ଦେବଗଡ଼: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ଯୋଜନା ହେବାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ବି ଉକ୍ତ ରେଳପଥ ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବାରୁ ଏହି ପ୍ରକଳ୍ପ କେବେ ଶେଷ ହେବ ବୋଲି ପ୍ରଶ୍ନ ହେଉଛି।
ଏହି ରେଳ ପ୍ରକଳ୍ପ ପାଇଁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ର ୧୯ଟି ଗ୍ରାମ ପ୍ରଭାବିତ ହେବ। ତେବେ ବାରକୋଟ ବ୍ଲକ୍ ୧୯ଟି ଗ୍ରାମର ୪୫୫.୨୮ ଏକର ସରକାରୀ ଏବଂ ବେସରକାରୀ ଜମି ଆବଶ୍ୟକ ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମାତ୍ର ୫ଟି ଗ୍ରାମର ୪୯.୪୫୦ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ଅନ୍ୟ ୧୪ଟି ଗ୍ରାମର ଜମି ଅଧିଗ୍ରହଣ ସଂପର୍କିତ ନଥିପତ୍ର ସମ୍ବଲପୁର ଆର୍ଡିସିଙ୍କ ନିକଟକୁ ପଠାଯାଇଥିବା ଆର୍ଟିଆଇ ତଥ୍ୟରୁ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୬.୫୩ ପ୍ରତିଶତ ଜମି ଅଧିଗ୍ରହଣ କରାଯାଇଥିବା ବେଳେ ବହୁ ଗ୍ରାମରେ ଜମି ଅଧିଗ୍ରହଣରେ ବାଧକ ସାଜିଛି କ୍ଷତିପୂରଣ ରାଶି। ଉଚିତ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ନଥିବା ଯୋଗୁଁ ଲୋକମାନେ କ୍ଷତିପୂରଣ ରାଶି ଗ୍ରହଣ କରୁନଥିବା ଜଣାପଡ଼ିଛି। ଗତ ଜୁନ୍ ୧ ତାରିଖ ଦିନ ସମ୍ବଲପୁରରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂପର୍କିତ ସମୀକ୍ଷା ବୈଠକରେ ଉକ୍ତ ପ୍ରକଳ୍ପରେ ପ୍ରଭାବିତ ହେଉଥିବା ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ, ରାଜସ୍ବ ଅଧିକାରୀମାନଙ୍କ ଉପସ୍ଥିତିରେ ଅଗଷ୍ଟ ମାସ ଶେଷ ବେଳକୁ ଦେବଗଡ଼ ଜିଲ୍ଲାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରାଯିବ ବୋଲି ରେଳବାଇ ଅଧିକାରୀଙ୍କୁ ଏ ସଂପର୍କରେ ପ୍ରତିଶ୍ରୁତି ଦେଇଥିଲେ। ଅଗଷ୍ଟ ଯାଇ ସେପ୍ଟେମ୍ବର ମାସ ସରିବାକୁ ବସିଥିବା ବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଜିଲ୍ଲାରେ ସରିନି।
ଜିଲ୍ଲାରେ ଜମି ହରାଇବାକୁ ଥିବା ଅଧିକାଂଶ ଲୋକ ପୂର୍ବରୁ ରେଙ୍ଗାଳି ଡ୍ୟାମ୍ ପ୍ରକଳ୍ପ ବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣବେଳେ ବିସ୍ଥାପିତ ହୋଇଛନ୍ତି। ତେଣୁ ସ୍ବଳ୍ପ ମୂଲ୍ୟରେ ଜମି ଦେଇ ଦ୍ବିତୀୟ ଥର କାହିଁକି ବିସ୍ଥାପିତ ହେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗତ ଅଗଷ୍ଟ ମାସ ୨୩ ତାରିଖ ଦିନ ଜିଲ୍ଲା ନାଗରିକ କମିଟିର ଏକ ପ୍ରତିନିଧି ଦଳ ଦେବଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଳଚେର-ବିମଳାଗଡ ରେଳପଥ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜିଲ୍ଲାପାଳ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ସେପ୍ଟେମ୍ବର ଶେଷ ସୁଦ୍ଧା ୨ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କିନ୍ତୁ ଜିଲ୍ଲା ନାଗରିକ କମିଟି ପକ୍ଷରୁ ମଗା ଯାଇଥିବା ଆଇଟିଆଇ ତଥ୍ୟରେ ବର୍ତ୍ତମାନ ସୁଦ୍ଧା ୫ଟି ଗ୍ରାମର ଜମି ଅଧିଗ୍ରହଣ ସରିଥିବା ତଥ୍ୟରେ ଦର୍ଶାଯାଇଛି। ତେବେ ବାରକୋଟ ତହସିଲ ନିକଟରୁ ହସ୍ତଗତ ହୋଇଥିବା ତଥ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରି ନଥିବା ବେଳେ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଥ୍ୟା ତଥ୍ୟ ପ୍ରଦାନ କରାଯାଉ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି।