କାନ୍ତକବିଙ୍କ ଜନ୍ମମାଟିରେ ଆନନ୍ଦର ଲହରି

ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ କବିଙ୍କ ପରିବାର ଓ ଗ୍ରାମବାସୀ

ତିହିଡି : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିବା ପରେ କବିଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲାର ତିହିଡି ବ୍ଳକ ତାଳପଦା ଗାଁରେ ଖୁସିର ଲହରି ଖେଳିଯାଇଛି। କାନ୍ତକବିଙ୍କ ଏହି ସଂଗୀତ ରଚନା ହେବାର ଦୀର୍ଘ ୧୧୫ ବର୍ଷ ପରେ ଏହାକୁ ସ୍ବୀକୃତି ମିଳିଥିବାରୁ ସରକାରଙ୍କ ନିକଟରେ କୃତଜ୍ଞତା‌ ଜଣାଇଛନ୍ତି ଗ୍ରାମବାସୀ ପରିବାର ଲୋକ।

କବିଙ୍କ ପୁତ୍ରବଧୂ ତଥା କନିଷ୍ଠପୁତ୍ର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଗୌରଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ମୀରାଦେବୀ ବେଶ୍‌ ଆନନ୍ଦିତ ହୋଇଛନ୍ତି। ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଶ୍ବଶୁର ସ୍ବର୍ଗତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ଉପହାର। ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ସାଧୁବାଦ ଜଣାଉଛି। ବିଳମ୍ବରେ ହେଲେ ମଧ୍ୟ କାନ୍ତକବିଙ୍କୁ ସ୍ବୀକୃତି ମିଳିଥିବାରୁ ତାଙ୍କ ପରିବାରବର୍ଗ ଓ ଗ୍ରାମବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ କବିଙ୍କ ବାସଭବନକୁ ରାଜ୍ୟ ସ୍ମାରକୀରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି।

ଜାତୀୟତାବାଦ ସଙ୍ଗୀତର ଏହି ସ୍ରଷ୍ଟାଙ୍କ ଭିଟାମାଟି ତାଳପଦାସ୍ଥିତ ବାସଭବନ ଓ ବଉଳ ଗଛ ଆଜି ବି ମୂକସାକ୍ଷୀ ଭାବେ ଦଣ୍ଡାୟମାନ। ଯଦିଓ ତାଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମାଧି ପୀଠର ଉନ୍ନତୀକରଣ ଓ ସ୍ମୃତି ମନ୍ଦିର ନିର୍ମାଣ କରାଯାଇଛି, ତଥାପି କବିଙ୍କ ଜନ୍ମମାଟିକୁ ଏୗତିହ୍ୟ ସ୍ମାରକୀ ଭାବେ ଗଢି ତୋଳିବାକୁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର