ତାଳଚେର ଭରତପୁର ଖଣି ଦୁର୍ଘଟଣା: ଆନ୍ଦୋଳନ ପ୍ରତ୍ୟାହୃତ, ସ୍ବାଭାବିକ ହେଲା ଖଣି କାମ

୩୦ ଲକ୍ଷ ସାଙ୍ଗକୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି

ଅନୁଗୁଳ/ତାଳଚେର: ବହୁ ବାଦବିବାଦ ଓ ଟଣାଓଟରା ପରେ ଶେଷରେ ତ୍ରିପାକ୍ଷିକ ବୈଠକ ସଫଳ ହୋଇଛି। ନିଯୁକ୍ତି ଓ କ୍ଷତିପୂରଣ ସଂକ୍ରାନ୍ତ ଦୁଇ ପ୍ରମୁଖ ଦାବି ପୂରଣ ପାଇଁ ଏମ୍‌ସିଏଲ୍ କର୍ତ୍ତୃପକ୍ଷ ରାଜି ହେବା ପରେ ଗତ ୧୪ ଦିନ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏଥିସହ ଆଜି ଅପରାହ୍ଣଠାରୁ ତାଳଚେରର ସମସ୍ତ କୋଇଲା ଖଣି କାର୍ଯ୍ୟରେ ସ୍ବାଭାବିକତା ଫେରିଛି। ଗତ ୨୩ ତାରିଖରେ ଏମସିଏଲର ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟି ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ନିଯୁକ୍ତି ଓ କ୍ଷତିପୂରଣ ଦାବି କରି ଖଣି ବନ୍ଦ ଆନ୍ଦୋଳନ ଫଳରେ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ସମସ୍ତ ୯ଟି ଯାକ ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ଠପ୍‌ ହୋଇ ଯାଇଥିଲା। ଦୁର୍ଘଟଣାର ୩/୪ ଦିନ ମଧ୍ୟରେ ତିନି ଜଣ କର୍ମଚାରୀଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିଲେ। ସୋମବାର ଚତୁର୍ଥ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନରୁ ଓହରିବା ଲାଗି ସମାଧାନ ବୈଠକ ଡକାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ ସଭାପତିତ୍ୱ କରିଥିବା ବେଳେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ପରେଶ ନାୟକ, ତାଳଚେର ସୁରକ୍ଷା ମଂଚର ସଭାପତି ମୁରଲୀଧର ସାହୁ, ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ପ୍ରତିନିଧି, ଏମ୍‌ସିଏଲ୍‌ର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରତନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଖଣି ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନା ପରେ ମୃତକର ପରିବାର ସଦସ୍ୟଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଏମସିଏଲ ରାଜି ହୋଇଥିଲା। ଭରତପୁର ଖଣିର ବରିଷ୍ଠ ଅଧିକାରୀ ଓ ବିଧାୟକ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା। ଆସନ୍ତା ୧୦ ତାରିଖ ମଧ୍ୟରେ ଆଉ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ମୃତକଙ୍କ ଉତ୍ତରାଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମ୍‌ସିଏଲକୁ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତରେ ଏମ୍‌ସିଏଲ୍‌ର ବୋର୍ଡ ବୈଠକରେ ଆଲୋଚନା କରାଯାଇ ସିଆଇଏଲ୍‌କୁ ପ୍ରସ୍ତାବ ପଠାଯିବ। ସିଆଇଏଲ୍‌ର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତ ପଦକ୍ଷେପ ନିଆଯିବ ବୋଲି ଏମ୍‌ସିଏଲ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ଖଣିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ଡିଜିଏମଏସ ସୁରକ୍ଷା ରିପୋର୍ଟ ଦେବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ତ୍ରିପାକ୍ଷିକ ବୈଠକର ଏଭଳି ନିଷ୍ପତ୍ତି ପରେ ଆନ୍ଦୋଳନକାରୀମାନେ ଖଣି ବନ୍ଦ ଆନ୍ଦୋଳନରୁ ଓହରିଥିଲେ। ଏବଂ ଅପରାହ୍‌ଣ ତିନିଟା ପରେ ଖଣି କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର