ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: ଆଶା ଥିଲା ଅଧିକ, ମିଳିଲା ୧୧୩ କୋଟି

ଏଥର ଜମି ଅଧିଗ୍ରହଣ ବେଗ ଧରିବ ତ?

ରାଉରକେଲା: ଏଥର ରେଳ ବଜେଟ୍‌ରେ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପାଇଁ ଅଧିକ ଅନୁଦାନ ଆଶା କରାଯାଉଥିଲା। ଅନୁଦାନ ରାଶି ବୃଦ୍ଧିହେଲେ ନିର୍ମାଣକାର୍ଯ୍ୟରେ ବେଗ ଧରିବା ଜିଲ୍ଲାବାସୀ ଆଶା ରଖିଥିଲେ। କିନ୍ତୁ ଏଥର ରେଳ ବଜେଟ୍‌ରେ ଜିଲ୍ଲାବାସୀଙ୍କ ଦାବିକୁ ଉପେକ୍ଷା କରାଯାଇଛି। ଜିଲ୍ଲାବାସୀଙ୍କ ଦୀର୍ଘ ୬ ଦଶନ୍ଧିର ଦାବି ଏହି ପ୍ରକଳ୍ପ ପାଇଁ ଏଥର ମାତ୍ର ୧୧୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅବଶ୍ୟ, ଗତବର୍ଷ ତୁଳନାରେ ଏହା ଅଧିକ। ଗତବର୍ଷ, ମୋଟ୍‌ ୧୧୦ କୋଟି ବ୍ୟୟବରାଦ ହୋଇଥିଲା। ସଂପ୍ରତି ପ୍ରକଳ୍ପର ସଂଶୋଧିତ ବଜେଟ୍‌ ୧୯୨୮.୦୭ କୋଟି ରହିଛି। ଏଥରକୁ ମିଶାଇ, ଗତ ୨୦ଟି ରେଳ ବଜେଟ୍‌ରେ ପ୍ରକଳ୍ପକୁ ମୋଟ୍‌ ୧୭୦୫ କୋଟି ଟଙ୍କା ବ୍ୟୟ ବରାଦ ହୋଇସାରିଛି। ଅନୁମୋଦିତ ଅର୍ଥରୁ ୮୭୪.୮୯ କୋଟି(୨୦୨୧ ଏପ୍ରିଲ ସୁଦ୍ଧା) ବ୍ୟୟ ହୋଇସାରିଲାଣି। ଗତ ୨୦୦୪-୦୫ ଆର୍ଥିକ ବର୍ଷରେ ତତ୍କାଳୀନ ଅଟଳ ବିହାରୀ ବାଜପେୟୀ ନେତୃତ୍ବାଧୀନ ଭାରତ ସରକାର ସର୍ବପ୍ରଥମଥର ପାଇଁ ଏହି ପ୍ରକଳ୍ପକୁ ୫ କୋଟି ଅନୁମୋଦନ କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ, ପ୍ରତ୍ୟେକ ବଜେଟ୍‌ରେ ପ୍ରକଳ୍ପ ପାଇଁ ବ୍ୟୟବରାଦ ହେଉଛି; ତଥାପି ପ୍ରକଳ୍ପର ନିର୍ମାଣକାର୍ଯ୍ୟ ବେଗ ଧରିପାରୁନି। ଆଉ ଏହାର ମୁଖ୍ୟ କାରଣ ପାଲଟିଛି, ଜମି ଅଧିଗ୍ରହଣ କରିବାରେ ରାଜ୍ୟ ସରକାରଙ୍କ ଘୋର୍‌ ଅବହେଳା।

ମୋଟ୍‌ ୧୪୯.୭୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୯ଟି ଗ୍ରାମରେ ଜମି ଅଧିଗହଣ କରାଯିବାକୁ ଥିବାବେଳେ ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ୧୯ଟି ଲେଖାଏଁ ଗାଁରେ ଜମି ଅଧିଗ୍ରହଣ ହେବ। ତେବେ ପ୍ରକଳ୍ପ ପାଇଁ କେବଳ ଅନୁଗୁଳ ଜିଲ୍ଲାରେ ହିଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡ଼ମ୍ବନା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଗୋଟିଏ ଡିସିମିଲ ଜମି ଅଧିଗ୍ରହଣ ଏଯାଏଁ ସମ୍ଭବ ହୋଇପାରିନି। ପାଖାପାଖି ୨୬୦.୬୬୭ ଏକର ସରକାରୀ ଜମି ହସ୍ତାନ୍ତର ପ୍ରକ୍ରିୟାରେ କୌଣସି ସମସ୍ୟା ନଥିବାବେଳେ ବେସରକାରୀ ଜମିର ଅଧିଗ୍ରହଣ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଯାବତ୍‌ ପାଖାପାଖି ୬୧୦.୪୯୫ ଏକର ବେସରକାରୀ ଜମି ରେଳ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇପାରିନି; ଯାହାକି ଜମିଅଧିଗ୍ରହଣ ପ୍ରକ୍ରିୟାରେ ରାଜ୍ୟସରକାରଙ୍କ ଅବହେଳା ପଦାରେ ପକାଇଦେଇଛି। ଉଲ୍ଲେଖଯୋଗ୍ୟ, ଅନୁଗୁଳ ପଟୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବାରୁ ପ୍ରଥମ ବ୍ଲକ ସେକ୍ସନ, ତାଳଚେର-ସୁନାଖଣି ପ୍ରାୟ ୧୭.୬୨ କିଲୋମିଟର ରେଳପଥ ନିର୍ମାଣ ସରିଛି। ସେହିଭଳି ଦ୍ବିତୀୟ ବ୍ଲକ ସେକ୍ସନ, ୧୬.୩ କିଲୋମିଟର ବିଶିଷ୍ଟ ସୁନାଖଣି-ସାମଲ ଓ ସାମଲ-ପରବିଲ ନିର୍ମାଣ କାର୍ଯ୍ୟ ଜାରିରହିଛି। ତେବେ ଏହି ଦ୍ବିତୀୟ ବ୍ଲକ ସେକ୍ସନରେ ଜମି ସମସ୍ୟା ଦେଖା‌ଦେବାରୁ, କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ିରହିଛି। ସାମଲ-ପରବିଲ ମଝିରେ କେଶବପୁର-ବଲିଣ୍ଡାରେ ପ୍ରାୟ ଦେଢ଼ କିଲୋମିଟର ନିର୍ମାଣ କରାଯାଇପାରିନି। ଜମି ସମସ୍ୟାକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ଥିବାରୁ ଏହା ଲଟକିରହିଛି। ନ୍ୟାୟାଳୟରେ ଏହି ମାମଲାକୁ ତ୍ବରାନ୍ବିତ କରିବା ବଦଳରେ ଏହାକୁ ଅଧାବାଟରେ ଛାଡ଼ିଦିଆଯିବା;ପ୍ରକଳ୍ପର ବେଗକୁ ଧିମେଇ ଦେଇଛି।

ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଅବହେଳା ଆଉ କାହାକୁ ଅଛପା ନାହିଁ। ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଣିଚାଏଁ ଜମି ଅଧିଗ୍ରହଣ କରାନଯିବା, ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ। ଜମି ଅଧିଗ୍ରହଣ ପାଇଁ ରେଳବାଇ କର୍ତୃପକ୍ଷ ଇତିମଧ୍ୟରେ ୪୨୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତହବିଲରେ ଡିପୋଜିଟ୍‌ କରିସାରିଲେଣି। ନିର୍ଦ୍ଧାରିତ ସମୟରେ ଜମି ଅଧିଗ୍ରହଣ ସଂପନ୍ନ ଓ ହସ୍ତାନ୍ତର ହେଲେ ୨୦୨୫ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। କିନ୍ତୁ ବର୍ଷବର୍ଷ ଧରି ଲାଗିରହିଥିବା ଜମି ଅଧିଗ୍ରହଣ ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିବାରେ ଶତପ୍ରତିଶତ ଅକ୍ଷମ ହୋଇଥିବାରୁ; ପ୍ରକଳ୍ପର ଭାଗ୍ୟ ବିଳମ୍ବିତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର