କଚ୍ଛପ ଗତିରେ ତାଳଚେର-ବିମଳାଗଡ ରେଳପଥ

ରାଉରକେଲା: ଚଳିତ ବର୍ଷ ବଜେଟ୍‌ରେ ତାଳଚେର-ବିମଳାଗଡ ରେଳପଥ ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୮୦୦ କୋଟି। କିନ୍ତୁ ମିଳିଛି ୩୦୦ କୋଟି। ତେବେ ଏହି ରାଶି ମଧ୍ୟ ଉକ୍ତ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପୂର୍ବରୁ ଏକାଧିକ ବଜେଟରେ ଦେଇଥିବା ଅନୁଦାନ ସହିତ ମିଶି ରାଜ୍ୟ ରାଜକୋଷରେ ଖର୍ଚ୍ଚ ନହୋଇ ପଡ଼ି ରହିବାର ସବୁ ଆଶଙ୍କା ରହିଛି। କାରଣ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାବାସୀ, ବିଶେଷକରି ରାଉରକେଲାବାସୀଙ୍କର ୬୦ ବର୍ଷର ଏହି ବହୁ ପ୍ରତୀକ୍ଷିତ ରେଳପଥ କାମ ଆଗେଇପାରୁନି। ୧୪୯.୬୫ କି.ମି. ଦୀର୍ଘ ଏହି ରେଳପଥରେ ଅଛି ଅନୁଗୁଳ ଜିଲ୍ଲାର ୮୨.୬୫ କି.ମି, ଦେବଗଡ ଜିଲ୍ଲାର ୩୨.୧୦ କି.ମି. ତଥା ସୁନ୍ଦରଗଡ଼ ଜିଲ୍ଲାର ୩୫.୦୩ କି.ମି.।

ଭୂମି ଅଧିଗ୍ରହଣ କାମ ଅନୁଗୁଳରେ ଆଶାନୁରୂପ ଆଗେଇ ଥିବାବେଳେ ସୁନ୍ଦରଗଡ଼ରେ ନାମକୁ ମାତ୍ର ତଥା ଦେବଗଡ଼ରେ ଆରମ୍ଭ ମଧ୍ୟ ହୋଇନାହିଁ। ଉଲ୍ଲେଖନୀୟ ଯେ ୨୦୨୧ ଡିସେମ୍ବର ମାସରେ ତାଳଚେର-ବିମଳଗଡ଼ ରେଳପଥର ଅଗ୍ରଗତି ସଂପର୍କରେ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କର ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ରାଜ୍ୟରେ ନିର୍ମାଣଧୀନ ରେଳ ପ୍ରକଳ୍ପଗୁଡ଼ିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ଭୂମିକା କେବଳ ଜମି ଅଧିଗ୍ରହଣ କାର୍ଯ୍ୟରେ ସୀମିତ। ତାଳଚେର-ବିମଲାଗଡ଼ ରେଳପ୍ରକଳ୍ପ ପାଇଁ ଅନୁଗୁଳ ଜିଲ୍ଲାରେ ଆବଶ୍ୟକ ବେସରକାରୀ ଜମିର ଅଧିକଗ୍ରହଣ କାର୍ଯ୍ୟ ୭୫ ପ୍ରତିଶତ ଶେଷ ହୋଇଥିବାବେଳେ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାମ ଚାଲୁ ରହିଛି। ୨୦୨୨ର ମଧ୍ୟଭାଗ ସୁଦ୍ଧା ସମସ୍ତ ଜମି ରେଳବାଇକୁ ହସ୍ତାନ୍ତର କରାଯିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ। ସେ ଆହୁରି କହିଥିଲେ ଯେ ୨୦୨୩ ସୁଦ୍ଧା ରେଳପଥ ନିର୍ମାଣ କାମ ଶେଷ ହେବ। କିନ୍ତୁ ବିଡମ୍ବନା ଯେ ଆଜି ପର୍ଯ୍ୟନ୍ତ କେବଳ ପ୍ରାୟ ୩୧ କି.ମି. ରେଳପଥର କାମ ଶେଷ ହୋଇଛି। ତା’ ପୁଣି ଖାଲି ତାଳଚେର ପଟୁ।

ଉଲ୍ଲେଖନୀୟ ଯେ ୨୦୦୩-୦୪ରେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇିଥଲା। ଇତି ମଧ୍ୟରେ ସୁନ୍ଦରଗଡ଼ର ୧୨ ଜିଲ୍ଲାପାଳ ବଦଳି ସାରିଛନ୍ତି। ୨୦୦୩ରେ ଡି.ସି.ପଞ୍ଚଭୟା, ୨୦୦୩ରୁ ୨୦୦୫ ସୁରେଶ କୁମାର ବଶିଷ୍ଠ, ୨୦୦୫ରୁ ୨୦୦୭ ସୁଜାତା କାର୍ତ୍ତିକେୟନ, ୨୦୦୭ରୁ ୨୦୦୮ ଡକ୍ଟର କ୍ରିଷ୍ଣନ କୁମାର ଓ ପି.କେ. ଲେଙ୍କା, ୨୦୦୮ରୁ ୨୦୧୧ ଶାଳିନୀ ପଣ୍ଡିତ, ୨୦୧୧ରୁ ୨୦୧୩ ରୁପାରୋଶନ ସାହୁ ଓ ରବିନ୍ଦ୍ର କୁମାର ମିଶ୍ର, ୨୦୧୩ରୁ ୨୦୧୭ ଭୂପେନ୍ଦ୍ର ସିଂହ ପୁନିଆ, ୨୦୧୭ରୁ ୨୦୧୮ ବିନିତ ଭରଦ୍ବାଜ ଓ ସୁରେନ୍ଦ୍ର କୁମାର ମୀନା,୨୦୧୯ରୁ ୨୦୨୧ ନିଖିଳ ପବନ କଲ୍ୟାଣ ଜିଲ୍ଲାପାଳ ଥିଲେ, ଏବେ ଅଛନ୍ତି ପରାଗ ହର୍ଷଦ ଗାଭାଲି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ କେବଳ ଗୋଟିଏ ଗାଁର ଜମି ଅଧିଗ୍ରହଣ ସମ୍ଭବ ହୋଇଛି।

ବାଧକ ସାଜିଛି ଜମି ଅଧିଗ୍ରହଣ

ସୁନ୍ଦରଗଡ଼ରେ ନାମକୁ ମାତ୍ର

ଦେବଗଡ଼ରେ ଆରମ୍ଭ ବି ହୋଇନାହିଁ

ଦାବିଥିଲା ୮୦୦ ‌କୋଟି, ମିଳିଲା ୩୦୦ କୋଟି

ଦେବଗଡ଼ରେ ତ ଆଦୌ ଅଧିଗ୍ରହଣ ହୋଇନାହିଁ। ଅନୁଗୁଳ ଜିଲ୍ଲାରେ କିନ୍ତୁ କାମ ଚାଲିଛି। ତାଳଚେରରୁ ସୁନାଖଣି ପର୍ଯ୍ୟନ୍ତ ପ୍ରାୟ ୧୭.୬୨ କିଲୋମିଟର ରେଳ ଧାରଣା ବିଛା କାର୍ଯ୍ୟ ଶେଷ ହୋଇଛି। ପୁଣି ସୁନାଖଣି-ପାରବିଲ, ପ୍ରାୟ ୧୩ କି.ମି. ରେଳ ଧାରଣା ବିଛା କାର୍ଯ୍ୟ ବେଗ ଧରିଛି। ସମଲରୁ ଖମାର ପର୍ଯ୍ୟନ୍ତ ମାଟିକାମ ମଧ୍ୟ ଶେଷ ହୋଇଛି। ଏମିତି ଭାବେ ପ୍ରାୟ ୩୧ କି.ମି. କାମ ଶେଷ ହୋଇଛି। ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ଦେବଗଡ଼ ଓ ଅନୁଗୁଳର ମୋଟ୍ ୧୧୫ଟି ଗାଁର ୮୫୪.୫୪ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୧୯ଟି ଗାଁର ୨୪୮.୦୨ ଏକର ଜମି ଅଧିଗ୍ରହଣ ହେବ। ସେଥିରେ ଲହୁଣୀପଡ଼ା ବ୍ଲକର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକର ୪ ଗାଁ ଓ ବଣାଇଁ ବ୍ଲକର ୩ ଗାଁ ରହିଛି।

ଏ ସମସ୍ତ ଗାଁରେ ଜମି ଚିହ୍ନଟ ହୋଇସାରିଛି। କିନ୍ତୁ କେବେ ଜମି ଅଧିଗ୍ରହଣ ଶେଷ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ସେପଟେ ରେଳବାଇ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ନିକଟରେ ଏଯାବତ୍ ୩୨୦.୪୦ କୋଟି ଜମା କରିସାରିଛନ୍ତି। ମାତ୍ର କାମରେ ଅଗ୍ରଗତି ହେଉନାହିଁ। ଏହି ବେଗରେ କାମ ଚାଲିଲେ ଆହୁରି ୧୦ ବର୍ଷ ଭିତରେ ବି କାମ ଶେଷ ହେବବୋଲି କହି ହେଉନାହିଁ। ସ୍ଥାନୀୟ ବିଜେପି ନେତୃବୃନ୍ଦ ଅଭିଯୋଗ କରୁଛନ୍ତି ଯେ ରେଳବାଇ କେନ୍ଦ୍ର ସରକାରଙ୍କର ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାର ଭୂମି ଅଧିଗ୍ରହଣରେ ବିଶେଷ ଆନ୍ତରିକତା ଦେଖାଉ ନାହାନ୍ତି। ତେବେ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ସ୍ଥିତି ଉପୁଜିଛି ବୋଲି ସୁନ୍ଦରଗଡ଼ର ତାଳଚେର-ବିମଳାଗଡ ସଂଗ୍ରାମ ସମିତି ଦାୟୀ କରିଛି। ସମିତିର ବିଷ୍ଣୁ ମହାନ୍ତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ହରିହର ରାଉତରାୟ, ବିମଳ ବିଶି, ସୁଧୀର ସୁନ୍ଦର ରାୟ, ଜାହାଙ୍ଗୀର ଅଲ୍ଲୀ ପ୍ରମୁଖ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର