ସଂସଦରେ ତାଳଚେର-ବିମଳାଗଡ଼ ରେଳପଥ ପ୍ରସଙ୍ଗ: ପ୍ରକଳ୍ପର ସ୍ଥିତାବସ୍ଥା ନେଇ ପ୍ରଶ୍ନ କଲେ ସାଂସଦ ପ୍ରଶାନ୍ତ ନନ୍ଦ

ଜମି ଅଧିଗ୍ରହଣ ହୋଇନଥିବାରୁ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇନି: ରେଳମନ୍ତ୍ରୀ

ରାଉରକେଲା: ପ୍ରାୟ ୬ ଦଶନ୍ଧି ପୁରୁଣା ତାଳଚେର-ବିମଳାଗଡ଼ ରେଳ ପଥ ପ୍ରକଳ୍ପ କେବେ ପୂରଣ ହେବ? ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ପାଇଁ ବିମଳାଗଡ଼ପଟୁ ଜମି ଅଧିଗ୍ରହଣ ପାଇଁ ବାସ୍ତବରେ ରାଜ୍ୟ ସରକାରଙ୍କ ଇଚ୍ଛା ଅଛି ତ? ଯଦିଓ ଏସବୁ ପ୍ରଶ୍ନ ବେଶ୍‌ ପୁରୁଣା ହେଲାଣି; କିନ୍ତୁ ଉତ୍ତର ମିଳୁନି। ପ୍ରକଳ୍ପର ଆରମ୍ଭ, ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ ଆଦି ନେଇ ଦାବି ଜୋର୍‌ ଧରିଥିବାବେଳେ ଉଭୟ ସପକ୍ଷବାଦୀ ଓ ଜମିହରା ହିତାଧିକାରୀ ପୃଥକ୍‌ ପୃଥକ୍‌ଭାବେ ନ୍ୟାୟାଳୟର ଦ୍ବାରସ୍ଥ ବି ହୋଇଛନ୍ତି। ଏହି ପ୍ରସଙ୍ଗ ଏବେ ସଂସଦରେ ପହଞ୍ଚିଛି। ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଏନେଇ ସଂସଦରେ ପ୍ରକଳ୍ପର ସ୍ଥିତାବସ୍ଥା, ବିମଳାଗଡ଼ ପଟୁ ନିର୍ମାଣ ଆରମ୍ଭର ଯୋଜନା ଆଦି ବିଷୟରେ ପ୍ରଶ୍ନ ଉପସ୍ଥାପନ କରିଥିବାବେଳେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜମି ଅଭାବ ଯୋଗୁଁ ବିମଳାଗଡ଼ ପଟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଶ୍ରୀ ବୈଷ୍ଣବ ପ୍ରତ୍ୟୁତ୍ତରରେ ଜଣାଇଛନ୍ତି। ରେଳମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ପୁଣିଥରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଅବହେଳା ପଦାରେ ପଡ଼ିଯାଇଛି।

ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି, ରେଳବାଇ ପକ୍ଷରୁ ୧୪୯.୭୮ କିଲୋମିଟର ବିଶିଷ୍ଟ ଏହି ରେଳପଥ ପ୍ରକଳ୍ପ ହାତକୁ ନିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୯୨୮ କୋଟି ହେବ। ତାଳଚେର ପଟୁ କାମ ଆରମ୍ଭ ହୋଇସାରିଥିବାବେଳେ ପ୍ରାୟ ୨୦ କିଲୋମିଟର ବିଶିଷ୍ଟ ତାଳଚେର-ସୁନାଖଣି ପଥ ର ନିର୍ମାଣ କାର୍ଯ୍ୟ ସଂମ୍ପନ୍ନ ହୋଇଛି। ପ୍ରାୟ ୫୦.୫୦ କିଲୋମିଟର ବିଶିଷ୍ଟ ସୁନାଖଣି-ଖମାର ଯାଏଁ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଛି; ତେବେ ଆଇନଗତ କାରଣରୁ ସଂପ୍ରତି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଅବଶିଷ୍ଟ ଖମାର-ବିମଳାଗଡ଼(ପ୍ରାୟ ୧୦୦ କିଲୋମିଟର) ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା କରାଯାଉଛି। ଏହି ପ୍ରକଳ୍ପ ପାଇଁ ୧୦୦୨.୮୧ ଏକର ବେସରକାରୀ ଜମି ଆବଶ୍ୟକ ପଡ଼ୁଥିବାବେଳେ ଏଯାଏଁ କେବଳ ୫୨୪.୮୧ ଏକର ଜମି ଅଧିଗ୍ରହଣ ସରିଛି; ଅର୍ଥାତ୍‌ ୪୭୭.୮ ଏକର ଜମି ଅଧିଗ୍ରହଣ ହୋଇପାରିନି। ସେହିଭଳି ଆବଶ୍ୟକ ୪୨୨.୩୮ ଏକର ସରକାରୀ ଜମିରୁ ମାତ୍ର ୨୫୧.୧୦ ଏକର ଜମି ହସ୍ତାନ୍ତର ହୋଇଥିବାବେଳେ ଏବେସୁଦ୍ଧା ଅବଶିଷ୍ଟ ୧୭୧.୨୮ ଏକର ଜମି ରେଳବାଇକୁ ମିଳିପାରିନି। ଅପରପକ୍ଷରେ ଜଙ୍ଗଲ ଜମି ହସ୍ତଗତ ହୋଇସାରିଛି। ବିମଳାଗଡ଼ ପଟୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଦୌ ଆରମ୍ଭ ହୋଇନଥିବାରୁ ସେପଟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ପ୍ରତ୍ୟୁତ୍ତରରେ ରେଳମନ୍ତ୍ରୀ ଜଣାଇଛନ୍ତି।

ଜମି ଅଧିଗ୍ରଗହଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ନୂଆ ନୁହେଁ। ଦଶନ୍ଧି ବିତିବାସତ୍ତ୍ବେ ସମସ୍ୟାର ସମାଧାନ ହୋଇପାରୁନି। ଅତ୍ୟଧିକ କ୍ଷତିପୂରଣ ଦାବିରେ ହିତାଧିକାରୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବାବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦାବିରେ ସପକ୍ଷବାଦୀଙ୍କକ ଜନସ୍ବାର୍ଥ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି। ଏମିତିକି ଉଚ୍ଚ ନ୍ୟାୟାଳୟ ଜମି ଅଧିଗ୍ରହଣ ଆଇନ ୨୦୧୩ର ସେକ୍ସନ-୪୦ ଲାଗୁ କରିବାକୁ ନିବେଦନ କରାଯାଇଛି। ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ବାବଦକୁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ପାଖାପାଖି ୪୫୦ କୋଟି ଟଙ୍କା ଜମା କରାଯାଇଛି। କିନ୍ତୁ କେବଳ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗେଇଥିବାବେଳେ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ପ୍ରଶାସନର କ୍ରମାଗତ ଅବହେଳା ଯୋଗୁଁ ଜମି ଅଧିଗ୍ରହଣ ହୋଇପାରୁନି। ପ୍ରକାଶଥାଉକି, ପ୍ରକଳ୍ପ ପାଇଁ ସୁନ୍ଦରଗଡ଼-ଅନୁଗୁଳ-ଦେବଗଡ଼ ଜିଲ୍ଲାରେ ୧୧୫ଟି ଗାଁର ୧୦୦୨.୬୧ ଏକର ବେସରକାରୀ ଜମି ଓ ୪୨୨.୩୮ ଏକର ସରକାରୀ ଜମି ଆବଶ୍ୟକ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକର ମୋଟ୍‌ ୨୯ଟି ଗାଁ, ଯଥା- ଲହୁଣୀପଡ଼ା ବ୍ଲକର ୨୨ ଗାଁ, କୋଇଡ଼ା ବ୍ଲକର ୪ ଓ ବଣାଇଁ ବ୍ଲକର ୩ ଗାଁରେ ମୋଟ୍ ୨୪୮.୦୨ ଏକର ଜମି ଅଧିଗ୍ରହଣ କରାଯିବ। ସେହିଭଳି ଦେବଗଡ଼ ଜିଲ୍ଲାର ୧୯ଟି ଗାଁରେ ୧୯୨.୦୯ ଏକର ଓ ଅନୁଗୁଳ ଜିଲ୍ଲାରେ ୬୭ଟି ଗାଁର ୪୧୪.୪୩ ଏକର ଜମି ଅଧିଗ୍ରହଣ କରାଯିବ। ଏଯାବତ୍‌ ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୫୧୦.୦୩୫ ଏକର ଜମି ଅଧିଗ୍ରହଣ କରାଯାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ ଗାଁର ୨.୦୫ ଏକର ଜମି ଅଧିଗ୍ରହଣ ସମ୍ଭବ ହୋଇପାରିଛି। ଦେବଗଡ଼ ଜିଲ୍ଲାରେ କିନ୍ତୁ ଜମି ଅଧିଗ୍ରହଣ ହୋଇପାରିନି।

ସମ୍ବନ୍ଧିତ ଖବର