, ନିର୍ଦ୍ଧାରିତ ସମୟ ଆଗରୁ ଚାଲିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତାଳଧ୍ୱଜ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଗଡ଼ିବାରେ ଲାଗିଛି ତାଳଧ୍ୱଜ। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ। ଏହାପରେ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥ ଯାତ୍ରା କରିବ।
ସୂଚନାଯୋଗ୍ୟ, ତିନି ଠାକୁରଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ। ସକାଳେ ନୀତିକାନ୍ତ ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡି ଶେଷ ହୋଇଥିଲା। ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ରଥଟଣା ଆରମ୍ଭ ହୋଇଛି।
ଏଣେ ବାହୁଡ଼ା ଯାତ୍ରା ଶେଷ ପରେ ୨୯ ତାରିଖରେ ସୁନାବେଶ, ୩୦ରେ ଅଧରପଣା ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।