ତାଳଚେର ସହର ଦବିବା ଘଟଣା: ସମସ୍ତେ ଜାଣିଛନ୍ତି, କାର୍ଯ୍ୟାନୁଷ୍ଠାନ ଶୂନ

ଏମସିଏଲ କୋଇଲା ଖଣି ସ୍ଥାନାନ୍ତର ପାଇଁ ପୁଣି ଜୋର ଧରିଲା ଦାବି

ଭୁବନେଶ୍ବର: ଏମସିଏଲ କୋଇଲା ଖଣି ଯୋଗୁଁ ତାଳଚେର ସହର ମାଟିରେ ମିଶିବ । କୋଇଲା ଖଣି ସ୍ଥାନାନ୍ତର ନହେଲେ ସହରବାସୀଙ୍କ ଧନଜୀବନ ବିପଦରେ ବୋଲି ଦାବି କରିଛି ତାଳଚେର ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ। ପରିଷଦ ସଭାପତି ତଥା ପୂର୍ବତନ ବିଧାଯକ ବିଭୁଧେନ୍ଦ୍ର ପ୍ରତାପ ଦାସ କହିଛନ୍ତି, ୩୫ବର୍ଷ ଧରି ଏମସିଏଲ କର୍ତ୍ତୃପକ୍ଷ ସହରବାସୀଙ୍କୁ ପ୍ରତାରିତ କରିଆସିଛନ୍ତି । ୧୫ଟି ସୁରୀରେ ମାଟି ଦବିବାରୁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅଥଚ ଏମସିଏଲ କର୍ତ୍ତୃପକ୍ଷ ଏସବୁକୁ ମାନିବାକୁ ନାରାଜ। ପ୍ରକାଶଥାଉକି,ନିକଟରେ ଏମସିଏଲ ତାଳଚେର ପୌରାଞ୍ଚଳର ଭୂ-ତଳୁ କୋଇଲା ଉତ୍ପାଦନ କରି ବାଲି ପୂରଣ ନକରିବାରୁ ଶାନ୍ତିଲତା ବାଇଙ୍କ ବାସଭହନ ବାରଣ୍ଡା ଚଟାଣ ୪ଫୁଟ ଦବି ଯିବା ଘଟଣା ସାମନାକୁ ଆସିଥିଲା । ଯାହାକୂୁ ନେଇ ତାଳଚେର ସହରବାସୀ କରିଥିଲେ ଆନ୍ଦୋଳନ। ବାରମ୍ବାର ଏପରି ଘଟଣା ପାଇଁ ଏମସିଏଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଦାୟୀ ବୋଲି ସୁରକ୍ଷା ପରିଷଦ ଅଭିଯୋଗ କରିଛି । ଶ୍ରୀ ଦାସ କହିଛନ୍ତି, ଏହି ଗମ୍ଭୀରତାକୁ ଉପଲବ୍ଧି କରି ୧୯୮୨ ମସିହା ଜାନୁଆରୀ ୬ତାରିଖରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଏ.ଜେ.ଅଲୋକ୍ସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏମସିଏଲ ଉଚ୍ଚପଦସ୍ଥ ଅଧିକାରୀ, ସବ-କଲେକ୍କର ଓ ତାଙ୍କ ଉପସ୍ଥିତିରେ ସହାରାଞ୍ଚଳର ମାଟିତଳୁ କୋଇଲା ଖନନ ପରବର୍ତ୍ତୀ ଫମ୍ପା ସ୍ଥାନରେ ବାଲି ପୂରଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସହର ମଧ୍ୟରେ କୋଇଲା ଖଣି ମଧ୍ୟରେ ସ୍ତମ୍ଭ ରଖାଯିବା ସହ ସମସ୍ତ କୋଇଲା ଖନନ ନକରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ଏମସିଏଲର ତତ୍କାଳିନ ମହାପ୍ରବନ୍ଧକ ରବିନ୍ଦ୍ର ସିଂ ଗଣମାଧ୍ୟମକୁ ଏ ବାବଦରେ ବିଧିବଦ୍ଧ ପ୍ରେସ ନୋଟ ମଧ୍ୟ ଦେଇଥିଲେ । ମାତ୍ର କୋଇଲା ଖଣି କର୍ତ୍ତୃପକ୍ଷ ନିଜ ପ୍ରତିଶ୍ରୁତି ନ ରଖି କୋଇଲା ଉତ୍ପାଦନ କରିବାରୁ ପୁଣି ଥରେ ସହରର ଆଉ ଗୋଟିଏ ସ୍ଥାନରେ ମାଟି ଦବିଯାଇଥିଲା । ପରେ ତତ୍କାଳୀନ ଜିଲ୍ଲାପାଳ ବାସୁଦେବ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଲୋକ ପ୍ରତିନିଧି ଓ ଏମସିଏଲ ପଦାଧିକାରୀଙ୍କ ମଧ୍ୟରେ ୧୯୯୨ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ବୈଠକରେ ଆବଶ୍ୟକ ବାଲି ପୂରଣ ପାଇଁ ନିଷ୍ପତ୍ତି ହେଲା,କିନ୍ତୁ ତାକୁ ବି ଫୁ କରିଦେଲା ଏମସିଏଲ । ଶ୍ରୀ ଦାସ କହିଛନ୍ତି, ବାରମ୍ବାର ମାଟି ଦବିବାରୁ ତାଳଚେର-ମେରାମୂୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ ବା ଟାମାଡା ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ୨୦୦୯ରେ ବିଜ୍ଞପ୍ତି ଜାରି କରି ଅଥର୍ପା, ରେମୁଆଁ,କୋଇଲୁଣ୍ଡା ଓ ନିଜଗଡ଼ ମୌଜାରେ ନୂତନ ଗୃହ ନିର୍ମାଣ ପାଇଁ କୌଣସି ନକ୍ସା ଅନୁମୋଦନକୁ ନିଷିଦ୍ଧ କରିଛନ୍ତି । ଏହାର ଉଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

