ତାଳଚେର-ବିମଳାଗଡ଼ ରେଳପଥ : ୧୮ ବର୍ଷରେ ୧୮ କିମି

ଆବଶ୍ୟକ ୪୦୦ କୋଟି, ବଜେଟ୍‌ରେ ବ୍ୟୟବରାଦ ହୋଇଛି ୧୦ କୋଟି!

ଅନୁଗୁଳ : ଦୀର୍ଘ ୧୮ବର୍ଷ ମଧ୍ୟରେ ମାତ୍ର ୧୮ କିଲୋମିଟର ଅତିକ୍ରମ କରିଛି ତାଳଚେର-ବିମଳାଗଡ଼ ରେଳପଥ। ଏ ରେଳ ପ୍ରକଳ୍ପ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ପଶ୍ଚିମ ଓଡ଼ିଶା ସହ ଏହା ଯୋଡ଼ିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଭୁବନେଶ୍ବର-ରାଉରକେଲା ମଧ୍ୟରେ ବର୍ତ୍ତମାନ ଦୂରତା ପ୍ରାୟ ୪୧୮ କିଲୋମିଟର ଥିବାବେଳେ ନୂଆ ପ୍ରକଳ୍ପ ଚାଲିଲେ ଟ୍ରେନ୍‌ ଦୂରତା ପାଖାପାଖି ୧୩୦ କିଲୋମିଟର କମିଯିବ। ଅନୁରୂପ ଭାବେ ଯାତ୍ରା ସମୟ ମଧ୍ୟ ୭ ଘଣ୍ଟାରୁ ସାଢେ ୩ ଘଣ୍ଟା ହ୍ରାସ ପାଇବ । କେବଳ ସେତିକି ନୁହେଁ, ରାଉରକେଲା ଇସ୍ପାତ କାରଖାନା ସମେତ ଖଣିଖାଦାନଭରା ବଣାଇଁ ଉପଖଣ୍ଡରେ ଥିବା ସଂଖ୍ୟାଧିକ ଲୁହାପଥର ଖଣିର ଉତ୍ପାଦିତ ସାମଗ୍ରୀ ପାରାଦୀପ ବନ୍ଦରକୁ ଚାଲାଣ ଲାଗି ଢେର୍‌ ସୁବିଧାଜନକ ହେବ। ମାତ୍ର, ଏହାକୁ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ବ ଦିଆଯାଉନଥିବା ଚଳିତ ବଜେଟ୍‌ରୁ ସ୍ପଷ୍ଟ ହେଉଛି।

ଚଳିତ ରେଳ ବଜେଟ୍‌ରେ ଏହି ରେଳପଥ ପାଇଁ କେନ୍ଦ୍ର ସରକାର ମାତ୍ର ୧୦କୋଟି ଅନୁଦାନ ଦେଇଛନ୍ତି, ଯାହାକି ତଥ୍ୟାଭିଜ୍ଞ ମହଲକୁ ମଧ୍ୟ ବିସ୍ମିତ କରିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଗତି ଯୋଜନାରେ ସାମିଲ୍ ଏ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଅନ୍ୟୂନ ୪୦୦କୋଟି ଟଙ୍କାର ଆବଶ୍ୟକତା ଥିବାବେଳେ ମାତ୍ର ୧୦କୋଟିର ଅନୁଦାନ ଦେଇ ପରୋକ୍ଷରେ ପ୍ରକଳ୍ପକୁ ଧିମା କରାଯାଉ ନାହିଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ରେଳପଥ ତିନି ଜିଲ୍ଲା ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ର ଅନ୍ତର୍ଭୁକ୍ତ। ବିଜେପିର ତିନି ଟାଣୁଆ ନେତା କେନ୍ଦ୍ରରେ ଏହି ଜିଲ୍ଲାଗୁଡ଼ିକର ପ୍ରତିନିଧିତ୍ବ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ ରାଜ୍ୟରୁ ସଂସଦରେ ପ୍ରତିନିଧିତ୍ବ କରୁଥିଲେ ହେଁ ଅନୁଗୁଳ ଜିଲ୍ଲାର ତାଳଚେର ତାଙ୍କର ଜନ୍ମ ଓ କର୍ମଭୂମି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଅନ୍ୟତମ ଟାଣୁଆ ନେତା ହେଲେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଜୁଏଲ୍‌ ଓରାମ। ଏଥିସାଙ୍ଗକୁ ଦେବଗଡ଼ର ବାସିନ୍ଦା ହେଲେ ବିଜେପିର ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦ୍ଦେବ। କେନ୍ଦ୍ରରେ ଏହି ତିନି ବିଜେପି ନେତାଙ୍କ ଉପସ୍ଥିତି ସତ୍ତ୍ବେ ଗୁରୁତ୍ବପୂର୍ଣ୍ଣ ତାଳଚେର- ବିମଳାଗଡ଼ ରେଳ ପ୍ରକଳ୍ପ ପ୍ରତି କେନ୍ଦ୍ରରେ କ୍ଷମତାସୀନ ଖୋଦ୍ ବିଜେପି ସରକାରଙ୍କ ଏଭଳି ଅବହେଳା କେବଳ ଲୋକଙ୍କୁ ବିସ୍ମିତ କରିନାହିଁ, ସ୍ବାଭାବିକ ଭାବେ ତିନି ନେତାଙ୍କ ପ୍ରତି ନିଜ ନିଜ ଅଂଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଅନ୍ୟପକ୍ଷରେ, ଏହି ପ୍ରକଳ୍ପ ବିଳମ୍ବ ପଛରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ୨୦୨୦ ନଭେମ୍ବର ୨୩ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ କରାଯାଇଥିଲା ଯେ, ତାଳଚେର-ବିମଳାଗଡ଼ ରେଳପଥ ବିଳମ୍ବ ହେବାର କାରଣ ଜମି ଅଧିଗ୍ରହଣ। ଏ ରେଳପଥ ପାଇଁ ମୋଟ୍‌ ୨୦୭୬ ଏକର ଜମି ଦରକାର। କିନ୍ତୁ, ରାଜ୍ୟ ସରକାର ଆମକୁ ସେତିକି ଜମି ଦେଇନାହାନ୍ତି। ତେଣୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ। ମୋଟ୍ ୧୪୯.୭୮କିଲୋମିଟର ବିଶିଷ୍ଟ ରେଳପଥରୁ ମାତ୍ର ୧୭.୬୨କିଲୋମିଟର ରେଳପଥ ନିର୍ମାଣ‌ ହୋଇଛି। ଜମି ଅଧିଗ୍ରହଣରେ ବିଳମ୍ବ ପାଇଁ ୨୦୨୨ମସିହା ସୁଦ୍ଧା ରେଳପଥ କାର୍ଯ୍ୟକ୍ଷମ କରିବା ପାଇଁ ଯେଉଁ ଟାର୍ଗେଟ୍‌ ରଖାଯାଇଥିଲା, ତାହାକୁ ବଦଳାଇ ୨୦୨୫ ମାର୍ଚ୍ଚକୁ ଘୁଞ୍ଚାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉତ୍ତର ଦେଇଥିଲା। ଏ ବିଳମ୍ବ ପାଇଁ ସିଧାସିଧା ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦାୟୀ କରିଥିଲା।

କିନ୍ତୁ, ଜମି ଅଧିଗ୍ରହଣକୁ ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ରେଳବାଇର ଅବହେଳା ଜଳଜଳ ଦେଖାଯାଉଛି। ରାଜ୍ୟ ଯୋଜନା ଓ ସମନ୍ବୟ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଗତ ୨୦୧୯ ମସିହାରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏ ପ୍ରକଳ୍ପର ୦-୪୩କିଲୋମିଟର ପର୍ଯ୍ୟନ୍ତ ଆବଶ୍ୟକୀୟ ସମସ୍ତ ଜମି ଅଧିଗ୍ରହଣ କରାଯାଇ ରେଳ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଏଠି ପ୍ରଶ୍ନ ଉଠୁଛି, ଯଦି ରାଜ୍ୟ ସରକାର ଏକ ବର୍ଷ ତଳୁ ୪୩କିଲୋମିଟର ରେଳପଥ ପାଇଁ ଜମି ଦେଇ ସାରିଲେଣି, ତେବେ ରେଳ ମନ୍ତ୍ରଣାଳୟ ମାତ୍ର ୧୮ କିଲୋମିଟରେ କାହିଁକି ବସିଛି ଏବଂ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଧିମା ବୋଲି କାହିଁକି ରାଜ୍ୟ ଆଡ଼କୁ ଦୋଷ ଠେଲୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର