୨୦୨୫ ପୂର୍ବରୁ ସରିବନି ତାଳଚେର-ବିମଳାଗଡ଼ ରେଳପଥ : ଜମି ମିଳୁନି, ଆଗେଇପାରୁନି ପ୍ରକଳ୍ପ

୧୭ ବର୍ଷରେ ସରିଛି ମାତ୍ର ୧୭ କିଲୋମିଟର, ୬୧%ସରକାରୀ, ୬୪%ବେସରକାରୀ ଜମି ଅଧିଗ୍ରହଣ ବାକି

ଅନୁଗୁଳ : ଜମି ଯୋଗାଣରେ ବିଳମ୍ବ ଯୋଗୁଁ ଆଗେଇପାରୁନି ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ। ଜମି ମିଳୁନି ବୋଲି ୨୦୨୨ମସିହା ସୁଦ୍ଧା ତାଳଚେରରୁ ବିମଳାଗଡ଼କୁ ଟ୍ରେନ୍‌ ଗଡ଼ାଇବାକୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ୧୭ବର୍ଷ ତଳର ରେଳପ୍ରକଳ୍ପ ତାଳଚେର-ବିମଳାଗଡ଼ ରେଳପଥର ଅଗ୍ରଗତି ନେଇ ଆଗତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଏମିତି ଉତ୍ତର ରଖାଯାଇଛି। ଲକ୍ଷ୍ୟଧାର୍ଯ୍ୟ ୨୦୨୨ ମସିହାକୁ ବଦଳାଇ ୨୦୨୫ମସିହା ସୁଦ୍ଧା ତାଳଚେରରୁ ବିମଳାଗଡ଼କୁ ରେଳ ଗଡ଼ିପାରିବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ନୂଆ ସମୟ ନିର୍ଧାରିତ କରିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ୨୦୦୩-୦୪ ଆର୍ଥିକ ବର୍ଷରେ ତତ୍କାଳୀନ ଏନ୍‌ଡିଏ ସରକାର ଓଡ଼ିଶାର ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲା। କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଥିବା ଏହି ରେଳ ପ୍ରକଳ୍ପ ଭେଟି ବିଭିନ୍ନ କାରଣ ପାଇଁ ଥିଲା ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଭୁବନେଶ୍ବର-ରାଉରକେଲା ମଧ୍ୟରେ ବର୍ତ୍ତମାନ ଦୂରତା ପ୍ରାୟ ୪୬୨କିଲୋମିଟର ଥିବା ବେଳେ ନୂଆ ପ୍ରକଳ୍ପ ଖୋଲିଲେ ଟ୍ରେନ୍‌ ଯାତ୍ରା ବହୁ କିଲୋମିଟର କମିଯିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରରେ ପରିବର୍ତ୍ତନ ପ୍ରକଳ୍ପକୁ ଧୀମା କରାଇଲା। ଯାହାର ପରିଣାମ ୧୭ବର୍ଷର ପ୍ରକଳ୍ପ ଚଉଠେ ବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ପିଏମ୍‌ଓ ପ୍ରଗତି ଯୋଜନାର ଅନ୍ତର୍ଭୁକ୍ତ କରି ସ୍ବତନ୍ତ୍ର ତଦାରଖ କରାଯାଉଥିବା ବେଳେ ପ୍ରକଳ୍ପ ନିର୍ମାଣରେ କାହିଁକି ବିଳମ୍ବ ହେଉଛି ବୋଲି ରାଉରକେଲା ଆର୍‌ଏସ୍‌ପି ଅଫିସର ସଂଘର ସଭାପତି ତଥା ‘ସେଫି’ର ସାଧାରଣ ସମ୍ପାଦକ ବିମଳ କୁମାର ବିଶି ପିଏମ୍‌ଓକୁ ପ୍ରଶ୍ନ କରିଥିଲେ। ଉତ୍ତରରେ ଏହାର ଏକମାତ୍ର କାରଣ ଜମି ହସ୍ତାନ୍ତରରେ ବିଳମ୍ବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ଚିଠି ଲେଖି ଶ୍ରୀ ବିଶିଙ୍କୁ ଜଣାଇଛି।

ଚିଠିରେ ଦର୍ଶାଯାଇଛି, ୧୪୯.୭୮କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ ମୋଟ ୨୦୭୬ଏକର ଜମି ଦରକାର ଥିଲା। ସେଥିରୁ ଅଧାରୁ ଟିକେ ଅଧିକ (୧୧୮୦ଏକର) ଜମି ଅଧିଗୃହୀତ ହୋଇଛି। ସରକାରୀ ଜମି ହସ୍ତାନ୍ତରରେ ଅହେତୁକ ବିଳମ୍ବ କରାଯାଇଛି। ପ୍ରକଳ୍ପ ପାଇଁ ମୋଟ୍ ୪୨୨ଏକର ସରକାରୀ ଜମି ଆବଶ୍ୟକତା ରହିଛି। ସେଥିରୁ ମାତ୍ର ୧୬୨ଏକର ଜମି ହସ୍ତାନ୍ତର କରାଯାଇଥିବା ବେଳେ ଆହୁରି ୨୬୦ଏକର ଜମି ହସ୍ତାନ୍ତର କରିବାରେ ରାଜ୍ୟ ସରକାର ବିଳମ୍ବ କରୁଥିବା ପିଏମ୍‌ଓ କାର୍ଯ୍ୟାଳୟ ନଭେମ୍ବର ୨୩ତାରିଖ ଦିନ ଚିଠି ଲେଖି ସ୍ପଷ୍ଟ କରିଛି। ଅର୍ଥାତ୍‌ ୬୧% ସରକାରୀ ଜମି ହସ୍ତାନ୍ତର ବାକି ରହିଛି। ସେହିପରି ବେସରକାରୀ ଜମି ଅଧିଗ୍ରହଣରେ କିଛି କମ୍‌ ବିଳମ୍ବ କରାଯାଇନାହିଁ। ୯୯୦ ଏକରରୁ ୩୫୪ଏକର ଜମି ବିଗତ ଦିନରେ ଅଧିଗୃହୀତ ହୋଇଥିବା ବେଳେ ଆହୁରି ୬୩୬ଏକର ଜମି ହସ୍ତାନ୍ତରକୁ ରେଳ ମନ୍ତ୍ରଣାଳୟ ଅପେକ୍ଷା କରିଛି ବୋଲି ପିଏମ୍‌ଓ ତଥ୍ୟ ଦେଇଛି। ଅର୍ଥାତ୍‌ ଆହୁରି ୬୪% ଜମି ଅଧିଗ୍ରହଣ ବାକି ରହିଛି। ଜମି ହସ୍ତାନ୍ତରରେ ଏ ପ୍ରକାର ଅହେତୁକ ବିଳମ୍ବ ହିଁ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପକୁ ଘୁଞ୍ଚାଇ ଘୁଞ୍ଚାଇ ଚାଲିଛି। ଜାନୁଆରି ୬, ୨୦୨୦ ସୁଦ୍ଧା ତାଳଚେରଠାରୁ ସୁନାଖଣି ଯାଏ ୧୭.୬୨କିଲୋମିଟର ରେଳ ଲାଇନ୍‌ କାମ ଶେଷ ହୋଇଥିବା ବେଳେ ୨୦୨୨ ମାର୍ଚ୍ଚ ସୁଦ୍ଧା ସୁନାଖଣିଠାରୁ ସମଲ ଏବଂ ସମଲଠାରୁ ପରାବିଲ (୧୬.୩କିମି) ଯାଏ ପ୍ରକଳ୍ପ କାମ ଆଗେଇ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର