ତାଳଚେର-ବିମଳାଗଡ଼ ରେଳପଥ କ’ଣ ସାବତ ପୁଅ?

ରେଳବାଇଠାରୁ ପାଣ୍ଠି ପାଇ ମଧ୍ୟ ୩୫.୬୮ କୋଟି ଅର୍ଥ ମଞ୍ଜୁର କରୁନାହାନ୍ତି ରାଜ୍ୟ ସରକାର

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ କ୍ରମାଗତଭାବେ ହତାଦର କରିଚାଲିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବିକାଶଠାରୁ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ସ୍ଥାପନ ପର୍ଯ୍ୟନ୍ତ; ଗୋଟିଏପରେ ଗୋଟିଏ ପ୍ରକଳ୍ପ ହାତଛଡ଼ା ହେବା ପଛରେ ରାଜ୍ୟ ସରକାରଙ୍କ ଚିରାଚରିତ ଅବହେଳା ହିଁ ମୁଖ୍ୟ କାରଣ। ସଂପ୍ରତି ସମାନ ଅବହେଳା ଯୋଗୁଁ ଜିଲ୍ଲାବାସୀଙ୍କର ୬୦ ବର୍ଷ ପୁରୁଣା ସ୍ବପ୍ନ ତାଳଚେର-ବିମଳାଗଡ଼ ପ୍ରକଳ୍ପ ଆଗେଇ ପାରୁନି। ମୋଟ୍ ୧୪୯.୭୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରେଳପଥ ପାଇଁ ରେଳବାଇ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ଅନୁମୋଦନ ହୋଇସାରିଛି। ସବୁ ଅନୁଦାନ ରାଜ୍ୟ ରାଜକୋଷରେ ଜମା ବି ହୋଇରହିଛି। ମାତ୍ର ରାଜ୍ୟ ସରକାର ଅର୍ଥ ମଞ୍ଜୁରୀ ପାଇଁ କୁଣ୍ଠା ପ୍ରକାଶ କରୁଥିବାରୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇପାରୁନି। ଖୋଦ୍‌ ଜିଲ୍ଲା ପ୍ରଶାସନ ଅର୍ଥ ମଞ୍ଜୁର ପାଇଁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ ସୁଦ୍ଧା, ପଦକ୍ଷେପ ଆଶାନୁରୂପକ ନୁହେଁ।

୩ ମାସ ପୂର୍ବେ ପତ୍ର ଲେଖିଥିଲେ ଜିଲ୍ଲାପାଳ
ଲାଖିରହିଛି ଜମି ଅଧିଗ୍ରହଣ ପ୍ରକ୍ରିୟା

ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ମୋଟ୍‌ ୧୧୫ଟି ଗାଁର ୮୫୪.୫୪ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ୧୯ଟି ଗାଁର ୨୪୮.୦୨ ଏକର ଜମି ଅଧିଗ୍ରହଣ ହେବ। ଏଥିମଧ୍ୟରୁ ଲହୁଣୀପଡ଼ା ବ୍ଲକର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକର ୪ ଗାଁ ଓ ବଣାଇଁ ବ୍ଲକର ୩ ଗାଁ ରହିଛି। ଏ ସମସ୍ତ ଗାଁରେ ଜମି ଚିହ୍ନଟ ହୋଇସାରିଛି। କେବଳ କୋଇଡ଼ା ବ୍ଲକ ଫକୀରମୁଣ୍ଡା ଗାଁରେ ଏକର ପିଛା ଜମିର ଦର ୫ ଲକ୍ଷ ୮୬ ହଜାର ୮୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ ବଳକା ୨୮ଟି ଗାଁରେ ଉଚିତ ମୂଲ୍ୟ ଦିଆଯାଉନଥିବା ଅଭିଯୋଗରେ ଜମି ଛାଡ଼ିନଥିଲେ ଗ୍ରାମାବାସୀ। ଏନେଇ କ୍ଷତିପୂରଣ ବାବଦକୁ ସ୍ଥିର ହୋଇଥିବା ମୂଲ୍ୟର ପୁନର୍ବିଚାର କରିଥିଲା ଜିଲ୍ଲା ପ୍ରଶାସନ। ଏହାସହ ଏହି ୨୮ଟି ଗାଁରେ ଏକର ପିଛା କ୍ଷତିପୂରଣ ବାବଦକୁ ୫ ଲକ୍ଷ ୩୩ ହଜାର ଟଙ୍କା ସ୍ଥିରୀକୃତ ହେଲା।

