ପୁରୀ: ସିଂହଦ୍ବାରରୁ ଆଜି ଅପରାହ୍ଣରେ ବାହାରିଥିବା ଶ୍ରୀଜିଉଙ୍କ ତିନି ରଥ ଶରଧାବାଲିରେ ପହଞ୍ଚି ପାରି ନାହିଁ। ବଡ଼ଭାଇ ଓ ଭଉଣୀଙ୍କ ସହିତ ନଅଦିନିଆ ରଥଯାତ୍ରାରେ ବାହାରିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଧବାଟରେ ଅଟକିଛି। କିନ୍ତୁ ପ୍ରଭୁ ବଳଦେବଙ୍କ ରଥ ‘ତାଳଧ୍ବଜ’ ଶରଧାବାଲିରେ ପହଞ୍ଚିଛି। ଦର୍ପଦଳନ ଓ ନନ୍ଦିଘୋଷ ଆସନ୍ତାକାଲି (ବୁଧବାର) ଶରଧାବାଲିରେ ପହଞ୍ଚିବ। ସୁଭଦ୍ରାଙ୍କ ଦର୍ପଦଳନ ବଡ଼ଶଂଖ ନିକଟରେ ପହଞ୍ଚି ଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ବଳଗଣ୍ଡି ମାଉସୀ ମାଆ ଛକ ଯାଏଁ ପହଞ୍ଚିଛି। ଏହି ଦୁଇ ରଥକୁ ଭକ୍ତମାନେ ଆସନ୍ତାକାଲି ୯ଟାରେ ଶରଧାବାଲିରେ ଟାଣିଟାଣି ନେଇ ପହଞ୍ଚାଇବେ। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଏହି ସୂଚନା ଦେଇଛନ୍ତି।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଜାରି ରହିଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଯିବା ପରେ ମହାବାହୁଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଶରଧାବାଲି ଆଡ଼କୁ ଟାଣି ନେଇଥିଲେ। ମଙ୍ଗଳବାର ଅପରାହ୍ଣ ୪ଟା ୪୦ରେ ନନ୍ଦିଘୋଷ, ୩ଟା ୫୫ରେ ଦର୍ପଦଳନ ଏବଂ ୩ଟା ୪ ମିନିଟରେ ତାଳଧ୍ବଜ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା।
ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ପ୍ରବଳ ଖରାକୁ ଗୁଳୁଗୁଳିକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଥିଲେ। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ଲଗାଯାଇଥିଲା।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ତିନି ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମା’ ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀ ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗହଳି ଲଗେଇ ଆସିଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସିଥିଲେ କାଳିଆ ଗୋସାଇଁ। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।