ଉଲ୍ଲେଖଯୋଗ୍ୟ, ତାଳଚେର ସହରକୁ ବିପଦ ଅଛି ବୋଲି ବିଧାନସଭାରେ ୧୭.୦୩.୨୦୧୦ରେ ତତ୍କାଳୀନ ବିଧାୟକ ପ୍ରଫୁଲ ମଲ୍ଲିକଙ୍କ ତାରକା ଚିହ୍ନିତି ପ୍ରଶ୍ନ ନଂ ୧୮୪ରେ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ବରେ ଥିବା ବଦ୍ରି ନାରାୟଣ ପାତ୍ର ସ୍ବୀକାର କରିଛନ୍ତି। ସେହିପରି ୨୦୦୧୧ରେ ବିଧାନସଭାର ତତ୍କାଳୀନ ଇସ୍ପାତ ଓ ଖଣି ମନ୍ତ୍ରୀ ରଘୁନାଥ ମହାନ୍ତି ୧୬.୩.୨୦୧୧ କହିଛନ୍ତି ଦେଉଳବେଢା ଖଣି ମଧ୍ୟରେ ୪୧.୮୦ ପ୍ରତିଶତ ସ୍ଥାନରେ ବାଲିପୂରଣ ହୋଇଛି ଟାମାଡ଼ା କର୍ତ୍ତୃପକ୍ଷଙ୍କୁ ଦ୍ବାରା ଚିହ୍ନଟ କରାଯାଇଥିବା ୬୫୪.୭୮ ହେକ୍ଟର ଅଞ୍ଚଳକୁ ନିର୍ମାଣ ନିଷିଦ୍ଧାଞ୍ଚଳ ବୋଲି ଚିହ୍ନଟ କରାଯାଇଛି । ଏଥିପାଇଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ହୋଇନଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । ଏମସିଏଲର ଖାମଖିଆଲି ନୀତି ଯୋଗୁଁ ଏବେ ୨ ଲକ୍ଷ ଲୋକଙ୍କ ଜୀବନ ବିପଦରେ। ଏଥିପାଇଁ ତୁରନ୍ତ ଏମସିଏଲ କୋଇଲା ଖଣିକୁ ସ୍ଥାନାନ୍ତର କରିବାକୁ ଦାବି କରିଛି ପରିଷଦ। ନଚେତ୍ ଅଗାମୀ ଦିନରେ ଧନଜୀବନ ହାନି ହେଲେ ଏମସିଏଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ ଲିଖିତ ଭାବେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର