ତାଳଚେର: ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏନେଇ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ବିଶିଷ୍ଟ ନାଗରିକ ଭୂପେନ ଥମ୍ବ, ପୂର୍ଣ୍ଣଚନ୍ଦ୍ର ସାହୁ, ଦାଶରଥୀ ସାହୁ ଓ ପଦ୍ମ ଚରଣ ସାମଲ ପ୍ରମୁଖଙ୍କ ନେତୃତ୍ବରେ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ସୂଚନାଯୋଗ୍ୟ,ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)ରେ ୨୦୨୧-୨୨ଶିକ୍ଷା ବର୍ଷରୁ ନାମଲେଖା ହେବ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ। ଗତବର୍ଷ ନଭେମ୍ବର ୧୯ ତାରିଖରେ ମେଡିକାଲ କଲେଜ ସଂପର୍କରେ ସମୀକ୍ଷା ପରେ ଏଠାରେ ୧୦୦ ଏମ୍ବିବିଏସ୍ ଆସନରେ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ମେଡ଼ିକାଲ କଲେଜ କିଏ ଚଳାଇବ ତାହା ବି ସ୍ଥିର ହୋଇପାରିଲାନି। ତେଣୁ ୨୦୨୧-୨୨ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବା ଆଶା ମଉଳି ଯାଇଥିଲା। ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ନେଇ ବର୍ଷ ପରେ ବର୍ଷ ବିତୁଥିବାରୁ ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ବି ବଢିବାରେ ଲାଗିଛି।
ତାଳଚେରରେ ହେବାକୁ ଥିବା ମେଡିକାଲ କଲେଜ କୋଠା ଏମ୍ସିଏଲ ଦ୍ବାରା ନିର୍ମାଣ କରାଯାଇଛି। ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବାପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍ବିବିଏସ ପାଠ୍ୟକ୍ରମ ପାଇଁ ପାଠପଢା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା। ଏପରିକି ୨୦୧୯ରେ ଏହି ଏକାଡେମିକ୍ କୋଠାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ତେଣୁ ସମସ୍ତଙ୍କର ଆଶା ଥିଲା ୨୦୧୯-୨୦ ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢା ସହ ଚିକିତ୍ସା ସୁବିଧା ଆରମ୍ଭ ହେବ। କିନ୍ତୁ ବିଭିନ୍ନ କାରଣରୁ ଏହା ଘୁଞ୍ଚି ଘୁଞ୍ଚି ଚାଲିଛି।
ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ
/sambad/media/post_attachments/wp-content/uploads/2022/07/8cd17caf-68c2-4e52-b368-0815c7a96299.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)