ଅଟକିଛି ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ, ଜମି ଅଧିଗ୍ରହଣରେ ବିଳମ୍ବ

ଦେବଗଡ଼ : ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ଜିଲ୍ଲା ପାଇଁ ସ୍ୱପ୍ନ ହୋଇ ରହିଯାଇଛି। ଉକ୍ତ ରେଳପଥ ପାଇଁ ବାରକୋଟ ବ୍ଲକର ୨୧ଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୧୯ଟି ଗ୍ରାମର ବେସରକାରୀ ଜମି ରହିଥିବାବେଳେ ରାଜ୍ୟ ସରକାରଙ୍କ ନିକଟକୁ ସମସ୍ତ ଗ୍ରାମର ଅଧିସୂଚନା ପ୍ରକାଶ ପାଇଁ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଜଏଣ୍ଟ ସର୍ଭେ କରାଯାଇ ରିପୋର୍ଟ ପଠାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କିଛି ଗ୍ରାମର ଅଧିସୂଚନା ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଅବଶିଷ୍ଟ ଗ୍ରାମଗୁଡ଼ିକ ମଧ୍ୟ ପର୍ଯ୍ୟାୟ କ୍ରମେ ଅଧିସୂଚନା ପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ପ୍ରକାଶ କରିବେ ବୋଲି ଜଣାପଡିଛି।

୨୦୨୧-୨୨ ଲୋକସଭା ଅଧିବେଶନ ସମୟରେ ମାର୍ଚ୍ଚ ୧୫ ଓ ୧୬ ତାରିଖ ଦିନ ରେଳ ବଜେଟ‌୍ ସମ୍ବନ୍ଧୀୟ ଦାବି ଆଲୋଚନା ଚାଲିଥିବା ସମୟରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ତାଳଚେର-ବିମଳାଗଡ ରେଳପଥ ପାଇଁ ଅଧିକ ଅର୍ଥ ବରାଦ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ସାଂସଦ ଶ୍ରୀ ଗଙ୍ଗଦେବଙ୍କୁ ପତ୍ର ଲେଖି ନୂତନ ଭାବେ ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ୧୫୦ କିମି ରେଳପଥ ପାଇଁ ୧୯୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରୁ ୮୬୫ କୋଟି ଟଙ୍କାର କାମ ହାତକୁ ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ଚିଠିରେ ଦର୍ଶାଇବା ସହ ତାଳଚେରଠାରୁ ସୁନାଖଣି ପର୍ଯ୍ୟନ୍ତ ୨୦ କିମି ରେଳପଥ ସମ୍ପୂର୍ଣ୍ଣ ହୋଇଥିବା ଜଣାଇଛନ୍ତି। ସୁନାଖଣି ୨୦ କିମିଠାରୁ ୪୩.୫ କିମି ରେଳପଥ ନିର୍ମଣାଧୀନ ରହିଥିବା ଏବଂ ଅବଶିଷ୍ଟ ରେଳପଥ ପାଇଁ ୨୫୫ ହେକ୍ଟର ରେକର୍ଡ ଜମି ଏବଂ ୧୦୫ ହେକ୍ଟର ସରକାରୀ ଜମିକୁ ଓଡ଼ିଶା ସରକାର ଅଧିଗ୍ରହଣ କରି ରେଳ ପଥକୁ ହସ୍ତାନ୍ତର କରି ନଥିବାରୁ ଚଳିତ ବଜେଟରେ ମାତ୍ର ୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଶ୍ରୀ ଗୋଏଲ ଲୋକସଭା ସଦସ୍ୟ ଶ୍ରୀ ଗଙ୍ଗଦେବଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାର ଯେତେ ଶୀଘ୍ର ଜମି ଯୋଗାଇଦେବେ କେନ୍ଦ୍ର ସରକାର ସେତେ ଶୀଘ୍ର ଆବଶ୍ୟକ ପରିମାଣର ଅର୍ଥ ଯୋଗାଇ ଦେବେ ବୋଲି ଉଲ୍ଲେଖ କରିବା ସହ ଏହି ରେଳପଥ ପୂର୍ଣ୍ଣାଙ୍ଗ କରିବା ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ୧୯୯୪ ମସିହା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇ ସାରିଥିବା ବେଳେ ଏବେ ବି ଜିଲ୍ଲାରେ ହୋଇପାରିନି ରେଳପଥ। ଏପଟେ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ସ୍ୱପ୍ନ ଦେଖୁଥିବାବେଳେ ଏବେ ବି ଦେବଗଡ଼ ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ବହୁ ପଛରେ। ତାଳଚେର- ବିମଳାଗଡ ରେଳପଥ ଜିଲ୍ଲା ଦେଇ ଯିବା ପାଇଁ ବହୁ ବର୍ଷ ଆଗରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ଜିଲ୍ଲାବାସୀଙ୍କ ମନରେ ଆଶା ବାନ୍ଧିଥିଲେ। ଉକ୍ତ ରେଳପଥ ଶୀଘ୍ର ହୋଇଗଲେ ଜିଲ୍ଲାର ଲୋକମାନେ ରେଳଯାତ୍ରା ପାଇଁ ସିଧାସଳଖ ସୁବିଧା ପାଇପାରିବେ। ଜମିଗ୍ରହଣରେ ବିଳମ୍ବ ଯୋଗୁଁ ଏହି ଆଶା ଏବେ ସ୍ୱପ୍ନ ହୋଇ ରହିଯାଇଛି।

ଉକ୍ତ ରେଳପଥ ପାଇଁ ମୋଦି ସରକାରଙ୍କ ଆର୍ଥିକ ବର୍ଷ ୨୦୧୫-୧୬ ରେଳ ବଜେଟରେ ୨୮୦ କୋଟି ଟଙ୍କା, ୨୦୧୭-୧୮ରେ ୨୫୦ କୋଟି, ୨୦୧୮-୧୯ରେ ୩୦୦ କୋଟି ଅର୍ଥ ମଂଜୁର ହୋଇଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୫୦ କୋଟି, ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୦ କୋଟି ଟଙ୍କା ଉକ୍ତ ରେଳପଥ ପାଇଁ ମଂଜୁର କରିଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରତି ବର୍ଷ ବଜେଟ୍‌ରେ କମ ଅର୍ଥ ମଂଜୁର କରିଛନ୍ତି। ତାଳଚେର-ବିମଳାଗଡ଼ ରେଳପଥ ତୁରନ୍ତ କାର୍ଯ୍ୟ ସମାପ୍ତ ହେଲେ ଜନସାଧାରଣଙ୍କ ବହୁ ଦିନର ସ୍ୱପ୍ନ ସାକାର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର