ତାଳଚେର: ଆଜି ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ତାଳଚେର ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିଲେ ବି ଏହାର ପ୍ରତିକାର ପାଇଁ ଆବଶ୍ୟକ ପଦ‌କ୍ଷେପ ନିଆଯାଉ ନାହିଁ। ସହରାଞ୍ଚଳ‌ରେ ନିର୍ମଳ ବାୟୁ ଟିକେ ଦୁର୍ଲଭ ହେଲାଣି। କେବଳ ତାଳଚେର ଖଣି ଅଞ୍ଚଳ ବା ସହର ନୁହେଁ; ତାଳଚେର ଉପଖଣ୍ଡ ଅଞ୍ଚଳରେ ପ୍ରଦୂଷଣ ମାରାତ୍ମକ ସ୍ତର‌ରେ ପହଞ୍ଚିଲାଣି। ତାଳଚେର ଖଣି ଓ ସହରାଞ୍ଚଳରେ ଲୋକେ ସ୍ବାଭାବିକ ଭାବେ ଶ୍ବାସକ୍ରିୟା କରିବା କଷ୍ଟକର ହେଲାଣି। ୨୦୨୨ ମସିହା ନଭେମ୍ବର ମାସରେ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭର୍ଣ୍ଣମେଣ୍ଟ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି, ଗତ କିଛିବର୍ଷ ହେଲା ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶାର ଅନେକ ସହରରେ ବାୟୁ ପ୍ରଦୂଷଣ ବଢ଼ିଚାଲିଛି। ଓଡ଼ିଶାର ସହରାଞ୍ଚଳମାନଙ୍କରେ ଗାଡ଼ି ଚଳାଚଳ, ଶିଳ୍ପ କାରଖାନା, କୋଠାବାଡ଼ି ନିର୍ମାଣ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧିପାଉଛି। ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ଆଦି ୭ଟି ସହରରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ରହିଥିଲା। ସାଧାରଣତଃ ବାୟୁରେ ୧୦ ମାଇକ୍ରନରୁ କମ୍‌ ଧୂଳିକଣା ଓ ପ୍ରଦୂଷଣ ଦ୍ରବ୍ୟ ରହିବା କଥା। ମାତ୍ର ତାଳଚେର ସହରାଞ୍ଚଳରେ ଏହାର ମାତ୍ରା ଯଥେଷ୍ଟ ଅଧିକ।

Advertisment

ବାୟୁରେ ଧୂଳିକଣା, ପ୍ରଦୂଷଣ ଦ୍ରବ୍ୟ ୪୫ ପ୍ରତିଶତ ଉପରେ ରହୁଛି। ଚଳିତ ବର୍ଷ ଜାନୁଆରି ମାସରେ ରାଜ୍ୟର ଅନୁଗୁଳ, ବାଲେଶ୍ବର, କଟକ, ଭୁବନେଶ୍ବର, କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଥିବା ନେଇ ସିପିସିବି ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏପରିକି ତାଳଚେର ସହରବାସୀ ଶ୍ବାସକ୍ରିୟାରେ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି। ଫଳରେ ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ତାଳଚେର ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଚଳିତ ବର୍ଷ ସର୍ବାଧିକ  ୨୯୪ ଏବଂ ସର୍ବନିମ୍ନ ୧୨୦  ରହିଛି। ଏହା ୧୦୦ ମଧ୍ୟରେ ରହିବା କଥା। କିନ୍ତୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲେ ବି ପ୍ରଦୂଷଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଜଣାପଡ଼ିଛି। ତାଳଚେର ଖଣି ଅଞ୍ଚଳରେ ରହିଥିବା କୋଲ କରିଡର୍‌ ରାସ୍ତାରେ‌ ଯେଉଁ ପରିମାଣରେ ପାଣି ଛିଞ୍ଚାହେବା କଥା, ତାହା ହୋଇପାରୁନାହିଁ। ତାଳଚେର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ମଧ୍ୟ ଜଳ ସିଞ୍ଚନ କରାଯାଉନାହିଁ। ଖଣିରୁ ପ୍ରତିଦିନ କୋଇଲା ଧରି ହଜାର ହଜାର ଟ୍ରକ୍‌ ଚାଲୁଥିବାରୁ ଧୂଳି, ଧୂଆଁରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। କେବଳ ସେତିକି ନୁହେଁ, ତାଳଚେର ଅଞ୍ଚଳର କୋଇଲା ଖଣି କୋଇଲା ଗଦାମାନଙ୍କରେ ନିଆଁ ଲାଗୁଛି। ଏହି ନିଆଁ ବାୟୁ ମଣ୍ଡଳକୁ ଉତ୍ତପ୍ତ କରିବା ସହିତ ସେଥିରୁ ନିର୍ଗତ ଧୂଆଁ ଜନସାଧାରଣଙ୍କୁ ଅଣନିଃଶ୍ବାସୀ କରି ପକାଉଛି। ସନ୍ଧ୍ୟା ସମୟରେ କୋଇଲା ଗୁଣ୍ଡ ଓ ଧୂଳି ଧୂଆଁ ଯୋଗୁଁ ଅଞ୍ଚଳରେ ଧଳା ଆସ୍ତରଣ ଜମିଯାଉଛି। ଏଥିଯୋଗୁଁ ଲୋକଙ୍କ ମୁଣ୍ଡ ବିନ୍ଧିବା, ଆଖି ପୋଡ଼ିବା ଭଳି ସମସ୍ୟା ଦେଖାଯାଉଛି। ଏହାର ପ୍ରତିକାର ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ ବୋଲି ପରିବେଶବିତ୍‌ ବାଉରୀ ବନ୍ଧୁ ବେଜ କହିଛନ୍ତି।