ଅଟକ ବିଧାୟକ, ଗ୍ରାମବାସୀ ମୁକୁଳିଲେ, ‘ତାଳଚେର ବନ୍ଦ’ ଶାନ୍ତିପୂର୍ଣ୍ଣ

ତାଳଚେର/ଅନୁଗୁଳ : ହିଙ୍ଗୁଳା ଖଣି ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଅଟକ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଆଜି ପ୍ରତ୍ୟୁଷରେ ଛାଡ଼ି ଦିଆଯାଇଛି। କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରିବା ‌ଯୋଗୁଁ ପୁଲିସ ପ୍ରଶାସନ ପକ୍ଷରୁ ଗତକାଲି ଅପରାହ୍ଣରେ ଶ୍ରୀ ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ଉଠାଇ ନେଇ ଅଟକ ରଖାଯାଇଥିଲା। ଆଜି ସକାଳେ ବସ୍ତି ଉଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ଅଟକ ଗ୍ରାମବାସୀଙ୍କୁ ଛାଡ଼ି ଦିଆଯାଇଥିବ‌ା ଜଣାପଡ଼ିଛି।

ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା କ୍ଷେତ୍ର ପାଇଁ ତାଳଚେର ବ୍ଲକ୍‌ ଭାଲୁଗାଡ଼ିଆ ଗାଁ ଜମି ଅଧିଗୃହୀତ ହୋଇଛି। ତେବେ ଗାଁ ହରିଜନସାହି ବାସିନ୍ଦାଙ୍କ ଥଇଥାନ ସମସ୍ୟାର ସଂପୂର୍ଣ୍ଣ ସମାଧାନ ହୋଇନଥିବାବେଳେ ଗତକାଲି ପୁଲିସ ଉପସ୍ଥିତିରେ ସେମାନଙ୍କୁ ଉଚ୍ଛେଦ କରାଯାଇଥିଲା। ଏଥିଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉଚ୍ଛେଦର ବିରୋଧ କରିବାରୁ ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ଆନ୍ଦୋଳନସ୍ଥଳରୁ ଉଠାଇ ନେଇ ଅଟକ ରଖିଥିଲା। ଏହାର ପ୍ରତିବାଦରେ ଆଜି ବିଧାୟକଙ୍କ ସମର୍ଥକ, ଜମିହରା ପ୍ରଜାଙ୍କ ପକ୍ଷରୁ ‘ତାଳଚେର ବନ୍ଦ’ ଡାକରା ଦିଆଯାଇଥିଲା। ପୂର୍ବାହ୍ଣ ପ୍ରାୟ ୮ଟା ପରେ ସମର୍ଥକମାନେ ତାଳଚେର ଟାଉନ ସମେତ ଗ୍ରାମାଞ୍ଚଳର ବିଭିନ୍ନ ଛକ ସ୍ଥାନରେ ଧାରଣା ଦେଇଥିଲେ। କିଛି ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଦୋକାନବଜାର ବନ୍ଦ କରାଯିବା ସହ ସମର୍ଥକମାନେ ବିଭିନ୍ନ ବ୍ୟାଙ୍କ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ସେସବୁ ବନ୍ଦ କରାଇଥିଲେ। ବିଭିନ୍ନ କୋଇଲା ଖଣିର ଟାଇମ୍‌ ଅଫିସ୍‌, ଉତ୍ପାଦନସ୍ଥଳୀ ଓ ପରିବହନ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ତାଳଚେରର ସମସ୍ତ ୯ଟି ଯାକ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ କାର୍ଯ୍ୟ ସଂପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା।

ଅନ୍ୟପକ୍ଷରେ, ବିଧାୟକ ଶ୍ରୀ ପ୍ରଧାନ ଏବଂ ବିସ୍ଥାପିତଙ୍କର ପ୍ରତିନିଧିମଣ୍ଡଳୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜମିହରା ପ୍ରଜାଙ୍କ ଥଇଥାନ ସଂପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି। ଏପାଖେ ଉଚ୍ଛେଦ ହୋଇଥିବା ଭାଲୁଗାଡିଆ ଗାଁର ମୋଟ ୪୧ଟି ପରିବାରକୁ ତୁରନ୍ତ ଖାଦ୍ୟ, ପାନୀୟଜଳ ଯୋଗାଇଦେବା ସହ ସେମାନଙ୍କ ଅସ୍ଥାୟୀ ରହଣି ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଖଣ୍ଡ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର