ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: ଅବଶିଷ୍ଟ ୩୫୪ ଏକର ଜମି ଅଧିଗ୍ରହଣ କେବେ?

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ହେଉଛି ଜିଲ୍ଲାବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି। ତେବେ ଏହି ବହୁ ପ୍ରତିକ୍ଷୀତ ଦାବି ପୂରଣହେବାର ନାଁ ନେଉନି। ବାସ୍ତବରେ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ପାଇଁ ଜମି ଅଧିଗ୍ରହଣରେ ଶିଥିଳତା ହିଁ ମୁଖ୍ୟ କାରଣ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟାପକ ମାତ୍ରାରେ ଜମି ଅଧିଗ୍ରହଣ କରାଯିବାକଥା, ତାହା ଦେଖିବାକୁ ମିଳୁନି। ଏଯାଏ ପ୍ରକଳ୍ପ ପାଇଁ ଆବଶ୍ୟକ ୧୬.୮୫% ଜମି ଅଧିଗ୍ରହଣ କରାଯାଇପାରିନି। ଏବେ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ, ଏହି ପ୍ରକଳ୍ପର ଭାଗ୍ୟ ଫିଟିବ ନା ନାହିଁ ସେନେଇ ଚର୍ଚ୍ଚା ଜୋର୍‌ ଧରିଛି।

୧୪୯.୭୮ କିଲୋମିଟର ବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପାଇଁ ମୋଟ୍‌ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ମୋଟ୍‌ ୨୧୦୧.୧୯୯ ଏକର ଜମି ଆବଶ୍ୟକ। ୧୦୦୩.୯୪୫ ଏକର ବେସରକାରୀ ଜମି ଆବଶ୍ୟକ ହେଉଥିବାବେଳେ ୪୧୯.୭୭୩ ଏକର ସରକାରୀ ଓ ୬୭୭.୪୮୧ ଏକର ଜଙ୍ଗଲ ଜମି ରହିଛି। ମେ’ ୩୦ ତାରିଖ ସୁଦ୍ଧା, ୧୭୪୭.୦୬୧ ଏକର(୮୩.୧୫%) ଜମି ଅଧିଗ୍ରହଣ ହୋଇଥିବାବେଳେ ୩୫୪.୧୩୮ ଏକର(୧୬.୮୫%) ଜମି ଅଧିଗ୍ରହଣ ହୋଇପାରିନି। ଅଧିଗ୍ରହଣ ହୋଇପାରିନଥିବା ଜମି ମଧ୍ୟରେ ୨୦୧.୯୮୦ ଏକର ବେସରକାରୀ, ୧୩୮.୪୫୭ ଏକର ସରକାରୀ ଓ ୧୩.୭୦୧ ଏକର ଜଙ୍ଗଲ ଜମି ରହିଛି।

ଉପଯୁକ୍ତ କ୍ଷତିପୂରଣ ଦାବିରେ ସୃଷ୍ଟି ବିରୋଧାଭାସ କାରଣରୁ ବେସରକାରୀ ଜମି ଅଧିଗ୍ରହଣ ହୋଇନପାରିବା ସ୍ବାଭାବିକ୍‌। ତେବେ ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣରେ ବିଭାଗୀୟ କର୍ତ୍ତୃପକ୍ଷ ସଫଳ ନ ହେବା, ବିଡ଼ମ୍ବନା ବ୍ୟତିତ ଅନ୍ୟକିଛି ହୋଇ ନପାରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଥର ନୂଆନୂଆ ତାରିଖ ନିର୍ଦ୍ଧାରଣ କରାଯାଉଛି, କିନ୍ତୁ ଅଧିଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହେଉନି। ଅନୁଗୁଳ ଜିଲ୍ଲାରେ ଅଧିଗ୍ରହଣ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବାବେଳେ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ କିନ୍ତୁ ବେଗ ଧରିପାରୁନି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ତାଳଚେର ପଟୁ ନିର୍ମାଣ କାର୍ଯ୍ୟ ଜାରିରହିଛି। ଇତିମଧ୍ୟରେ ତାଳଚେର-ସମଲ ଯାଏ ୨୭.୫୫ କିଲୋମିଟର ରେଳପଥ ନିର୍ମାଣ ଶେଷ ହୋଇଥିବାବେଳେ ସମଲ-ଶ୍ରୀରାମପୁର(୪୦ କିଲୋମିଟର) ନିର୍ମାଣକାର୍ଯ୍ୟ ପ୍ରାୟ ଶେଷହେବା ଉପରେ। ଏବେ ୯.୫ କିଲୋମିଟର ବିଶିଷ୍ଟ ଶ୍ରୀରାମପୁର-ପାଲଲହଡ଼ା ପାଇଁ ଗତ ୩ ତାରିଖରେ ଇପିସି ଠିକା ଦିଆଯାଇଛି। ତେବେ ପାଲଲହଡ଼ାରୁ ବିମଳାଗଡ଼(୭୨.୮୮ କିଲୋମିଟର‌)ରେ ଜମି ଅଧିଗ୍ରହଣ ସରୁନଥିବାରୁ ପ୍ରକଳ୍ପ ଆଗେଇପାରୁନି। ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ପାଇଁ ରେଳବାଇ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ତହବିଲରେ ଅର୍ଥ ପୈଠକରିସାରିଲେଣି। ପ୍ରକଳ୍ପର ଅଗ୍ରଗତିପାଇଁ ଯଥାଶୀଘ୍ର ଜମି ଅଧିଗ୍ରହଣ ସମ୍ପନ୍ନ ହିଁ ଏକମାତ୍ର ବିକଳ୍ପ ପାଲଟିଛି।

ସମ୍ବନ୍ଧିତ ଖବର