ଏ ବାବଦକୁ ମୋଟ୍‌ ୩୫ କୋଟି ୬୮ ଲକ୍ଷ ୪୫ ହଜାର ୫୮୪ ଟଙ୍କା ମଞ୍ଜୁର କରିବାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଥିଲା। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଗତ ମାର୍ଚ୍ଚ ୨୨ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି(ନମ୍ବର ୨୩୫, ତାରିଖ ୨୨-୩-୨୦୨୨) ମାଧ୍ୟମରେ ଉକ୍ତ ଅର୍ଥ ମଞ୍ଜୁର କରିବାକୁ ନିବେଦନ କରିଥିଲେ। ଉକ୍ତ ପତ୍ରର ଏକକିତା ନକଲ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଓ ସ୍ବତନ୍ତ୍ର ସଚିବ, ସମ୍ବଲପୁର ଆର୍‌ଡିସିଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ। ତେବେ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ନିଆଯାଇନି। ଫଳରେ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇପାରୁନି। ପ୍ରକାଶଥାଉକି, କ୍ଷତିପୂରଣ ବାବଦକୁ ପୂର୍ବରୁ ରାଜ୍ୟ ସରକାର ୨୩ କୋଟି ୮୨ ଲକ୍ଷ ୧୮ ହଜାର ୮୨୮ ଟଙ୍କା ମଞ୍ଜୁର କରିଥିଲେ।

ଉଲ୍ଲେଖନୀୟ ଯେ ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ବ୍ୟତିତ ଅନୁଗୁଳ ଜିଲ୍ଲାରେ ୬୭ଟି ଗାଁର ୪୧୪.୪୩ ଏକର ଓ ଦେବଗଡ଼ ଜିଲ୍ଲାର ୧୯ଟି ଗାଁର ୧୯୨.୦୯ ଏକର ଜମି ଅଧିଗ୍ରହଣ କରାଯିବ। କେବଳ ଅନୁଗୁଳ ଜିଲ୍ଲାରେ ୪୧୪.୪୩ ଏକର ଜମି ଅଧିଗ୍ରହଣ ହୋଇସାରିଥିବାବେଳେ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ବଳକା ୪୪୦.୧୧ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ତାଳଚେର ପଟୁ ଜମି ଅଧିଗ୍ରହଣ ହୋଇଥିବାରୁ ତାଳଚେର-ସୁନାଖାନୀ (୧୭.୬୨ କିଲୋମିଟର) ଯାଏଁ ରେଳ ଧାରଣା ବିଛା କାର୍ଯ୍ୟ ଶେଷ ହୋଇଥିବାବେଳେ ସୁନାଖାନୀ-ପାରବିଲ ରେଳ ଧାରଣା ବିଛା କାର୍ଯ୍ୟ ବେଗ ଧରିଛି। କିନ୍ତୁ ସୁନ୍ଦରଗଡ଼ ପଟୁ ଗୋଟିଏ ଡିସିମିଲ ଜମି ଅଧିଗ୍ରହଣ ଆରମ୍ଭ ହୋଇନଥିବାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ରେଳବାଇ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ନିକଟରେ ଏଯାବତ୍ ୩୨୦.୪୦ କୋଟି ଜମା କରିସାରିଛନ୍ତି। ମାତ୍ର ଉକ୍ତ ଅର୍ଥ ମଞ୍ଜୁର କରିବାରେ ସରକାର କାର୍ପଣ୍ୟତା ଦେଖାଉଥିବା ଅଭିଯୋଗ ହେଉଛି।

ସଠିକ୍‌ ସମୟରେ ଜମି ହସ୍ତାନ୍ତର ହେଲେ ଆଗାମୀ ୨୦୨୫ ସୁଦ୍ଧା ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଶେଷ କରିବାକୁ ରେଳବାଇ କର୍ତ୍ତୃପକ୍ଷ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ପ୍ରାଥମିକତାର ସହ ବିମଳାଗଡ଼ ପଟୁ ମଧ୍ୟ ଜମି ଅଧିଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଅନ୍ୟଥା ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ ହେବା ଅସମ୍ଭବ। ଏଣୁ ପ୍ରକଳ୍ପର ସାଂପ୍ରତିକ ସ୍ଥିତାବସ୍ଥାକୁ ବିଚାରକୁ ନେଇ ତୁରନ୍ତ କ୍ଷତିପୂରଣ ରାଶି ମଞ୍ଜୁର କରିବା ଅନିବାର୍ଯ୍ୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର