ତାଳଚେର-ବିମଳାଗଡ ରେଳପଥ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ରାଉରକେଲା: ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ କାମ ସରୁନି। ରେଳପଥ କାର୍ଯ୍ୟର ମନ୍ଥରତାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ଏସବୁ ଭିତରେ ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତି ଓ ରାଉରକେଲା ସଚେତନ ନାଗରିକ ମଞ୍ଚ ଆନ୍ଦୋଳନକୁ ଜୋରଦାର କରିଛି। ରାଉରକେଲା ସଚେତନ ନାଗରିକ ମଞ୍ଚ ଆବାହକତ୍ବରେ ସହରର ୩୨ଟି ସାମାଜିକ ଅନୁଷ୍ଠାନ ମିଳିତ ଭାବେ ଓଡିଶାର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ନ୍ୟାୟାଳୟ  ଉଭୟ ପକ୍ଷଙ୍କ ଶୁଣାଣି କରି  କେନ୍ଦ୍ର ଓ ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ମାମଲାର ଚୂଡାନ୍ତ ଶୁଣାଣି ଆସନ୍ତା ଅକ୍ଟୋବର ୧୦ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି। ଉଭୟ ପକ୍ଷ ଦେଇଥିବା ଆଫିଡେବିଟ୍ ବିଷୟବସ୍ତୁ ଉପରେ ସଚେତନ ନାଗରିକ ମଞ୍ଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆଦର୍ଶ ପାଠାଗାରରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ମଞ୍ଚର ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିଶିର ଦାସ, ଡଃ ପୀତବାସ ମିଶ୍ର, ବିମଳ ବିଶି,ଇଂ ଅଭୟ କୁମାର ଦାସ,ଅମୂଲ୍ୟ ଚରଣ ବରାଳ ପ୍ରମୁଖ  ଉପସ୍ଥିତଥିଲେ। ଆଇନଜୀବୀ ଶ୍ରୀ ଦାସ ଏହି ଅବସରରେ ସୂଚନା ପ୍ରଦାନ କହିଛନ୍ତି ତାଳଚେର- ବିମଳାଗଡ ରେଳପଥ ୧୪୯.୭୮କିମି ରେଳପଥ ରାଜ୍ୟର ୩ଗୋଟି ଜିଲ୍ଲା ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲା ଦେଇ ଯିବ।  ଅନୁଗୁଳ ଜିଲ୍ଲାର ୮୨.୬୫ କିମି, ଦେବଗଡ ଜିଲ୍ଲାର ୩୨.୧ କିମି ଓ ସୁନ୍ଦରଗଡ ଜିଲ୍ଲାର ୩୫.୦୩କିମି ରେଳପଥ ରହିବ।

ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ୨୦୦୭-୦୮ ଆର୍ଥିକ ବର୍ଷରେ ୮୧୦.୭୮ କୋଟି ବ୍ୟୟ ବରାଦ କରିଥିବା ବେଳେ ଏହା ୨୦୧୬ ନଭେମ୍ବର ମାସ ବେଳକୁ ୧୯୨୮.୦୭ କୋଟିରେ ପହଞ୍ଚିଥିଲା । ଏହି ପ୍ରକଳ୍ପ ୨୦୨୨ ମସିହା ଡିସେମ୍ବର ମାସରେ ସରିବାର ଥିଲା। ଯଦି ଆକଳନ ଅନୁସାରେ ଏହି ପ୍ରକଳ୍ପ ୨୦୨୫ମସିହା ବେଳକୁ ସମାପ୍ତ ହୁଏ ତାହାହେଲେ ଏହାର ବ୍ୟୟ  ୩ହଜାର କୋଟିକୁ ଛୁଇଁବାର ସମ୍ଭାବନା ଅଛି। ତେବେ ଆଜି ପର୍ଯ୍ୟନ୍ତ ତାଳଚେର ସୁନାଖଣି ମଧ୍ୟରେ ୧୭.୬୨୫କିମି ଓ ପରେ ସୁନାଖଣି ଠାରୁ ସମଲ ଓ ପାରାବିଲି ୩୩.୯୨୫ କିମି କାର୍ଯ୍ୟ ଚାଲୁରହିଛି। ଆବଶ୍ୟକ ୩ଟି ଜିଲ୍ଲାର ଜମି ଅଧିଗ୍ରହଣ ୨୦୭୬.୨୦୯ ଏକର ମଧ୍ୟରୁ ୧୨୦୫.୦୪୭ ଏକର ଜମି ଅଧିଗ୍ରହଣ ହୋଇ ସାରିଥିବା ବେଳେ ୮୭୧.୧୬୨ଏକର ଜମି ଅଧିଗ୍ରହଣ ହୋଇନାହିଁ। ଜିଲ୍ଲା ଗୁଡ଼ିକରେ ଜଙ୍ଗଲ ଜମି ୬୬୩.୭୮ଏକର ଅଧିଗ୍ରହଣ କରାଯାଇଛି। ବେସରକାରୀ ଜମି ୯୯୦.୦୪୫ଏକର ମଧ୍ୟରୁ ୩୭୮.୫୫ଏକର ଅଧିଗ୍ରହଣ କରାଯାଇଥିବା ବେଳେ ୬୧୦.୪୯୫ ଏକର ଜମି ଅଧିଗ୍ରହଣ ହୋଇନାହିଁ ।

ତେବେ ଜମି ଅଧିଗ୍ରହଣ ବାବଦରେ ରେଳ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୩୦୯.୧୫କୋଟି ଟଙ୍କା ଦାଖଲ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ଗୁଣ୍ଠେ ଜମି ମଧ୍ୟ ଅଧିଗ୍ରହଣ କରାଯାଇନାହିଁ। ଅନୁଗୁଳ ଜିଲ୍ଲାରେ ମୋଟ ୫୪୯.୯୩୫ଏକର ଜମି ଅଧିଗ୍ରହଣ କରିବାକୁ ଥିବାବେଳେ ୩୭୯.୫୫ ଏକର ଏଯାବତ ଅଧିଗ୍ରହଣ ହୋଇଅଛି । ୨୦୨.୮୨୪ଏକର ସରକାରୀ ଜମି ହସ୍ତାନ୍ତର କରିବା ସ୍ଥାନରେ ୧୫୪.୯୫୭ ଏକର ଜମି ରେଳବାଇ କୁ ହସ୍ତାନ୍ତର କରିଛନ୍ତି। ଯଦି ସରକାର ଜମି ଅଧିଗ୍ରହଣ କରିବାରେ ବାଧା ସୃଷ୍ଟି ହେଉଥାଏ ତେବେ ସରକାର ଜମି ଅଧିଗ୍ରହଣ ଆଇନ ୨୦୧୩ର ଧାରା ୪୦ କୁ ପ୍ରୟୋଗ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମିଳିତ ମହାସଂଘର ଆବାହକ ବିମଳ ବିଶି ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ତାଳଚେର- ବିମଳାଗଡ ପାଇଁ ଉଦ୍ଦିଷ୍ଟ ସମସ୍ତ ଜମି ରେଳକର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ନ କରନ୍ତି  ଆଗାମୀ ଦିନରେ ଏକ ବିରାଟ ଗଣ ଆନ୍ଦୋଳନ ହେବ। ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ  ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ  ଗୋପୀନାଥ ପଟ୍ଟନାୟକ, ପଞ୍ଚାନନ ସେନାପତି,ଜଗବଂଧୁ ଜେନା,ଡାକ୍ତର ବସନ୍ତ ଦାସ,ଜଗନ୍ନାଥ ରାଉତ, ଅକ୍ଷୟ ଦାସ,ନିରଞ୍ଜନ ଦାସ,ଶୈଳେନ୍ଦ୍ର ମହାନ୍ତି, ଦେବେନ୍ଦ୍ରନାଥ ଆଚାର୍ଯ୍ୟ, କୁଞ୍ଜ ବିହାରୀ ରାଉତ ଚକ୍ରାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର